ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପରେ ରାଇରଙ୍ଗପୁର ଜିଲ୍ଲା ପାଇଁ ଜୋର ଧରୁଛି ଦାବି

ପଦ୍ମପୁର ଜିଲ୍ଲା ଗଠନ ଘୋଷଣା ପରେ ରାଇରଙ୍ଗପୁର ଜିଲ୍ଲା ପାଇଁ ଜୋର ଧରୁଛି ଦାବି

ରାଇରଙ୍ଗପୁର: ବର୍ଷେ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା ପାଇଁ ବହୁବର୍ଷ ପୂର୍ବରୁ ଦାବି ହୋଇ ଆସୁଥିଲେ ମଧ୍ୟ ରାଇରଙ୍ଗପୁର ଜିଲ୍ଲା ଘୋଷଣା ସବୁଜ ସଙ୍କେତ ମିଳୁନି।

ସୂଚନା ଅନୁଯାୟୀ, ବାମନଘାଟୀ ଉପଖଣ୍ଡର ତିରିଂ, ଜାମଦା, ବହଳଦା, କୁସୁମୀ, ରାଇରଙ୍ଗପୁର, ବିଶୋଇ, ବିଜାତ ପ୍ରଭୃତି ବ୍ଲକ ଠାରୁ ବର୍ତମାନର ଜିଲ୍ଲା ମୁଖ୍ୟାଳୟ ବାରିପଦାକୁ ଦୂରତା ୧୦୦ କିମିରୁ ଅଧିକ ହେଉଛି। ଯାହାଫଳରେ ଜନସାଧାରଣ କୌଣସି କାମରେ ଜିଲ୍ଲ୍ୟା ମୁଖ୍ୟ କାର୍ଯ୍ୟାଳୟ ଗୁଡିକୁ ଗଲେ ଗୋଟିଏ ଦିନରୁ ଅଧିକ ସମୟ ବିତି ଯାଉଛି। ଏହାବ୍ୟତିତ ଅଧରାସ୍ତାରେ ପଡେ ବିଶାଳ ଓ ବିପଦଜନକ ଦ୍ୱାରଶୁଣୀ ଘାଟୀ ରାସ୍ତା। ସେଠାରେ ଅଧିକାଂଶ ସମୟରେ ଦୂର୍ଘଟଣା ଘଟୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥାଏ। ଫଳରେ ବାମନଘାଟୀ ବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ରାଇରଙ୍ଗପୁରକୁ ଜିଲ୍ଲା ଗଠନ କରାଯାଉ ବୋଲି ଦାବି ହୋଇଆସୁଛି, କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି।

ରାଇରଙ୍ଗପୁରଠାରୁ ପଦ୍ମପୁର ଭୌଗଳିକ ଦୃଷ୍ଟିରୁ ବହୁତ ଛୋଟ। ପଦ୍ମପୁର ଜିଲ୍ଲା ଗଠନ ମାତ୍ର ୩ଟି ବ୍ଲକରେ ହେଉଥିବା ବେଳେ, ରାଇରଙ୍ଗପୁର ଜିଲ୍ଲା ପାଇଁ ୭ଟି ବ୍ଲକ ଓ ଗୋଟିଏ ପୌରପରିଷଦ ଥିଲେ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସବୁଜ ସଙ୍କେତ ମିଳୁନି। ପଦ୍ମପୁରକୁ ବର୍ଷେ ମଧ୍ୟରେ ଜିଲ୍ଲା ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ତେବେ ଏ ନେଇ ଗତ ୧୦ ଫେବ୍ରୁଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂବନେଶ୍ୱର ଗସ୍ତରେ ଆସିଥିବା ସମୟରେ ରାଇରଙ୍ଗପୁରର ଏକ ପ୍ରତିନିଧି ଦଳ ଜିଲ୍ଲା ଗଠନ ପାଇଁ ଦାବି କରିଛନ୍ତି।

ତେବେ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଏମାନେ କ’ଣ କହୁଛନ୍ତି-?

୧- ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ବାରିପଦାରେ ରହିଛି। ଏହି ଅଞ୍ଚଳର ଜନସାଧାରଣ କୌଣସି କାର୍ଯ୍ୟରେ ବାରିପଦାକୁ ଗଲେ ଗୋଟିଏ ଦିନରେ ଫେରି ପାରନ୍ତି ନାହିଁ। ଏହା ବ୍ୟତିତ ବିଭିନ୍ନ କାମରେ ଏହି ଅଞ୍ଚଳର ଗରିବ ଜନସାଧାରଣ ମାନେ ବାରିପଦାକୁ ବହୁ ହନ୍ତସନ୍ତ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି। ଏହା ବ୍ୟତିତ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ଓ ମେଡିକାଲ କଲେଜ ବ୍ୟତିତ ସମସ୍ତ କାର୍ଯ୍ୟାଳୟ ବାରିପଦାରେ ରହିଛି। ତେବେ ଉତ୍ତମ ଚିକିତ୍ସା ପାଇଁ ସମସ୍ତେ ବାଧ୍ୟ ହୋଇ ବାରିପଦାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏଣୁ ରାଇରଙ୍ଗପୁରକୁ ଜିଲ୍ଲା କରାଗଲେ ଅଞ୍ଚଳବାସୀ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ। ଯଦି ପଦ୍ମପୁର ଜିଲ୍ଲା ଗଠନ ମାତ୍ର ୩ଟି ବ୍ଲକ ଥାଇ ହୋଇପାରୁଛି ତା’ହେଲେ ରାଇରଙ୍ଗପୁର ଜିଲ୍ଲାପାଇଁ ୭ଟି ବ୍ଲକ ଓ ଗୋଟିଏ ମୁନିସିପାଲଟି ଥାଇ ମଧ୍ୟ କାହିଁକି ଜିଲ୍ଲା ହୋଇପାରୁନି। ନିର୍ବାଚନରେ ପ୍ରଲୋଭନ ଦେଖାଇ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଯଥାଶୀଘ୍ର ରାଇରଙ୍ଗପୁରକୁ ମଧ୍ୟ ଜିଲ୍ଲା ଘୋଷଣା କରାଯାଉ ବୋଲି କହିଛନ୍ତି ନବୀନ କୁମାର ରାମ ରାଜ୍ୟ ସମ୍ପାଦକ, ବିଜେପି ରାଇରଙ୍ଗପୁର।

୨- ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବିକୁ ବିଜୁ ଜନତା ଦଳ ସପକ୍ଷରେ ଅଛି। ତେବେ ଏନେଇ ଦଳ ପକ୍ଷରୁ ମଧ୍ୟ ବହୁବାର ଆଲୋଚନା ହୋଇଛି। ତେବେ ଖୁବଶୀଘ୍ର ରାଇରଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଦଳର ସଭାପତିଙ୍କୁ ଭେଟି ରାଇରଙ୍ଗପୁର ଜିଲ୍ଲା ଘୋଷଣା ପାଇଁ ଦାବି କରିବୁ। ଆମେ ଆଶାବାଦୀ ଅଛୁ ଖୁବଶିଘ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସବୁଜ ସଙ୍କେତ ମିଳିବ। ମୂଖ୍ୟମନ୍ତ୍ରୀ ନୂତନ ଜିଲ୍ଲା ପାଇଁ ନିରାଶ କରିବେ ନାହିଁ ବୋଲି କହିଛନ୍ତି କାଶିନାଥ ହେମ୍ବ୍ରମ ମୟୂରଭଞ୍ଜ ସଦର ଜିଲ୍ଲା ସଭାପତି।

୩- ଓଡିଶାର ସବୁଠାରୁ ବଡଜିଲ୍ଲା ମୟୂରଭଞ୍ଜ ଜିଲ୍ଲା। ଭୌଗଳିକ, ଆୟତନ ଓ ଜନସଂଖ୍ୟା ଦୃଷ୍ଟିକୋଣରୁ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଅବିଳମ୍ବେ ଲୋକାଭିମୁଖୀ ପ୍ରଶାସନ ଯୋଗାଇବା ପାଇଁ ରାଇରଙ୍ଗପୁରର ୭ଟି ବ୍ଲକ ଓ ଗୋଟିଏ ମୁନିସିପାଲଟିକୁ ନେଇ ନୂତନ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରନ୍ତୁ। ଯଦି ପଦ୍ମପୁର ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ସବୁଥିରେ କମ ଥିଲେ ମଧ୍ୟ ହୋଇପାରୁଛି ତାହେଲେ ରାଇରଙ୍ଗପୁର କାହିିଁକି ଜିଲ୍ଲା ନହେବ ବୋଲି କହିଛନ୍ତି ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତି।

୪- ରାଇରଙ୍ଗପୁର ଜିଲ୍ଲା ଦାବି ଦୀର୍ଘବର୍ଷର ଦାବି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ ଜିଲ୍ଲାରୁ ୩୦ ଜିଲ୍ଲା ଗଠନ କରିବା ସମୟରେ ରାଇରଙ୍ଗପୁର ଜିଲ୍ଲା ତାଲିକାରେ ପ୍ରଥମରେ ହିଁ ଥିଲା। ତେବେ ବର୍ତ୍ତମାନ ୭ଟି ବ୍ଲକ ଓ ଗୋତିଏ ମୁନିସିପାଲଟି ଅଛି। ଅନ୍ୟ ଛୋଟ ଛୋଟ ଜିଲ୍ଲା ତୁଳନାରେ ରାଇରଙ୍ଗପୁର ବହୁତ ବଡ। ଏଣୁ ରାଇରଙ୍ଗପୁର ଜିଲ୍ଲା ହେବା ଜରୁରୀ।

Comments are closed.