ଭୁବନେଶ୍ୱର: ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ‘ମକା ମିସନ’ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମକା ମିସନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି।
ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହା ସହିତ ଏଫ.ପି.ଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ହୋଇଛି। ଓର୍ମାସ୍ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବ ଏବଂ ଏଥି ମଧ୍ୟରୁ ୧୩ଟି ଗଠିତ ହୋଇସାରିଛି। କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି। ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମକା ମିସନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି। ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି।
ସେହିପରି ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ମିଳିଥିବା ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍ ଗ୍ରାସ ଚାଷୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନୁଯାୟୀ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା। ଯାହାଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ। କୋରାପୁଟରେ ଲେମନ୍ ଗ୍ରାସ୍ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଉଦ୍ୟାନକୃଷି ମିସନ ପ୍ଲସ ଅଧିନରେ ୮୪ ହଜାର ଟଙ୍କା ଏବଂ ଏନ୍ଏଚ୍ଏମ୍ରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତି ହୋଇଥିଲା।
ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତାଗୁଡିକୁ ୨୬ ଜାନୁଆରି ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ।
Comments are closed.