ମାଲକାନଗିରି-ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ: କ୍ଷତିପୂରଣରେ ପାତରଅନ୍ତର ନେଇ ବିଜେଡିର କ୍ଷୋଭ, ଜୟପୁର ଚାଷୀଙ୍କୁ ଉଚିତ ନ୍ୟାୟ ଦାବିରେ ମଙ୍ଗଳବାର ୪ ତହସିଲରେ ବିଜେଡି ଦେବ ସ୍ମାରକ ପତ୍ର

0

ଜୟପୁର,୨୬/୭(ଏ.ଭେଙ୍କଟ ରାଓ): ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର ରେଳ ପ୍ରକଳ୍ପକୁ ସ୍ଥାନୀୟ ଜନସାଧାରଣ ଓ ନେତୃବୃନ୍ଦ ସ୍ବାଗତ କରିଛନ୍ତି। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ସ୍ବପ୍ନର ପ୍ରକଳ୍ପ ଦ୍ୱାରା ଅଞ୍ଚଳରେ ରେଳ ସଂଯୋଗ ବୃଦ୍ଧି ପାଇବା ସହ ବିକାଶ ଆଶା କରାଯାଉଛି। ମାତ୍ର ଏହି ପ୍ରକଳ୍ପ ପାଇଁ ଜମି ହରାଉଥିବା ସାଧାରଣ ଚାଷୀଙ୍କ କ୍ଷତିପୂରଣ ଦାବିକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହେବା ନେଇ ବିଜେଡି ପକ୍ଷରୁ ରବିବାର ସ୍ଥାନୀୟ ହୋଟେଲରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ କହିଥିଲେ ଜୟପୁର, କୁନ୍ଦୁରା, ବୈପାରୀଗୁଡ଼ା ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ଅଞ୍ଚଳର ପାଖାପାଖି ପ୍ରାୟ ୧୦୦୦ ଚାଷୀ ଏହି ପ୍ରକଳ୍ପ ଯୋଗୁଁ ନିଜର ଜମି ହରାଉଛନ୍ତି। ସରକାରୀ ନିୟମ ଅନୁଯାୟୀ ଜମି ହରାଉଥିବା ବ୍ୟକ୍ତିଙ୍କୁ ଉଚିତ କ୍ଷତିପୂରଣ ମିଳିବା ବାଧ୍ୟତାମୂଳକ।

ରିପୋର୍ଟ ଅନୁସାରେ, ନବରଙ୍ଗପୁର ଅଞ୍ଚଳରେ ଚାଷୀମାନଙ୍କୁ ଏକର ପ୍ରତି ୩ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିଥିବା ବେଳେ ଜୟପୁର, ବୋରିଗୁମ୍ମା ଓ ପାଖାପାଖି ଅଞ୍ଚଳର ଚାଷୀମାନଙ୍କୁ ୩ ଲକ୍ଷ ଟଙ୍କା ବି ମିଳୁନାହିଁ ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଥିଲେ। ଏହି ସମ୍ପୂର୍ଣ୍ଣ ପାତର ଅନ୍ତର ନୀତି ପାଇଁ ଜିଲ୍ଲା ପ୍ରଶାସନ ଓ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଦାୟୀ କରାଯାଇଛି। ଭାରତ ସରକାରଙ୍କ ଜମି ଅଧିଗ୍ରହଣ ଆଇନ ଅନୁସାରେ ଯଦି କୌଣସି ଗ୍ରାମାଞ୍ଚଳରେ ବେଞ୍ଚମାର୍କ ମୂଲ୍ୟ କମ୍ ଥାଏ, ତେବେ ନିକଟସ୍ଥ ମୌଜା କିମ୍ବା ସହରାଞ୍ଚଳ (ଜୟପୁର/ବୋରିଗୁମ୍ମା ସହର)ର ମୂଲ୍ୟାୟନକୁ ଆଧାର କରି କ୍ଷତିପୂରଣ ସ୍ଥିର କରାଯିବା କଥା। ଯେଉଁ ଚାଷୀମାନେ ଅର୍ଥ ଗ୍ରହଣ କରିସାରିଛନ୍ତି କିମ୍ବା ଯେଉଁମାନେ ଏ ପର୍ଯ୍ୟନ୍ତ ପାଇନାହାନ୍ତି, ସମସ୍ତଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବିଚାର କରି ନବରଙ୍ଗପୁର ଭଳି ଜୟପୁର ଉପଖଣ୍ଡରେ ମଧ୍ୟ ଉଚ୍ଚ ହାରରେ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।
ଆସନ୍ତା ଜୁଲାଇ ୨୯ ତାରିଖ ବୁଧବାର ଦିନ ୧୦:୦୯ ଘଣ୍ଟା ସମୟରେ ଜୟପୁର, ବୋରିଗୁମ୍ମା, ତହସିଲଦାର ଅର୍ଥାତ୍ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଏ ସମ୍ପର୍କରେ ସ୍ମାରକ ପତ୍ର ଦିଆଯିବ। ଏହା ସହ ବିଜେଡି ପକ୍ଷରୁ ଏକ ପ୍ରତିନିଧି ସମେତ ରାଜ୍ୟପାଳଙ୍କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ବିଷୟରେ ଅବଗତ କରାଯିବ।

Leave A Reply

Your email address will not be published.