ବାଲେଶ୍ଵର, ୧୭/୬(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ କୁଲଡିହା ଅଭୟାରଣ୍ୟର ପ୍ରାକୃତିକ, ସାଂସ୍କୃତିକ, ସାମାଜିକ ଓ ଭୌଗୋଳିକ ସୁରକ୍ଷା ଓ ବିକାଶ ପାଇଁ ଆରମ୍ଭ ହୋଇଥିବା ‘ମୁଁ କୁଲଡ଼ିହା କହୁଛି’ ଅଭିଯାନର ଦ୍ୱିତୀୟ ଅଧିବେଶନ ଔପଦା ସ୍ଥିତ ପାଇକପଡା ଗ୍ରାମର ସୃଜନୀ ଶିକ୍ଷା ନିକେତନ ଓ ମୁକ୍ତି ସାହିତ୍ୟ ସଂସଦର ମିଳିତ ଆନକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅଧିବେଶନରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ଆଇନଜ୍ଞ ତଥା କୁଲଡ଼ିହା ଗବେଷକ କୃଷ୍ଣଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।
ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, କୁଲଡ଼ିହା ସୁସ୍ଥ ରହିଲେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ସୁସ୍ଥ ରହିବ। ଏଣୁ ଏହାକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଜାଣି ଲଢିବାର ଆବଶ୍ୟକତା ରହିଛି। ସମଗ୍ର ବାଲେଶ୍ୱର ଜିଲ୍ଲା ଏଥି ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ବୋଲି ସେ ଗୁରୁତ୍ଵାରୋପ କରିଥିଲେ।
‘ମୁଁ କୁଲଡ଼ିହା କହୁଛି’ର ଆବାହକ ଶିଳ୍ପୀ କେଶୁ ଦାସ ଏଥିରେ ପ୍ରାକ୍ ସୂଚନା ପ୍ରଦାନ କରି କୁଲଡ଼ିହା ସମଗ୍ର ମାନବ ଜାତି ପାଇଁ କୁଳର ଡିହ। ଏହାର ସୁରକ୍ଷା ଓ ବିକାଶ କରିବା ପାଇଁ ହେଲେ ସମସ୍ତେ ନିଜକୁ କୁଲଡ଼ିହା ମନେ କରି କାର୍ଯ୍ୟ କହିବାର ଅଛି ବୋଲି ସେ ପରାମର୍ଶ ଦେଇଥିଲେ।
ଅନ୍ୟତମ ବକ୍ତା ଭାବେ ସୃଜନୀ ଶିକ୍ଷା ନିକେତନର ମୁଖ୍ୟ ତଥା ସମାଜସେବୀ ଜଗଦୀଶ ନାୟକ କୁଲଡ଼ିହାର ଲୋକକଥା ତଥା ଜୀବନ ଜୀବିକା ବିଷୟରେ ଆଲୋକପାତ କରିଥିବା ବେଳେ
ବିଶ୍ୱରଞ୍ଜନ ମହାପାତ୍ର କୁଲଡ଼ିହାର ଜୈବ ବିବିଧତା ଉପରେ ବିଶଦ ବର୍ଣ୍ଣନା କରିଥିଲେ।
ଏହି ଅବସରରେ ଦିବ୍ୟ ପ୍ରକାଶ ପରିଡ଼ା, ପର୍ଣ୍ଣିକା ରାଉତ, ମନୋଜ ଦାସ ଓ ନିରଞ୍ଜନ ପ୍ରସାଦ ବାରିକ ପ୍ରମୁଖ ସୁନ୍ଦର କବିତା ପାଠ କରିଥିଲେ। ଚିତ୍ରଶିଳ୍ପୀ ସ୍ୱର୍ଗତ ଅଶୋକ କୁମାର ଷଣ୍ଢଙ୍କ ଦ୍ଵାରା ଅଙ୍କିତ କୁଲଡ଼ିହା ଆଧାରିତ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ବେହେରା, ମାୟାଧର ତ୍ରିପାଠୀ, ଅନ୍ତର୍ଯ୍ୟାମୀ ନାୟକ, ନରହରି ନାୟକ, ପ୍ରଫୁଲ୍ଲ କୁମାର ସାହୁ, ଚିତ୍ତରଞ୍ଜନ ବେହେରା, ବର୍ଷା ପାଣିଗ୍ରାହୀ, ସନାତନ ସାହୁ, ଦିବ୍ୟ ପ୍ରକାଶ ପଣ୍ଡା, ଜଗନ୍ନାଥ ରାଉତ, ଧରିତ୍ରୀ ପଣ୍ଡା, ରାଧାନାଥ ନାୟକ, ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ ଘନଶ୍ୟାମ ପାଢ଼ୀ ଧନ୍ଯବାଦ ପ୍ରଦାନ କରିଥିଲେ।