ପୃଥିବୀ ସୂତା ପାର୍ଥିଵୀ

ଅର୍ଜୁନୀ ଚରଣ ବେହେରା

ପୃଥିବୀ ସୂତା ପାର୍ଥିଵୀ
=============
ତ୍ରେତୟା ଯୁଗର କଥା l ମିଥିଳା ରାଜ୍ୟର ରାଜା ଥିଲେ, ରାଜର୍ଷି ଜନକ l ତାଙ୍କର ବହୁ କାଳ ଧରି କୌଣସି ସନ୍ତାନ ସନ୍ତତି ହେଲେନାହିଁ l ସେ ବଡ଼ ସନ୍ତାପ ଭିତରେ ଥାଇ ଦିନେ ତାଙ୍କ ମହାମନ୍ତ୍ରୀଙ୍କୁ ଡକାଇଲେ ଓ ତାଙ୍କୁ ରାଜ୍ୟ ଭାର ସମର୍ପଣ କରି ନିଜେ ଯାଇ ପୁଣ୍ୟତୋୟା କୌଶିକୀ ନଦୀ ତୀର ବନରେ ତପସ୍ୟା ଆରମ୍ଭକଲେ l ସେ ସେଠାରେ ଶୁଦ୍ଧ ପୂତ ହୋଇ ବିଷ୍ଣୁଙ୍କ ଧ୍ୟାନରେ ବସି ରହିଲେ l
ତପସ୍ୟା କାଳରେ ଜନକ ଦେଖିଲେ ସ୍ୱର୍ଗ ଅପ୍ସରୀ ମେନକା ସ୍ୱର୍ଗକୁ ଯାଉଛି l ତାକୁ ଦେଖି ସେ ମୁଗ୍ଧ ହୋଇ କହିଲେ ଧନ୍ୟ ହେ ସୁନ୍ଦରୀ ! ତୋରି ଭଳି ଗୋଟିଏ ସୁନ୍ଦରୀ କନ୍ୟା ମୁଁ ଯଦି ପ୍ରାପ୍ତ ହୁଅନ୍ତି, ମୁଁ ନିଜକୁ ବଡ଼ ଭାଗ୍ୟବାନ ମନେ କରନ୍ତି l
ଜନକଙ୍କ ଏକଥା ଶୁଣି ମେନକା ନିଜର ପରିଚୟ ବ୍ୟକ୍ତ କରି କହିଲେ, ମୁଁ ହେଉଛି ସ୍ୱର୍ଗର ଅପ୍ସରୀ ମେନକା l ମୁଁ ଆପଣଙ୍କ କୋଳରେ ଅବଶ୍ୟ ଜନ୍ମ ହୁଅନ୍ତି l ଏହା ମୋର ପରମ ସୌଭାଗ୍ୟ ହୁଅନ୍ତା l ହେଲେ ବର୍ତ୍ତମାନ ମୁଁ ଶାପ ମୁକ୍ତ ହୋଇ ସ୍ୱର୍ଗପୁର ଫେରି ଯାଉଛି l
ଶାପମୁକ୍ତି କଥା ଶୁଣି, ମହାମନା ଜନକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହେ ଦେବୀ, ମୋତେ ଟିକିଏ ତୁମର ସେ ଶାପବିଷୟରେ ବୁଝାଇ କୁହ l କିପରି ଶାପଗ୍ରସ୍ତ ହେଲ ପୁଣି କିପରି ମୁକ୍ତି ପାଇଲ l ତାଙ୍କ ପ୍ରଶ୍ନ ଶୁଣି ମେନକା କହିଲେ, ଦିନେ ଆମେ ଅଷ୍ଟ ଅପ୍ସରା ମିଳି ଇନ୍ଦ୍ର ସଭାରେ ନୃତ୍ୟଗୀତ କରୁଥିଲୁ l ମୁଁ ଇନ୍ଦ୍ରପୁତ୍ର ଚିତ୍ରସେନଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ, ତା’ ଆଡ଼କୁ ଟିକିଏ କଟାକ୍ଷ କରି ଦେଲି l ଦେବରାଜ ଇନ୍ଦ୍ର ଏଥିରେ ଅତ୍ୟନ୍ତ କ୍ରୋଧିତ ହୋଇ ମୋତେ ଅଭିଶାପଦେଲେ ତୁମେ ଦେବସ୍ତ୍ରୀ ହୋଇ ଏପରି ଅନୀତି କଲ ଏଣୁ ତୁମେ ମର୍ତ୍ତ୍ୟର ମାନବି ରୂପେ ପତିତ ହୁଅ l ବିକଳ ପ୍ରାର୍ଥନା କରନ୍ତେ ସେ ଏଥିରୁ ଉଦ୍ଧାର ପାଇବାର ଉପାୟ କହି, କହିଲେ, ତୁମେ ଯେଉଁଦିନ ଗିରିଜାଙ୍କ ଦର୍ଶନ ଲାଭ କରିବ ସେହି ଦିନ ତୁମର ଏ ଶାପ ମୋଚନହେବ ଏବଂ ତୁମେ ପୁନଃ ସ୍ୱର୍ଗକୁ ଫେରି ଆସିବ l
ଏବେ ମୁଁ ମାଆ ପାର୍ବତୀଙ୍କ ଦର୍ଶନ ଲାଭ କରିଛି ଏବଂ ମୋର ଶାପ ମୋଚନ ହୋଇଛି l ମୁଁ ସ୍ୱର୍ଗକୁ
ଫେରି ଯାଉଛି l କିନ୍ତୁ ମୁଁ ଜାଣେ, ଆପଣ ନିଶ୍ଚିନ୍ତ ଏକ କନ୍ୟା ପ୍ରାପ୍ତ ହେବେ l ଏହା ବ୍ରହ୍ମା ନାରଦଙ୍କୁ କହୁଥିବା ମୁଁ ଶୁଣିଛି l
ଜନକ ଅତୀବ ଉତ୍ସୁକହୋଇ କହିଲେ ତା ହେଲେ ମୋର କେମିତି କନ୍ୟା ପ୍ରାପ୍ତ ହେବ ତାହା ବୁଝାଇ କହି ଦିଅ l ଜନକଙ୍କ କଥା ଶୁଣି ମେନକା ସମସ୍ତ କଥା ବୁଝାଇ କହିଲେ l
ପୂର୍ବେ ପୃଥିଵୀରେ କୃଷଧ୍ଵଜ ବୋଲି ଜଣେ ରାଜା ଥିଲେ l ତାଙ୍କର ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଜାତ ହେଲା l ନାମ ତା’ର ବେଦମତୀ l ସମୟ କ୍ରମେ କନ୍ୟାଟି ଯୌବନ ପ୍ରାପ୍ତା ହେବାରୁ ତା’ର ବିବାହପାଇଁ ଉପଯୁକ୍ତ ବରଟିଏ ଖୋଜା ଚାଲିଲା, ହେଲେ, ବହୁ ଚେଷ୍ଟା ସତ୍ୱେ ମଧ୍ୟ କୌଣସି ପାତ୍ର ମିଳିଲେ ନାହିଁ l ରାଜା ବଡ଼ ଦୁଃଖରେ କାଳ କାଟୁ ଥାନ୍ତି l ଦିନେ ବେଦମତୀ ବରପ୍ରାପ୍ତି ପାଇଁ ବିଚାର କରି ବନ ଗମନ କରି ଘୋର ତପସ୍ୟା କରିବାକୁ ଲାଗିଲା ଏବଂ ବିଷ୍ଣୁଙ୍କୁ ବର ରୂପେ ପାଇବା ପାଇଁ ମନରେ ସଂକଳ୍ପ କଲା l
ବେଦମତୀ ସେଠାରେ ତପସ୍ୟାରେ ନିମଗ୍ନ ଥିବା ବେଳେ, ଦିନେ ଲଙ୍କପତି ରାବଣ ଦିଗ୍ବିଜୟ ସାରି ସେହି ବାଟରେ ଫେରୁଥିଲା l ସେ ସୁନ୍ଦରୀ କନ୍ୟା ବେଦମତୀକୁ ଦେଖି, କାମ ମୋହିତ ହୋଇ ରତି ଭିକ୍ଷା କଲା l ବେଦମତୀ ଠାରୁ ନାସ୍ତି ବାକ୍ୟ ଶୁଣି ସେ ବଳାତ୍କାର କରିବାପାଇଁ ଉଦ୍ୟତ ହେଲା ଏବଂ ବେଦମତିକୁ ଜାବୁଡ଼ି ଧରିଲା l ବେଦମତୀ ଆକୁଳ ନିବେଦନରେ ସେ ଛାଡ଼ିଦେବାରୁ ବେଦମତି ତାକୁ ଅଭିଶାପ ଦେଇ କହିଲେ, ତୁ ମୋର ଶୁଦ୍ଧ ଦେହ ଅପବିତ୍ର କଲୁ ଏଣୁ ମୋରି ଯୋଗୁଁ ତୋର ବିନାଶ ହେବ l ଏହାକହି ବେଦମତି ନିଜ କ୍ରୋଧରୁ ଜାତ ଅଗ୍ନିରେ ଝାସ ଦେଇ ପ୍ରାଣ ବିସର୍ଜନ କଲେ l
ଏହାଦେଖି ମହାଭୟ ପାଇ ରାବଣ ଲଙ୍କା ପୁରକୁ ଫେରି ଗଲା l ଆତଙ୍କିତ ଅବସ୍ଥାରେ ଥାଏ l ଏହି ସମୟରେ, ଦେବର୍ଷି ନାରଦ ଆସି ସେଠି ପହଞ୍ଚି ରାବଣକୁ କହିଲେ ତୁ ଯେଉଁ ବେଦମତି କନ୍ୟାକୁ ଅପବିତ୍ର କରିବାରୁ ଅଗ୍ନିରେ ପ୍ରାଣ ବିସର୍ଜନ କଲା, ତାହା ଦହନ ନ ହୋଇ ସେହି ଭଳି ପଡ଼ି ରହିଛି l ତାହାରିଯୋଗୁଁ ତୋର ବିନାଶ ହେବ l ତେଣୁ ସେ ଶବକୁ ଆଣି ତୁରନ୍ତ ନାଶ କର l
ଏହା କହି ମୁନିବର ସେଠାରୁ ଅନ୍ତର୍ଧ୍ୟାନ ହେବାରୁ ରାବଣ ସେ ଶବଟିକୁ ଆଣି ରାଣୀ ମନ୍ଦୋଦରୀକୁ ଦେଇ ଏଥିରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ କହିଲା l ନାରଦ ପୁଣି ଆସି ପହଞ୍ଚି ମନ୍ଦୋଦରୀକୁ କହିଲେ ରାବଣ ପାଇଁ ତୁ ଅନ୍ୟ ମାଂସର ବ୍ୟବସ୍ଥା କର ଏବଂ ଏ ପିଣ୍ଡଟିକୁ ସାଗର ଜଳରେ ଭସାଇ ଦିଅ l ମନ୍ଦୋଦରୀ ତାହା ପାଳନ କଲା,ଏବଂ ସେ ଶବ ଦକ୍ଷିଣ ସମୁଦ୍ର କୂଳରେ ଭାସୁଥାଏ l
ମେନକା ମହର୍ଷି ଜନକଙ୍କୁ କହିଲା, ସେହି ଶବଟି ଦକ୍ଷିଣ ସମୁଦ୍ରତଟରେ ଲାଗିଛି l ଆପଣ ସେଠାକୁ ଯାଇ ଯଜ୍ଞ କରି, ହଳ ଲଙ୍ଗଳ ସାହାଯ୍ୟରେ ସେ ପବିତ୍ର ଭୂମିକୁ କର୍ଷଣ କରନ୍ତୁ l ଆପଣଙ୍କୁ ନିଶ୍ଚୟ ଏକ କନ୍ୟା ପ୍ରାପ୍ତି ହେବ l
ଏହା କହି, ଅପ୍ସରୀ ମେନକା ନିଜ ପଥରେ ସ୍ଵର୍ଗ ପୁରକୁ ପ୍ରସ୍ଥାନ କଲେ ଓ ମହର୍ଷି ଜନକ ରାଜ୍ୟକୁ ଫେରି ଗଲେ l ପାତ୍ର ମନ୍ତ୍ରୀ ମାନଙ୍କ ସାହାଯ୍ୟରେ ସେ ଯାଇ ମେନକା କହିଥିବା ସ୍ଥାନରେ ଗୋଟିଏ ଯଜ୍ଞ କଲେ l ଆହୁତି ସମାପନ ହେଲା l ରାଜର୍ଷି ଜନକ ପାତ୍ର ମନ୍ତ୍ରୀଙ୍କ ସାହାଯ୍ୟରେ ହଳ ଲଙ୍ଗଳ ଆଣି ସେହି ପବିତ୍ର ଯଜ୍ଞଭୂମିକୁ କର୍ଷଣ କରିବାକୁ କହିଲେ l ଜମିକୁ ଚଷିଲା ମାତ୍ରେ, ଫାଳର ମୁନ ଆଘାତରେ ଭୁ ଗର୍ଭରୁ ଏକ ମଞ୍ଜୁଷା ବାହାରିଲା l ମଞ୍ଜୁଷାଟିକୁ ମେଲାଇ ଦେଖନ୍ତି ତ ତା’ ଭିତରେ ଶୋଇଛି, ଅପୂର୍ଵ କାନ୍ତି ଧାରୀ ଏକ ଦିବ୍ୟ କନ୍ୟା ଶିଶୁ l ସେହି ଦିବ୍ୟକନ୍ୟାକୁ ଜନକ ଧରି ବିଦେହ ନବର ପ୍ରତ୍ୟାବର୍ତ୍ତନ କଲେ l
ସେହି କନ୍ୟା ହେଲେ ଜନକ ନନ୍ଦିନୀ, ପୃଥିବୀଙ୍କ କନ୍ୟା, ପାର୍ଥିଵୀ l ସେହି କନ୍ୟାକୁ ରଜର୍ଷି ଜନକ ନେଇ ଛଅ ନାମରେ ନାମିତ କଲେ l କାଳକ୍ରମେ ସେ କନ୍ୟାର ସ୍ଵୟଂବର କରାଇ ପ୍ରଭୁ ଶ୍ରୀରାମଙ୍କୁ ଜାମାତା ରୂପେ ପାଇଥିଲେ l ମହର୍ଷି ଜନକ ମାଆ ସୀତାଙ୍କ ଦେଇଥିବା ଛଅ ନାମ ହେଲା ବିଦେହର କନ୍ୟା – ବୈଦେହୀ, ଜନକଙ୍କ କନ୍ୟା – ଜାନକୀ, ମିଥିଳାର କନ୍ୟା – ମୈଥିଳୀ, ପୃଥିବୀଙ୍କ କନ୍ୟା ପାର୍ଥିବୀ, ସିଆରରୁ ପାଇଥିବାରୁ ସୀତା, ପଦ୍ମିନୀ ଜାତୀୟା କନ୍ୟାଯୋଗୁଁ ଯୋଜନ ଗନ୍ଧା l ପାର୍ଥିବୀ ବୈଶାଖ ଶୁକ୍ଳ ନବମୀ ଦିନ ଭୁ ଗର୍ଭରୁ ଆବିର୍ଭୁତା ହୋଇ ଥିଲେ l
କାଳକ୍ରମେ ସୀତାଙ୍କ ଵିଵାହ ପ୍ରଭୁ ଶ୍ରୀରାମଙ୍କ ସହ ହେଲା l ଶ୍ରୀରାମଙ୍କ ସହ ସେ ବନକୁ ଗଲେ ଏବଂ ରାବଣ ଦ୍ୱାରା ଅପହୃତା ହୋଇ ଲଙ୍କାରେ ବନ୍ଦିନୀ ହେଲେ l ରାବଣ ନିଧନ ପରେ ସେ ଅଗ୍ନି ପରୀକ୍ଷା ଦେଇ, ଅଯୋଧ୍ୟା ଫେରିଲେ l ବିଧିର ବିଧାନ ବଡ଼ ବିଚିତ୍ର l ଜନରବ ଯୋଗୁଁ ସେ ରାମଙ୍କ ଦ୍ୱାରା ପୁଣି ନିର୍ବାସିତା ହେଲେ l ବାଲ୍ମିକୀ ଆଶ୍ରମରେ ତାଙ୍କର ଯମଜ ପୁତ୍ର ଜନ୍ମ ହେଲେ, ଲବ ଓ କୁଶ l
ଶ୍ରୀରାମଙ୍କ ଅଶ୍ଵମେଧ ଯଜ୍ଞ କାଳରେ ମାଆ ସୀତା ପୁଣି ମହର୍ଷି ବାଲ୍ମୀକିଙ୍କ ସଙ୍ଗରେ ପୁତ୍ରମାନଙ୍କ ସହ ଅଯୋଧ୍ୟା ଆସିଲେ l କିନ୍ତୁ ପ୍ରଭୁ ଶ୍ରୀରାମ ମାଆଙ୍କୁ ଗ୍ରହଣ କରିବାକୁ ଯାଇ, କହିଲେ, ବର୍ତ୍ତମାନ ସର୍ବ ସମ୍ମୁଖରେ ସୀତାଙ୍କୁ ତାଙ୍କ ଶୁଦ୍ଧ ଚରିତ୍ରର ପ୍ରମାଣ ଦେବା ମୁଁ ଚାହେଁ l ସୀତା କାଷ୍ଠବତ ଦଣ୍ଡାୟମାନ ହୋଇ ଅଶ୍ରୁ ବିସର୍ଜନ କରୁଥାନ୍ତି l କୃତାଞ୍ଜଳୀ ପୁଟ ହୋଇ, ସେ ମାଆ ବସୁଧାକୁ ପ୍ରାର୍ଥନା କଲେ, ହେ ମାଆ ଧରିତ୍ରୀ ! ତୁମେ ବିଦୀର୍ଣ୍ଣ ହୋଇ କୋଳରେ ମୋତେ ଆଶ୍ରୟ ଦିଅ ମାଆ !!!
ଚତୁର୍ଦ୍ଦିଗରୁ ଏହି ସମୟରେ ସୁଗନ୍ଧିତ ବାୟୁ ଖୁବ୍ ବେଗରେ ପ୍ରବାହିତ ହେଲା l ଭୂକମ୍ପ ହେଲା ଏବଂ ବସୁଧା ବିଦୀର୍ଣ୍ଣ ହୋଇ ଗୋଟିଏ ଦିବ୍ୟ ସିଂହାସନ ଉତ୍ଥିତହେଲା l ସେହି ଦିବ୍ୟସିଂହାସନ ଆରୋହଣ ପୂର୍ବକ ପୃଥିବୀ କନ୍ୟା ପାର୍ଥିବୀ ଭୁଗର୍ଭକୁ ପ୍ରବେଶ କଲେ l ମାଆଥିଲେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତା l ମାତା ଭୂଗର୍ଭକୁ ପ୍ରବେଶ କଲାବେଳେ ଶରଣବତ୍ସଳ ପ୍ରଭୁ ଶ୍ରୀରାମଙ୍କୁ ହୃଦ ସିଂହାସନରେ ବସାଇ ସ୍ତୁତି କରୁଥିଲେ :-
ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ l
ଦୁଃଖଗିରି ବଜ୍ର ଯହିଁ ଦେଖନ୍ତି ବିଦୂଷ ll
ରାଜରାଜେଶ୍ୱରଙ୍କ ସେ ପଦ୍ମପଦ୍ମ ଦ୍ଵନ୍ଦ୍ୟେ l
ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ ll
(ତପସ୍ଵିନୀ କାବ୍ୟରୁ ଉଦ୍ଧୃତ)
ଜୟ ମାଆ ପାର୍ଥିବୀ
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.