ମହାଭାରତର ମହଯୋଦ୍ଧା ଚେକିତାନ

ଅର୍ଜୁନୀ ଚରଣ ବେହେରା

ମହାଭାରତର ମହଯୋଦ୍ଧା ଚେକିତାନ
===================
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ୍‌ l
ପୁରୁଜିତ୍, କୁନ୍ତିଭୋଜଶ୍ଚ ଶୈବଶ୍ଚ ନର ପୁଙ୍ଗବଃ ll
ଶ୍ରୀମଦ୍ଭଗବତ୍ ଗୀତା ପ୍ରଥମ ଅଧ୍ୟାୟର ଏହି ପଞ୍ଚମ ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରକୁ କହୁଛନ୍ତି ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବଙ୍କ ଯୋଦ୍ଧା ମାନଙ୍କୁ ଦେଖି ଏହି ପରି ବର୍ଣ୍ଣନା କଲେ l ଏଥିରୁ ଜଣା ପଡେ ଯେ ପାଣ୍ଡବଙ୍କ ପକ୍ଷରେ ଚେକିତାନ ବୋଲି ଜଣେ ମହା ଯୋଦ୍ଧା ଥିଲେ l
ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି, ଉପପ୍ଲବ୍ୟ ନଗର ଫେରି ଆସିଲେ l ଶାନ୍ତି ପାଇଁ ତାଙ୍କର ସବୁ ଉଦ୍ୟମ ବିଫଳ ହେବାରୁ ସେ ପାଣ୍ତବ ମାନଙ୍କୁ କହିଲେ, ଦଣ୍ଡନୀତି ପ୍ରୟୋଗ ଛଡ଼ା ଏବେ ଆଉ ଅନ୍ୟ କିଛି ଉପାୟ ନାହିଁ l
ଏହାଶୁଣି ଯୁଧିଷ୍ଠିର ଯୁଦ୍ଧପାଇଁ ଆଦେଶଦେଇ ଭାଇ ମାନଙ୍କୁ କହିଲେ, ଆମ ପାଖରେ ସାତ ଅକ୍ଷୋହିଣୀ ସେନା ଅଛନ୍ତି l ଦ୍ରୁପଦ,ବିରାଟ,ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ସାତ୍ୟକି, ଚେକିତାନ ଓ ଭୀମସେନ ଆଦି ଆମର ସାତ ମହାଯୋଦ୍ଧା, ଗୋଟିଏ ଗୋଟିଏ ଅକ୍ଷୋହିଣୀ ସେନାର ନେତୃତ୍ୱ ନିଅନ୍ତୁ l ଏମାନଙ୍କ ଭିତରୁ ଜଣେ ପ୍ରଧାନ ସେନାପତି ନିଯୁକ୍ତ ହୁଅନ୍ତୁ, ଯିଏ କି ଭୀଷ୍ମଙ୍କୁ ପରାଭବ ଦେବା ପାଇଁ ସମର୍ଥ ହେବେ l ଯୁଧିଷ୍ଠିରଙ୍କ ଏହି କଥାରୁ ଜଣାପଡେ, ପାଣ୍ଡବ ସେନାଙ୍କ ମଧ୍ୟରେ ଚେକିତାନ ଥିଲେ ସେନାପତି ହେବା ଯୋଗ୍ୟ ମହା ଯୋଦ୍ଧା l ସେ ଥିଲେ ଭୀଷ୍ମଙ୍କ ସମତୁଲ୍ୟ l
ମହାଭାରତର ବିଭିନ୍ନ ଶ୍ଳୋକମାନଙ୍କରୁ ଚେକିତାନ ଜଣେ ମହାଯୋଦ୍ଧା ଥିଲେ ବୋଲି ଜଣା ପଡୁଥିଲେ ସୁଦ୍ଧା ତାଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥାଏ l
ମହାଭାରତର ଶ୍ଳୋକ ମାନଙ୍କୁ ତର୍ଜମା କଲେ ଜଣା ଯାଏ ଚେକିତାନ ଥିଲେ କେକେୟ ଦେଶର ଯୋଦ୍ଧା ଓ ସେ ଏକ ଅକ୍ଷୋହିଣି ସେନା ସହ ପାଣ୍ଡବମାନଙ୍କ ଶିବିରରେ ଯୋଗ ଦେଇଥିଲେ l କେକେୟ ଦେଶର ରାଜା ଥିଲେ ତାଙ୍କ କକାପୁଅ ଭାଇ ବୃହଦ୍କ୍ଷତ୍ର l
ଚେକିତାନ ପାଣ୍ତବଙ୍କ ପକ୍ଷରେ ଯୋଗ ଦେଇଥିଲେ, କାରଣ ସେ ଥିଲେ ପାଣ୍ତବ ଜନନୀ କୁନ୍ତୀଙ୍କ ଭଉଣୀ ଶୃତକୀର୍ତ୍ତିଙ୍କ ନାତି l ତାଙ୍କ ପିତା ଥିଲେ ସୂର୍ଯ୍ୟବଂଶୀ ଚେଦିରାଜ, ଧୃଷ୍ଟକେତୁ l ସେ ନିଜ ପିଉସୀ କୁନ୍ତୀଙ୍କ ବଂଶଜ ହୋଇ ଥିବାରୁ, ଶ୍ରୀକୃଷ୍ଣ ତାଙ୍କୁ ବହୁତ ଭଲ ପାଉଥିଲେ l ଚେକିତାନଙ୍କ ମାତାଙ୍କ ନାମ ମାଳବୀ l ତାଙ୍କ ଭାଇ ଶୈବ ମଧ୍ୟ ଜଣେ ଯୋଦ୍ଧାରୂପେ ପାଣ୍ତବ ସେନାରେ ଯୋଗ ଦେଇଥିଲେ l ଚେକିତାନଙ୍କ ଝିଅ କେରୁମତି ନକୁଳଙ୍କୁ ଵିଵାହ କରିଥିଲେ l
ମହାଭାରତ ଯୁଦ୍ଧରେ ଚେକିତାନ ଭଲ୍ଲୀକ ସେନାଙ୍କ ସହ ଯୁଝିବାର ଦାୟିତ୍ୱ ନେଇଥିଲେ l ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦୀ ଭଲ୍ଲୀକ ସେନାରେ ଥିଲେ ସୋମଦତ୍ତ ଓ ଶାଲ୍ୱ l ଚେକିତାନ କୌଣସି ପ୍ରମୁଖ ଯୋଦ୍ଧାଙ୍କୁ ବଧ କରିଥିବା, ମହାଭାରତରୁ ଜଣା ପଡ଼େ ନାହିଁ l ମାତ୍ର କଥିତ ହୁଏ ସେ କୌରବ ସେନାର ବହୁ ଯୋଦ୍ଧଙ୍କୁ ମାରିଥିଲେ l ଏପରିକି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଥରେ ପରାଜିତ କରିଥିଲେ l
ପଞ୍ଚଦଶଦିନ ଯୁଦ୍ଧରେ ସେ ନକୁଳଙ୍କୁ ଦୂର୍ଯ୍ୟୋଧନର
ଆକ୍ରମଣରୁ ରକ୍ଷା କରିଥିଲେ l ଅଷ୍ଟାଦଶ ଦିନ ଯୁଦ୍ଧ ଥିଲା ତାଙ୍କ ଶେଷ ଯୁଦ୍ଧ l ସେହିଦିନ ଦୂର୍ଯ୍ୟୋଧନର ବର୍ଚ୍ଛା ପ୍ରହାରରେ ସେ କୁରୁକ୍ଷେତ୍ରର ସମର ଭୂମିରେ ଧରାଶାୟୀ ହୋଇଥିଲେ l
ମହାଭାରତ, ଉଦ୍ୟୋଗ ପର୍ବର ବର୍ଣ୍ଣନା ଅନୁଯାୟୀ ଚେକିତାନ ପାଞ୍ଚାଳୀଙ୍କ ସ୍ଵୟମ୍ବର ସଭାରେ ଉପସ୍ଥିତ ଥିଲେ l ସଭା ପର୍ବର ବର୍ଣ୍ଣନା ଅନୁଯାୟୀ ରାଜସୂୟ ଯଜ୍ଞ କାଳରେ ସେ ଯୁଧିଷ୍ଟିରଙ୍କୁ ଏକ ତୁଣୀର ଭେଟି ଦେଇଥିଲେ l ସର୍ବ ଶେଷରେ ଗଙ୍ଗା କୂଳରେ ରାଜା ଯୁଧିଷ୍ଠିର, ବ୍ୟାସଦେବଙ୍କ ପରାମର୍ଶରେ ଯୁଦ୍ଧ ନିହତ ଯୋଦ୍ଧା ମାନଙ୍କୁ ତର୍ପଣ କଲା ବେଳେ, ମହାଯୋଦ୍ଧା ଚେକିତାନଙ୍କୁ ମଧ୍ୟ ଅର୍ଘ୍ୟ ପ୍ରଦାନ କରିଥିଲେ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.