ମାଆ ମୋ ଯାଇଛି ଚାଲି

ଅର୍ଜୁନୀ ଚରଣ ବେହେରା

ନିସ୍ତବ୍ଧ ହୋଇଛି ଗହଳ ଚହଳ
ମାଆ ମୋ ଯାଇଛି ଚାଲି l
ଶୂନ୍ୟଲାଗେ ଆଜି ଏ ସାରା ଅବନୀ
ଆସ୍ଥାନ ପଡ଼ିଛି ଖାଲି ll
ଡ଼ଙ୍ଗା ବାହନରେ ଭଙ୍ଗା କାତମାରି
ଆସିଥିଲେ ପରା ମାଆ l
ଅଧମ ସନ୍ତାନେ କଲ୍ୟାଣ କରିବେ
ମାଆ ଛଡ଼ା କିଏ ସାହା ll
ଦୁଲୁ ଦୁଲୁ ବାଜି ଢକ୍କା ଡ଼ାକବାଜି
ବିପ୍ର ମନ୍ତ୍ର ଉଚ୍ଚାରଣେ l
ନିରାଜନା କଲୁ ମାଆ ଜଗଦମ୍ବେ
କଲ୍ୟାଣ ବାଞ୍ଛା କାରଣେ ll
କମ୍ପୁଥିଲା ମହୀ ମାଆ ଦୟାମୟୀ
ଦୁର୍ଗା ଦୁର୍ଗତିନାଶିନୀ l
ଦେଖୁଥିଲେ ବସି ଦିବ୍ୟ ଆସନରେ
ବୁଲାଇ ନୟନ ବେନି ll
କେତେ ଯେ ମହିଷା ବାନ୍ଧିଥିଲେ ବଷା
ଆସି ମୋ ମାଆର ଘରେ l
ତ୍ରିଶୂଳ ଭୂଷାରେ ତଡ଼ିଦେଲେ ମାଆ
ପଳାଇଲେ ଖର ତରେ ll
କରୁଣା ବାଣ୍ଟିଲେ କରୁଣାମୟୀ ମା’
ବାଜିଲା ଦିବ୍ୟ ବାଜଣା l
ଚଉଦ ବ୍ରହ୍ମାଣ୍ଡ ପାଳନ କର୍ତ୍ତ୍ରୀ ସେ
ସବୁ କଥା ତାଙ୍କୁ ଜଣା ll
ଦଶ ଦିନ ମାଆ ମରତ ଆସିଲେ
ଜଗତେ ପଡ଼ିଲା ହୁରି l
ସାରା ସଂସାରର ଦୁଃଖହାରିଣୀ ସେ
ଆଉ କି କରନ୍ତେ ଡେରି ll
ମିଠାବୋଳା କଥା କେତେ କେତେ ବାର୍ତ୍ତା
ମାଆ ତା ସନ୍ତାନେ କହି l
ଦିବ୍ୟ ଧାମେ ମାଆ ଫେରି ଯାଇଛନ୍ତି
ସନ୍ତାନେ ଆଶିଷ ଦେଇ ll
ମାଆର ଚରଣ ଧ୍ୟାୟୁଥାରେ ମନ
ମାଆର କରି ବନ୍ଦନା l
ଯଥା କାଳେ ଆସି ପହଞ୍ଚିବୁ ମାଆ
ଏତିକି କରୁଁ ପ୍ରାର୍ଥନା ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.