ମହନୀୟ ଚରିତ୍ର ଭରତ 

ମହାକାବ୍ୟ ରାମାୟଣରେ ଭରତ ଏକ ମହନୀୟ ଚରିତ୍ର l ଶ୍ରୀରାମଙ୍କ ପ୍ରତି ଲକ୍ଷ୍ମଣଙ୍କର ଭକ୍ତି ଥିଲା, ସଗୁଣ କିନ୍ତୁ ଭରତଙ୍କ ଭକ୍ତି ଥିଲା ନିର୍ଗୁଣ l ଲକ୍ଷ୍ମଣ ପ୍ରଭୁ ରାମଙ୍କ ପାଖେ ପାଖେ ରହି ସେବା କରିଛନ୍ତି ମାତ୍ର ଭରତଙ୍କୁ ସେ ସୁଯୋଗ ପ୍ରାପ୍ତ ହୋଇ ନାହିଁ l କିନ୍ତୁ ସେ ମଧ୍ୟ ଲକ୍ଷ୍ମଣଙ୍କ ପରି ଥିଲେ ରାମଗତ ଓ ରାମ ସମର୍ପିତ ପ୍ରାଣ l କୈକେୟୀଙ୍କ ଚକ୍ରାନ୍ତରେ ରାମ,ସୀତା ଓ ଲକ୍ଷ୍ମଣ ବାହାରି ଯାଇଛନ୍ତି ବନ ବାସରେ l ରାଜା ହେବେ ଭରତ l ଡାକରା ପାଇ ମାମୁଁ ଘରୁ ସେ ଅଯୋଧ୍ୟା ଫେରି ଆସିଲେ l ଆନନ୍ଦ ଗଦ୍ଗଦ ମା’ କୈକେୟୀ କହିଲେ, ତୁ ରାଜା ହେବା ପାଇଁ, ମୁଁ ରାମର ବନ ଗମନ ବ୍ୟବସ୍ଥା କରିଛି l ମାଆଙ୍କ କଥାରେ ଖୁସି ହେବେ କଅଣ ! ଭରତ କୃଦ୍ଧହୋଇ କହିଲେ, ତୁ ନୃଶଂସା, ପାପୀୟସି, ତୋତେ ଧର୍ମ ଛାଡ଼ିଲାଣି l ରାମ ତୋତେ ନିଜର ମାଆ ଭଳି, ଦେଖୁ ଥିବାରୁ ମୁଁ ତୋତେ ହତ୍ୟା ନକରି ଛାଡ଼ିଦେଉଛି l ତୋର କାମନା କେବେ ଚରିତାର୍ଥ ହେବନାହିଁ,ମୁଁ ଯାଉଛି ରାମଙ୍କୁ ଫେରାଇଆଣିବି ଏଵଂ ଚିରକାଳ ତାଙ୍କର ଦାସ ହୋଇ ରହିବି l

ଦଶରଥଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହେଲା l ତାଙ୍କ ଅଭିଷେକ ପାଇଁ ସମସ୍ତ ଆୟୋଜନ ହେଇଗଲା l ଗୁରୁ ବଶିଷ୍ଠ ଭରତଙ୍କୁ ସଭାଗୃହକୁ ଡାକି କହିଲେ ତୁମେ ଶୀଘ୍ର ଅଭିଷିକ୍ତହୋଇ ପିତା ଏବଂ ଭ୍ରାତାଙ୍କ ପ୍ରଦତ୍ତ ଏହି ନିଷ୍କଣ୍ଟକ ରାଜ୍ୟ ଭୋଗକର l ଭରତ ସ୍ପଷ୍ଟଭାବେ କହିଲେ, ଏ ରାଜ୍ୟ ରାମଙ୍କର l ତାହା ମୁଁ ଅପହରଣ କରି ପାରିବି ନାହିଁ l ମୁଁ ଏହି ପାପ କାର୍ଯ୍ଯ କରି ଇକ୍ଷାକୁ ବଂଶର କୁଳକଳଙ୍କ ହେବାକୁ ଚାହେଁ ନାହିଁ l ମୁଁ ରାମଙ୍କୁ ନିଶ୍ଚୟ ଫରାଇ ଆଣିବି ଓ ତାଙ୍କୁ ଅଯୋଧ୍ୟାର ରାଜା କରାଇବି l

ସମସ୍ତେ ଆଶ୍ଚର୍ଯ୍ୟ,ଦଶରଥ ଓ ରାମ ତ ଭରତଙ୍କୁ ରାଜ୍ୟ ଛାଡ଼ି ଦେଲେ l ସିଏ ରାଜା ହେଉ ନାହାଁନ୍ତି କାହିଁକି l ଭରତ ଚତୁରଙ୍ଗ ସେନା ସହିତ ବାହାରି ପଡ଼ିଲେ ଚିତ୍ରକୁଟ l ଫେରାଇ ଆଣିବେ ରାମଙ୍କୁ l ପଥରେ ବିଷାଦରାଜ ଗୁହକ ଭରତଙ୍କ ଥାଟପାଟ ଦେଖି ସନ୍ଦେହ କଲେ, ଇଏ ରାମଙ୍କ ସହ ଶତ୍ରୁତା କରିବାକୁ ଯାଉ ନାହାଁନ୍ତି ତ? ୠଷି ଭରଦ୍ୱାଜ ମଧ୍ୟ ସେହି ସନ୍ଦେହ କରୁଛନ୍ତି l ଲକ୍ଷ୍ମଣ ତାଙ୍କ ଚତୁରଙ୍ଗ ସେନାକୁ ଅଦୂରରୁ ଦେଖି ଧନୁର୍ବାଣ ଧରି, ଉଦ୍ୟତ ହୋଇ ଗଲେ,ଇଏ ଭରତ ଆସୁଛି ଆମକୁ ହତ୍ୟା କରିବାପାଇଁ l ଆଜି ମୁଁ ଏକା ତାକୁ ନିଃଶେଷ କରି ଦେବି l ଶ୍ରୀରାମ ଜାଣନ୍ତି,ଭରତ କିଏ l ଲକ୍ଷ୍ମଣଙ୍କ କ୍ରୋଧ ଦେଖି, ସେ ତାଙ୍କୁ ବୁଝାଇ କହିଲେ, ଭରତ ମୋର ପ୍ରାଣସମ ଭାଇ l ମୋର ବନବାସରେ ସେ ବ୍ୟାକୁଳ ହୋଇ ମୋତେ ଦେଖିବା ପାଇଁ ଆସୁଛି l ଲକ୍ଷ୍ମଣ ! ତୁମର ଯଦି ରାଜ୍ୟ ଦରକାର, ଭରତକୁ ମୁଁ କହୁଛି ସେ ତୁମକୁ ରାଜ୍ୟଦେଇଦେବ l ଏକଥା ପାଖରେ ବସି ବଶିଷ୍ଠ ଶୁଣୁଥିଲେ l ରାମଙ୍କ ଉତ୍ତର ଶୁଣି ଭରତ ଓ ଗୁରୁ ବଶିଷ୍ଠ ଲଜ୍ଜିତହେଲେ l ମୁନି ଭରଦ୍ୱାଜ ଓ ଗୁହକ କହିଲେ ଧନ୍ୟ ତୁମେ ଭରତ, ବିନାଚେଷ୍ଟାରେ ପାଇଥିବା ରାଜ୍ୟ ତୁମେ ଫେରାଇ ଦେବାକୁ ଆସିଛ l ଚିତ୍ରକୁଟ ଠାରେ ରାମ, ଭରତଙ୍କ ମିଳନ ହେଲା l ଜଟା ବକ୍କଳ ପରିହିତ ରାମଙ୍କୁ ଦେଖି ଭରତ ଅଶ୍ରୁ ଗଦଗଦ ହୋଇ ପଡ଼ିଲେ l ରୋଦନ କରି ରାମଙ୍କ ପାଦତଳେ ପଡ଼ି କହିଲେ, ଅଯୋଧ୍ୟା ଆପଣଙ୍କର, ଆପଣ ଭର୍ତ୍ତା ମୁଁ ଭୃତ୍ୟ l ଆପଣ ଫେରି ଚାଲନ୍ତୁ l ପିତା ମାତାଙ୍କ ପାପରେ ମୋତେ ଭାଗୀ ହେବାରୁ ବଞ୍ଚାନ୍ତୁ l ରାମ ତାଙ୍କୁ ଯେତେ ପ୍ରକାର ବୁଝାଇଲେ ସୁଦ୍ଧା ତାଙ୍କର ଏକାଜିଦ୍ ଯେ ମୁଁ ରାମଙ୍କୁ ଅଯୋଧ୍ୟା ଫେରାଇନେବି l ଶେଷରେ ସେ ପ୍ରାୟୋପବେସନ କରି ଜୀବନ ହାରିବାକୁ ବାହାରିଲେ l ରାମ ବହୁ କଷ୍ଟରେ ତାଙ୍କୁ ଫେରି ଯିବା ପାଇଁ ପ୍ରବର୍ତ୍ତାଇଲେ l ଭରତ କହିଲେ, ତା ହେଲେ ଆପଣଙ୍କ କଠୋଉ ଦୁଇଟିକୁ ଦିଅନ୍ତୁ l ତାକୁ ସିଂହାସନରେ ବସାଇ ମୁଁ ନଗର ବାହାରେ ସନ୍ନ୍ୟାସୀ ଭାବରେ ରହି ରାଜ୍ୟ ଶାସନ କରିବି l ଚଉଦ ବର୍ଷ ପୁରି ଗଲେ ମୁଁ ଯଦି ଆପଣଙ୍କୁ ନ ଦେଖେ ତେବେ ଅଗ୍ନିରେ ମୁଁ ନିଶ୍ଚୟ ଝାସ ଦେବି l ତାହା ହିଁ ହେଲା l ରାମଙ୍କ ପାଦୁକା ଦୁଇଟିକୁ ଶିରରେ ଧରି, ଭ୍ରାତୃଭକ୍ତ ଭରତ ଫେରି ଆସିଲେ ଅଯୋଧ୍ୟା l

ନଗର ବାହାରେ, ନନ୍ଦି ଗ୍ରାମରେ ପାଦୁକା ଦ୍ୱୟକୁ ସ୍ଥାପନକରି ସନ୍ନ୍ୟାସୀ ଜୀବନ ଯାପନ କଲେ ଓ ରାମଙ୍କ ପ୍ରତିନିଧି ଭାବେ, ରାଜ୍ୟ ଶାସନ କଲେ l ଚୋଉଦବର୍ଷ ପରେ ଯେତେବେଳେ ରାମ ଫେରି ଆସିଲେ ସେ ପୂର୍ବାଠାରୁ ଦଶଗୁଣ ବର୍ଦ୍ଧିତ ରାଜ୍ୟ ତାଙ୍କୁ ସମର୍ପଣ କଲେ l ବାସ୍ତବରେ ଭରତଙ୍କ ଆଦର୍ଶ ଓ ତାଙ୍କ ତ୍ୟାଗପୂତ ଜୀବନର ପଟାନ୍ତର ନାହିଁ l ଏକ ବିଶାଳ ରାଜ୍ୟର ସମସ୍ତ କ୍ଷମତା ଓ ଐଶ୍ୱର୍ଯ୍ୟ, ତାଙ୍କୁ ତିଳେ ହେଲେ ପ୍ରଲୋଭିତ କିମ୍ବା ବିଚଳିତ କରାଇପାରି ନଥିଲା l ରାଜ୍ୟ ଈଶ୍ୱରଙ୍କର ଏବଂ ରାଜା ହେଉଛନ୍ତି ତା’ର ନ୍ୟାସୀ l ଏହି ଉଚ୍ଚାଙ୍ଗ ଆଦର୍ଶର ପ୍ରବର୍ତ୍ତକ ଥିଲେ ଭରତ l ଭରତଙ୍କ ତ୍ୟାଗ, ସାଧନା ତଥା ଭକ୍ତିର ତୁଳନା ନାହିଁ l

ବିଭୀଷଣ ଯେତେବେଳେ ଭାଇ ରାବଣଙ୍କୁ ତ୍ୟାଗ କରି ରାମଙ୍କ ଶରଣରେ ଆସିଲେ ସେତେବେଳେ ବାନର ରାଜ ସୁଗ୍ରୀବ କହିଲେ, ଇଏ ଗୃହଭେଦୀ ବିଭୀଷଣ l ନିଜ ଭାଇକୁ ବିପଦବେଳେ ତେଜ୍ୟା କରି ଆସିଛି l ଇଏ ଆମର ଶରଣଯୋଗ୍ୟ ନୁହଁ l ଏହି ସମୟରେ ଶ୍ରୀରାମ ଭରତଙ୍କ ଭ୍ରାତୃ ଭକ୍ତିର ଉଦାହରଣଦେଇ କହିଥିଲେ ସବୁଭାଇ ଭରତଙ୍କ ପ୍ରାୟ ନୁହଁନ୍ତି l ” ନ ସର୍ବେ ଭ୍ରାତର ସ୍ତାଦ୍, ଭବନ୍ତି ଭରତୋପମାଃ ” l

🙏🙏🙏

ଅର୍ଜ୍ଜୁନୀ

————-

ଅର୍ଜୁନୀ ଚରଣ ବେହେରା

ମୋ – ୭୬୯୩୦୯୧୯୭୧

Comments are closed.