ମାୟାମୃଗ

ଅର୍ଜୁନୀ ଚରଣ ବେହେରା

ଦଣ୍ଡକାରଣ୍ୟରେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ଚତୁର ଇଙ୍ଗିତରେ ଲକ୍ଷ୍ମଣ ଶୁର୍ପଣଖାର ନାକ,କାନ କାଟି କୁରୂପ କରି ଛାଡ଼ି ଦେଲେ l ଶୁର୍ପଣଖା ତତ୍କ୍ଷଣାତ ଧାଇଁ ଯାଇ ତାହାର ଭାଇ ଖରକୁ ତାର ଦୁର୍ଗତିର କାହାଣୀ କହିଲା,ତହୁଁ ଖର,ଦୂଷଣ ଏବଂ ତ୍ରିଶିରା ଆଦି ଭୀଷଣ କାୟ ରାକ୍ଷସମାନେ ଯାଇ ରାମଙ୍କ ପର୍ଣ୍ଣକୁଟୀର ଉପରେ ଆକ୍ରମଣ କଲେ l ଶ୍ରୀରାମ ଲକ୍ଷ୍ମଣ ତୀକ୍ଷ୍ଣ ନାରାଚରେ ସମସ୍ତ ରାକ୍ଷସ ମାନଙ୍କୁ ସଂହାର କରି ସମ୍ପୂର୍ଣ୍ଣ ଜନସ୍ଥାନକୁ ରାକ୍ଷସ ରହିତ କରିଦେଲେ l ଅକମ୍ପନ ନାମକ ଏକ ରାକ୍ଷସ ଦ୍ରୁତ ବେଗରେ ଦଉଡ଼ିଯାଇ ରାଵଣକୁ ଏ ସମ୍ବାଦ ସହ ଦଣ୍ଡକାରଣ୍ୟରେ ବାସ କରୁଥିବା ଦୁଇ ତପସ୍ୱୀଙ୍କ ପରାକ୍ରମ ବିଷୟରେ କହିଲା l ଦଶାନନ କ୍ରୋଧିତ ହୋଇ କହିଲା ମୁଁ ଏହିକ୍ଷଣି ଯାଇ ସେହି ତପସ୍ୱୀ ଦୁହିଁଙ୍କୁ ବଧ କରିବି l ଅକମ୍ପନ କହିଲା,ମହାରାଜ ସେ ଦୁହିଁଙ୍କୁ ବଳରେ ପାରିବା ବଡ଼ କଷ୍ଟ, କେବଳ ତାଙ୍କୁ ଛଳରେ ଜିତା ଯାଇ ପାରିବ,ତାର ଗୋଟିଏ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଅଛି, ତୁମେ ଯାଇ ସେ ଦିବ୍ୟ ସ୍ତ୍ରୀଟିକୁ ଘେନି ଆସ, ସେ ଆପେ ସ୍ତ୍ରୀ ବିରହରେ ପ୍ରାଣ ହାରିବ l କଥାଟା ରାବଣ ମନକୁ ପାଇଲା l ସେ କହିଲା, କାଲି ମୁଁ ଯାଇ ତା’ର ସ୍ତ୍ରୀକୁ ହରଣ କରି ଆଣିବି l
ପରଦିନ ରଥ ଚଳାଇ ରାବଣ ଯାଇ ଦଣ୍ଡକାରଣ୍ୟ ତାଡ଼କାସୁର ପୁତ୍ର ମାରିଚ ଆଶ୍ରମରେ ପହଞ୍ଚିଲା l ମାରିଚ ତାର ଯଥୋଚିତ ସତ୍କାର କରି ଆସିବାର କାରଣ ପଚାରିବାରୁ ରାବଣ କହିଲା,ଏ ବନରେ ଅବସ୍ଥାନ କରୁଥିବା ରାମ ମୋର ସୀମାନ୍ତ ରକ୍ଷା କରୁଥିବା ଜନସ୍ଥାନର ସବୁ ରାକ୍ଷସ ମାନଙ୍କୁ ମାରି ପକାଇଛି l ମୁଁ ତାହାର ଭାର୍ଯ୍ୟାକୁ ଅପହରଣ କରି ନେବାକୁ ଚାହେଁ l ତୁମେ ମୋତେ ସାହାଯ୍ୟ କର l ମାରିଚ କହିଲା, ତୁମକୁ ମିତ୍ର ରୂପୀ କୌଣସି ଶତ୍ରୁ ବୋଧହୁଏ ଏଭଳି ପରାମର୍ଶ ଦେଇଛି l ସେ ପୁଣି ରାମଙ୍କ ପ୍ରତାପ ବର୍ଣ୍ଣନା କରି କହିଲା, ମହାରାଜ ତୁମେ ଏ ରାକ୍ଷସକୁଳର ବିନାଶ ଚିନ୍ତା ଛାଡ଼ିଦେଇ ଲଙ୍କା ଫେରିଯାଇ ନିଜ ପତ୍ନୀମାନଙ୍କ ସହ ବିହାର ବିହାର କର l ମନରୁ ସୀତା ହରଣ କରିବା ଚିନ୍ତା ପରିହାର କର l ମାରିଚର ପରାମର୍ଶକୁ ମାନି ସେ ଲଙ୍କା ଫେରି ଆସିଲା l
ଏହି ସମୟରେ ରାକ୍ଷସମାନଙ୍କ ମୃତ୍ୟୁରେ ବ୍ୟଥିତ ଶୁର୍ପଣଖା ଯାଇ ରାବଣ ପାଖରେ ପହଞ୍ଚି ଦେଖିଲା ରାବଣ ପାରିଷଦମାନଙ୍କ ସହ ସ୍ବର୍ଣ୍ଣ ସିଂହାସନରେ ବସିଛି l ସେ ରାବଣକୁ କଟୁ ଭର୍ତ୍ସନା କରି କହିଲା ତୁ କାମ ବାସନାରେ ଲିପ୍ତ ରହି ଆରାମରେ କାଳ କାଟୁଛୁ l ଏପଟେ ଯେ ତୋର ବିନାଶ କାଳ ଆସି ଉପସ୍ଥିତ ହେଲାଣି ସେକଥା ତୁ ଜାଣିପାରୁ ନାହୁଁ l ଏକ ମାତ୍ର ରାମ ଦ୍ୱାରା ଖର, ଦୂଷଣ,ତ୍ରିଶିରା ସହ ଚଉଦହଜାର ରାକ୍ଷସ ନିହତ ହୋଇ ଜନସ୍ଥାନଟା ଖାଲି ହୋଇଯାଇଛି, ଏହା ତୋର ଧ୍ୟାନରେ ଅଛି ନା ନାହିଁ l ରାବଣ ଲଜ୍ଜିତ ଏବଂ ଉତ୍ତ୍ୟକ୍ତ ହୋଇ କହିଲା,ଏ ରାମ କିଏ,କିପରି ତାର ରୂପ, କିପରି ତା’ର ପରାକ୍ରମ l ଶୁର୍ପଣଖା ଏ ପ୍ରଶ୍ନ ଶୁଣି ରାମ, ଲକ୍ଷ୍ମଣଙ୍କ ବିଷୟରେ ସବୁ କଥା କହିଗଲା l ପୁଣି କହିଲା,ମୁଁ ଖାଲି ନାରୀଟିଏ ବୋଲି ମୋତେ ବଧ ନକରି ଏପରି ବିରୂପ କରି ଛାଡ଼ି ଦେଇଛି l ଆଉ ଶୁଣ,ତାର ଗୋଟିଏ ତପ୍ତ କାଞ୍ଚନ ବର୍ଣ୍ଣର ସ୍ତ୍ରୀଟିଏ ଅଛି l ସେ କେବଳ ତୋରି ଭାର୍ଯ୍ୟା ଯୋଗ୍ୟ l ମୁଁ ସେଥିପାଇଁ ତାକୁ ଯେତେ ବେଳେ ହରଣ କରିବା ପାଇଁ ଚେଷ୍ଟା କଲି, ଲକ୍ଷ୍ମଣ ମୋର ଏହି ଦୁର୍ଦ୍ଦଶା କରିଛି l ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ ଓ ସେହି ରାମ,ଲକ୍ଷ୍ମଣ ଦୁହିଁଙ୍କୁ ସଂହାର କରି ତୋ ଭୋଗ୍ୟ ଯୋଗ୍ୟା ସେହି ସୀତାକୁ ଆଣି ଭୋଗ କର l
ରାବଣ ଶୁର୍ପଣଖାର ଏକଥାରେ ପ୍ରଭାବିତ ହୋଇ ପୁଣି ଯାଇ ମାରିଚ ପାଖରେ ପହଞ୍ଚିଲା ଓ କହିଲା ବତ୍ସ ମାରିଚ ! ମୁଁ ଏବେ ଘୋର ସଙ୍କଟରେ,ତୁମେ ହିଁ କେବଳ ମୋତେ ରକ୍ଷା କରି ପାରିବ l ରାକ୍ଷସ ମାନଙ୍କର ନିଧନ ଏବଂ ମୋ ଭଉଣୀ ଶୁର୍ପଣଖାର ନାସା କର୍ଣ୍ଣ ଚ୍ଛେଦନର ପ୍ରତିଶୋଧ ନେବା ପାଇଁ ମୁଁ ସୀତା ହରଣ କରିବାକୁ ସ୍ଥିର କରିଛି l ତୁମେ ଖୁବ ଚତୁର ଓ ମାୟାବୀ l ତୁମେ ମାୟା ବଳରେ ଏକ ସ୍ବର୍ଣ୍ଣ ମୃଗ ହୋଇ ତାଙ୍କ ନିବାସ ସେହି ପର୍ଣ୍ଣକୁଟୀ ସାମ୍ନାରେ ବିଚରଣ କର l ତୁମକୁ ଦେଖି, ନିଶ୍ଚୟ ସୀତା ତାର ସ୍ୱାମୀ ଏବଂ ଲକ୍ଷ୍ମଣଙ୍କୁ ଧରି ଆଣିବା ପାଇଁ କହିବ l ସେମାନେ ତୁମକୁ ଧରିବାକୁ ଚାଲି ଯାଇଥିବା ଅବସରରେ ମୁଁ ସୀତାଙ୍କୁ ଧରି ଆଣିବି ଓ ତାହା ପରେ ପତ୍ନୀ ବିୟୋଗରେ ବ୍ୟଥିତ ଏବଂ ଦୁର୍ବଳ ସେହି ରାମକୁ ମୁଁ ଅନାୟାସରେ କବଳିତ କରି ପାରିବି l
ଏହାଶୁଣି ମାରିଚ କହିଲା,ହେ ଦଶଶିର ସେ ସିନା ମନୁଷ୍ୟ ଶରୀର ଧରିଛନ୍ତି,କିନ୍ତୁ ସେ ହେଉଛନ୍ତି ଏ ଚରାଚର ଜଗତର ସ୍ୱାମୀ l ତାଙ୍କ ସହିତ ଶତ୍ରୁତା ଆଚରଣ କରନାହିଁ l ସମସ୍ତ ଜୀବନମୃତ୍ୟୁ ତାଙ୍କ ହାତରେ l ସେ ରାଜ କୁମାର ଦୁହେଁ ଏକଦା ମୁନି ବିଶ୍ଵାମିତ୍ରଙ୍କ ଯଜ୍ଞ ରକ୍ଷା କରିବାପାଇଁ ଯାଇଥିଲେ, ରଘୁନାଥ ମୋ ଉପରକୁ ଏକ ମୁନ ନଥିବା ବାଣ ମାରିଲେ l ସେହି ବାଣ ମାଡ଼ରେ ମୁଁ ଯାଇ ଶହେ ଯୋଜନ ଦୂରରେ ପଡ଼ି ଥିଲି l ତାଡ଼କା, ସୁବାହୁ ଭଳି ଭୟଙ୍କର ଅସୁରଙ୍କୁ ଯିଏ ମାରି ପକାଇଲେ, ଶିବଧନୁ ଯିଏ ଭାଙ୍ଗିଦେଲେ,ଖର ଦୂଷଣ ତ୍ରିଶିରା ଆଦି ରାକ୍ଷସଙ୍କୁ ଯିଏ ମାରି ଦେଲେ, ସିଏ କଅଣ କେବେ ମନୁଷ୍ୟ ହୋଇ ପାରନ୍ତି l କୁଳର ମଙ୍ଗଳ ଚାହାଁନ୍ତି ତ ଆପଣ ଏଥିରୁ ବିରତ ରୁହନ୍ତୁ l
ଏକଥା ଶୁଣି ରାବଣ ଭୀଷଣ ରାଗିଯାଇ କହିଲା, “ଆରେ ମୂର୍ଖ ! ତୁ କ’ଣ ମୋତେ ଗୁରୁ ପରି ଜ୍ଞାନ ଶିଖାଉଛୁ l ମୋ ପରି ବୀର ଏ ସଂସାରରେ କିଏ ଅଛି କହିଲୁ ଭଲା l”
ଗୁରୁ ଜିମି ମୁଢ଼ କରସି ମମ ବୋଧା l
କହୁ ଜଗ ମୋହି ସମାନ କୋ ଯୋଦ୍ଧା ll
ମାରିଚ ଦେଖିଲା ରାବଣର କଥା ମାନିଲେ ବିପଦ ଓ ନ ମାନିଲେ ମଧ୍ୟ ବିପଦ l ସେ ଶ୍ରୀରଘୁନାଥଙ୍କ ବାଣରେ ମରିବାକୁ ହିଁ ଶ୍ରେୟ ମନେ କଲା l ଏହା ଭାବି ସେ ରାବଣ ସହ ଚାଲିଲା l ମନରେ ତା’ର ଆନନ୍ଦ ସେ ଆଜି ଶ୍ରୀରଘୁନାଥଙ୍କୁ ଦର୍ଶନ କରିବ l ଭାବୁଥାଏ ଆହା ଆଜି ମୋର କେଡ଼େ ସୌଭାଗ୍ୟ, ଆନନ୍ଦ ସାଗର ପ୍ରଭୁ ମୋତେ ନିଜ ହାତରେ ବଧ କରି ମୋକ୍ଷ ଦେବେ l ଯେଉଁଠାରେ ଶ୍ରୀରାମ ରହୁ ଥିଲେ ସେଠାରେ ମାରିଚ ଓ ରାବଣ ଦୁହେଁ ପହଞ୍ଚି ଗଲେ l ମାରିଚ ତତ୍କ୍ଷଣାତ ଗୋଟିଏ ମୃଗ ଶରୀର ଧାରଣ କଲା l ସେହି ଚିତ୍ରିତ ବିଚିତ୍ର ମାୟାମୃଗର ଶରୀର ଥିଲା ସୁବର୍ଣ୍ଣର, ସେଥିରେ ଖଚିତ ହୋଇ ଥିଲା ବିଭିନ୍ନ ପ୍ରକାର ମଣି l ସେହି ଚିତ୍ରିତ ମୃଗଟି ସୀତାଙ୍କୁ ପ୍ରଲୋଭିତ କରିବା ପାଇଁ ପଞ୍ଚବଟୀର ସେହି ପର୍ଣ୍ଣକୁଟୀର ସମ୍ମୁଖରେ କଅଁଳ ଘାସ ଚରି ଚରି ବିଚରଣ କରିବାକୁ ଲାଗିଲା l
ମାଆ ଜାନକୀ ଫୁଲ ତୋଳୁଥିଲେ l ସେ ରତ୍ନମୟ ମୃଗଟିକୁ ଦେଖି ସେ ଖୁବ ବିସ୍ମିତ ହେଲେ l ମୃଗକୁ ଦେଖିବାପାଇଁ ସେ ଶ୍ରୀରାମ ଓ ଦେବର ଲକ୍ଷ୍ମଣଙ୍କୁ ଡାକ ପକାଇଲେ l ସେଠାରେ ପହଞ୍ଚି ଲକ୍ଷ୍ମଣ ସେ ମୃଗକୁ ଦେଖି କହିଲେ ଏପରି ମୃଗ ଏ ଜଗତରେ କେଉଁଠି ହେଲେ ନାହିଁ l ଏହା ମୃଗ ନୁହେଁ, ଏହା ନିଶ୍ଚୟ କୌଣସି ମାୟାବୀର ମାୟା l ମା’ ସୀତା ଲକ୍ଷ୍ମଣଙ୍କୁ ବାଧା ଦେଇ କହିଲେ,ଏହି ହେମମୟ ମୃଗ ମୋର ମନହରଣ କରୁଛି l ହେ ଆର୍ଯ୍ୟପୁତ୍ର, ସେହି ମୃଗଟିକୁ ଜୀବନ୍ତ ଧରି ଆଣନ୍ତୁ, ସେ ଆମ ଆଶ୍ରମରେ ରହି କ୍ରୀଡ଼ାକରିବ,ବନବାସରୁ ଫେରି ଗଲେ ସେ ଆମ ଅନ୍ତଃପୁର ମଣ୍ଡନ କରିବ l ଏହି ମୃଗ ଜୀବିତାବସ୍ଥାରେ ଯଦି ଧରାନପଡ଼େ ତେବେ ତାର ଚର୍ମଟି ଆଣି ଦିଅନ୍ତୁ,ତାକୁ କୁଶାସନ ପରେ ବିଛାଇ ମୁଁ ଉପାସନା କରିବି l
ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ,ଲକ୍ଷ୍ମଣ ଏହି ମୃଗପ୍ରତି ଜାନକୀଙ୍କ ଅତ୍ୟନ୍ତ ସ୍ପୃହା ହୋଇଛି l ତୁମର କଥା ଯଦି ସତ୍ୟ ହୁଏ ତେବେ ଏହି ମାୟାବୀ ରାକ୍ଷସକୁ ନାଶ କରିବା ମଧ୍ୟ ଆମର କର୍ତ୍ତବ୍ୟ l ମୁଁ ଚାଲିଲି, ହୁଏତ ଏହାକୁ ଧରିଆଣିବି ନଚେତ ଏହାର ନାଶ ହେବ l ତୁମେ ସୀତାଙ୍କ ସହ ଆଶ୍ରମରେ ସତର୍କ ରହିଥାଅ l
ଶ୍ରୀରାମ ଧନୁ ତୁଣୀର ଧରି ବାହାରି ଗଲେ l ରାମ ଆସୁଥିବା ଦେଖି ମାୟାବୀ ରାକ୍ଷସ ମାରିଚ କ୍ଷଣେ ଅନ୍ତର୍ହିତ ହୋଇ, ପୁଣି ତାଙ୍କ ସାମ୍ନାକୁ ଆସି ଯାଉ ଥାଏ l ଏହି ପରି ଲୁଚକାଳି ଖେଳି ଖେଳି ମାରିଚ ଶ୍ରୀରାମଙ୍କୁ ଆଶ୍ରମ ଠାରୁ ବହୁଦୂର ନେଇ ଗଲା l ଏହି ଦୃଶ୍ୟକୁ ଚିତ୍ତାକର୍ଷକ ଭାବେ କବି ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣରେ ବର୍ଣ୍ଣନା କଲେ :-
ହେମ ହରିଣୀ,
ଧୀରେ ଧାମନ୍ତେ ସୁନ୍ଦର ଧରଣୀ l
ଧରୁ ଧରୁ କରୁ ମୃଗ ପଳାବନ୍ତେ
ଗୋଡ଼ାଇଛନ୍ତି ରଘୁମଣି ll
ରାମ କ୍ଲାନ୍ତ ହୋଇ ପଡ଼ିଥାନ୍ତି l ସେ ବୃକ୍ଷଛାୟାରେ ଛିଡ଼ା ହୋଇଥାନ୍ତି l ଏହି ସମୟରେ ମୃଗଟି ପୁନଃ ଦୃଶ୍ୟ ହେବାରୁ ସେ ତୁଣୀରରୁ ଏକ ଦୀପ୍ତ ବାଣକୁ ଆଣି ଧନୁରେ ଯୋଖି ଆକର୍ଣ୍ଣ ଆକର୍ଷଣ କରି ମୃଗ ଉପରକୁ ଛାଡ଼ି ଦେଲେ l ସେହି ଅଗ୍ନିମୟ ବାଣଟି ମୃଗରୂପୀ ମାରିଚର ବକ୍ଷସ୍ଥଳ ଭେଦ କଲା l ସେ ରାବଣ କହିଥିବା ଅନୁଯାୟୀ ରାମଙ୍କ କଣ୍ଠସ୍ୱରକୁ ଅନୁକରଣ ପୂର୍ବକ ଚିତ୍କାର କଲା, ହା ସୀତା ! ହା ଲକ୍ଷ୍ମଣ ! ଏମିତି ଚିତ୍କାର କରି କରି ମାରିଚ ପ୍ରାଣ ତ୍ୟାଗ କଲା l ରାମ ତାର ରାକ୍ଷସ କାୟାକୁ ଦେଖି କହିଲେ ଲକ୍ଷ୍ମଣ ଏ ମାୟାବୀ ରାକ୍ଷସକୁ ଠିକ ଚିହ୍ନି ପାରିଥିଲା l
ରାମଙ୍କ ସ୍ୱରପରି ସେ ଆର୍ତ୍ତ ଚିତ୍କାର ଶୁଣି ଜାନକୀ କହିଲେ,ଲକ୍ଷ୍ମଣ ତୁମେ ଶୀଘ୍ର ଯାଇ ଦେଖ ରାମଙ୍କୁ କି ବିପତ୍ତି ପଡ଼ିଲା l ରାମଙ୍କ ଦ୍ୱାରା ଆଦିଷ୍ଟ ହୋଇ ଥିବା ଲକ୍ଷ୍ମଣ ଆଶ୍ରମ ଛାଡ଼ି ଗଲେ ନାହିଁ l ଜାନକୀ କ୍ରୋଧରେ ଜ୍ଞାନ ଶୂନ୍ୟ ହୋଇ କହିଲେ,ସୌମିତ୍ରୀ, ତୁମେ ତୁମର ଭାଇଙ୍କର ମିତ୍ର ରୂପୀ ଶତ୍ରୁ l ଏଥର ମୁଁ ବୁଝିଲି ତୁମର ମୋ ପ୍ରତି ମନ୍ଦ ଉଦ୍ଦେଶ୍ୟ ଅଛି ଓ ତୁମେ ଶ୍ରୀରାମଙ୍କ ବିନାଶ ଚାହୁଁଛ l ନହେଲେ ତାଙ୍କର ସଙ୍କଟ ପଡ଼ିଥିବା ବେଳେ ତୁମେ ଯାଉନା କାହିଁକି? ଲକ୍ଷ୍ମଣ କହିଲେ ଦେବୀ ତୁମର ଏଭଳି କହିବା ଅନୁଚିତ l ମୁଁ ଜାଣେ, ମୋ ଭାଇ ରାମଙ୍କୁ ଏହି ତ୍ରିଭବନରେ କେହି ପରାସ୍ତ କଲାଭଳି ବୀର ନାହାଁନ୍ତି l ଯାହା ଘଟୁଛି ଏ ସବୁ ଆସୁରୀ ମାୟା l ତୁମେ ସ୍ଥିର ହୁଅ l ମୋ ଦାୟିତ୍ୱରେ ତୁମକୁ ଭାଇ ଯେତେ ବେଳେ ଛାଡ଼ି ଯାଇଛନ୍ତି,ତୁମକୁ ଛାଡ଼ି ମୁଁ କିପରି ଯିବି l ଜାନକୀ ଆହୁରି କ୍ରୁଦ୍ଧ ହୋଇ ତାଙ୍କୁ ଭର୍ତ୍ସନା କରି,ତୁମେ ଅନାର୍ଯ୍ୟ,ନୃଶଂସ,କୁଳକଳଙ୍କ, ଭାଇର ବିନାଶ ତୁମର କାମ୍ୟ,ଇତ୍ୟାଦି କହିଲେ l ପୁଣି କହିଲେ, ଜାଣିରଖ, ତୁମ ଉଦ୍ଦେଶ୍ୟ ସଫଳ ହେବ ନାହିଁ l ମୁଁ ତୁମ ସମ୍ମୁଖରେ ଏହିକ୍ଷଣୀ ପ୍ରାଣ ତ୍ୟାଗ କରିବି l ଏହି ପରି ବହୁ ମର୍ମଭେଦି ବଚନ ଶୁଣି ଲକ୍ଷ୍ମଣଙ୍କ ମନ ଚଞ୍ଚଳ ହୋଇ ଉଠିଲା l ସେ ସୀତାଙ୍କ ଦାୟିତ୍ୱ ବନ ଦେବତା, ଦିଗପାଳମାନଙ୍କୁ ସମର୍ପି ଦେଇ ବାହାରି ଗଲେ l
ମରମ ବଚନ ଜବ ସୀତା ବୋଲା l
ହରି ପ୍ରେରିତ ଲଛିମନ ମନ ଡୋଲା ll
ଲକ୍ଷ୍ମଣ ଚାଲିଯିବା ପରେ ଚାରି ଆଡ଼େ ଶୂନସାନ ଦେଖି ରାବଣ ଯତିବେଶ ଧରି ସୀତାଙ୍କ ନିକଟକୁ ଚାଲି ଆସିଲା l କୁମାର୍ଗରେ ପାଦ ଥାପିଲେ ବ୍ୟକ୍ତି ତାର ତେଜ, ବୁଦ୍ଧି, ବଳ ହରାଇ ବସେ l ରାବଣ ଠିକ ସେହିପରି ସୀତା ଚୋରାଇବାକୁ ଯାଉଥିବା ବେଳେ ଇଆଡ଼େ ସିଆଡ଼େ କୁକୁରଭଳି ଚାହୁଁଥାଏ, କାଳେ କିଏ ଆସିଯିବ କି ! ଯତିବେଶଧାରୀ ଦଶ ଶିର ବହୁ ମିଠା ମିଠା ବାକ୍ୟ କହି ସୀତାଙ୍କୁ ବହୁ ଭୟ ଓ ପ୍ରେମ ଦେଖାଇଲା l ଜାନକୀ କହିଲେ, ହେ ଯତିବର!ତୁମେ ଏଭଳି ଦୁଷ୍ଟଙ୍କ ପରିକା କଥା କଣ ସବୁ କହୁଛ l ଏହାଶୁଣି ରାବଣ ନିଜ ପ୍ରକୃତ ରୂପ ଦେଖାଇ ନାଆଁଟି ମଧ୍ୟ କହି ଦେଲା l ମାଆ ତାକୁ ଦେଖି ଥରି ଉଠିଲେ,ଧୈର୍ଯ୍ୟ ଧରି କହିଲେ, ରେ ଦୁଷ୍ଟ, ରହ, ପ୍ରଭୁ ଏହିକ୍ଷଣି ଆସି ଯାଉଛନ୍ତି l
ରାବଣ କ୍ରୋଧିତହୋଇ ସୀତାଙ୍କୁ ଧରି ନେଇ ତା ରଥ ଉପରେ ବସାଇ ଦେଲା ଓ ତର ତର ହୋଇ ଆକାଶ ମାର୍ଗରେ ଦକ୍ଷିଣ ଦିଗକୁ ଲଙ୍କା ଅଭିମୁଖେ ତୀବ୍ର ବେଗରେ ରଥ ଉଡ଼ାଇଦେଲା l ମାଆଙ୍କ ଏ ଦଶା ଦେଖିବାକୁ ପାଖରେ କେହି ନଥାନ୍ତି,ବ୍ୟାଧର ଜାଲ ମଧ୍ୟରେ ହରିଣୀ ପଡ଼ିଥିବା ଭଳି ମା ‘ ସୀତା ବସି ଗିରି,ପର୍ବତ,ଲତା,କାନନଙ୍କୁ ତାଙ୍କର ଦୁଃଖ ଜଣାଉଥାନ୍ତି l ମାଆ ବିଳାପ କରି କହୁଥାନ୍ତି,ହା ! ଜଗତର ସ୍ୱାମୀ,କେଉଁ ଅପରାଧରୁ ମୁଁ ଆପଣଙ୍କ ଦୟାରୁ ଅନ୍ତର ହେଲି l
ହା ଜଗ ଏକ ବୀର ରଘୁରାୟା l
କେହିଁ ଅପରାଧ ବିସାରେହୁ ଦାୟା ll
ଆରତୀ ହରନ ଶରନ ସୁଖଦାୟକ l
ହା ରଘୁକୁଲ ସରୋଜ ଦିନନାୟକ ll
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.