ଅପରାଜିତା ପୂଜନ

ଅର୍ଜୁନୀ ଚରଣ ବେହେରା

ଅପୂର୍ବ ପୁଷ୍ପଟିଏ ନାମ ତା’ର, ଅପରାଜିତା l ଏହି ପୁଷ୍ପର ନାମ ଯେମିତି କାମ ମଧ୍ୟ ସେମିତି,ଏହାର
ନାମରେହିଁ ରହିଛି ଜୟ ଓ ସାର୍ଥକତା l ଏଣୁ ନାମ ତାହାର ହୋଇଛି ଅପରାଜିତା,ଏହାର ଅନ୍ୟନାମ ନୀଳ କଣ୍ଠ, ଶଙ୍ଖ ପୁଷ୍ପ ଓ ଗୋକର୍ଣ୍ଣ l ଦେବ ଦେବ ମହାଦେବଙ୍କର ମଧ୍ୟ ଅନ୍ୟନାମ ନୀଳକଣ୍ଠ l ଏହି ଫୁଲର ମାଆ ଦୁର୍ଗାଙ୍କ ସହ ସମ୍ପର୍କ ରହିଛି l ମାଆ ସର୍ବଦା ଅପରାଜିତା l ସଂସାରର ସଙ୍କଟକାଳରେ ଜଗଜ୍ଜନନୀ ମାଆ ଦୁର୍ଗାହିଁ ଭରସା l ମାଆ ଦୁର୍ଗତି ପୀଡ଼ିତ ସମସ୍ତ ଜୀବଙ୍କ ଦୁର୍ଗତି ଦୂର କରିବାପାଇଁ ସମର୍ଥ l ତେଣୁ ମାଆ ନାମ ବହିଛନ୍ତି ଦୁର୍ଗା,ଦୁର୍ଗତି ନାଶିନୀ l ମାଆ ପରାଶକ୍ତି ଶକ୍ତି ମୟୀ l ଦୁନିଆଁର କୌଣସି ଶକ୍ତି,ମାଆଙ୍କୁ ପରାଜିତ କରିବା ନିମନ୍ତେ ସମର୍ଥ ନୁହେଁ l ତେଣୁ ମାଆ ଦୁର୍ଗାଙ୍କର ଅନ୍ୟନାମ ଅପରାଜିତା l ମାଆ ଅପରାଜିତାଙ୍କର ତେଣୁ ଏହି ଅପରାଜିତା ଫୁଲ ଅତ୍ୟନ୍ତପ୍ରୀୟ l ମହାଦେବଙ୍କର ମାଆ ଶକ୍ତି ହୋଇ ଥିବାରୁ ଅପରାଜିତା ଫୁଲ ମଧ୍ୟ ମହାଦେବଙ୍କ ଅତିପ୍ରୀୟ ଅଟେ l
ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ଅପରାଜିତା ପୂଜନ l କୁହା ଯାଏ ମାଆ ଅପରାଜିତାଙ୍କ ପୂଜନ ଚତୁର୍ଯୁଗ ଆରମ୍ଭପୂର୍ବରୁ ରହିଛି l ଶ୍ରୀବ୍ରହ୍ମା ଓ ବିଷ୍ଣୁ ସଦାସର୍ବଦା ମା’ ଅପରାଜିତାଙ୍କ ଧ୍ୟାନ କରିଥାନ୍ତି l ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ଦିନ ଦଶମୀରେ ମାଆଙ୍କୁ ବିଦାୟ ଦେବା ପାଇଁ ଏହି ପୂଜା ଅନୁଷ୍ଠିତ ହୋଇ ଥାଏ l ମାଆଙ୍କର ନିରାଜନା ଅପରାଜିତା ପୂଜାବିନା ଅଧୁରା ରହିଯାଏ l ଅପରାଜିତା ପୂଜନ ଦ୍ୱାରା ମାଆ ତୁଷ୍ଟାହୋଇ, ଯଜମାନକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି,’ସର୍ବ ବିଜୟୀ ଭଵ’ l ବିବାହିତା ମହିଳା ମାନେ ଅପରାଜିତା ପୂଜାରେ ମା’ ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରି ଅକ୍ଷୟ ସୁହାଗବତୀ ହେବାର ଆଶୀର୍ବାଦ କାମନା କରିଥାନ୍ତି l
ପାଣ୍ଡଵମାନେ ବିରାଟ ରାଜଧାନୀରେ ଅଜ୍ଞାତବାସ ନିମନ୍ତେ ପ୍ରସ୍ତୁତ ହେଉଥିବାବେଳେ ଅର୍ଜୁନ ସ୍ମଶାନ ନିକଟ ଏକ ସମ୍ମି ବୃକ୍ଷରେ ଅସ୍ତ୍ର ଶସ୍ତ୍ର ଲୁଚାଇ ରଖୁ ଥାନ୍ତି l ସେହିଠାରେ ମାଆ ଦୁର୍ଗା ଆବିର୍ଭୁତାହୋଇ ଯୁଧିଷ୍ଠିରଙ୍କୁ ନିର୍ବିଘ୍ନ ଅଜ୍ଞାତ ବାସ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ, ଏଣୁ ସମୀବୃକ୍ଷ ମାଆଙ୍କ ବାସ ସ୍ଥାନ ମନେ କରି,ବିଜୟା ଦଶମୀ ଦିନ ସମୀବୃକ୍ଷ ପୂଜନ ଵିଧି ଅଛି l ମା’ ଅପରାଜିତାଙ୍କ ପୂଜା ମନ୍ତ୍ର ହେଉଛି :-
ଇମାଂ ପୂଜାମ୍ ମୟାମ୍ ଦେବୀ
ଯଥାଶକ୍ତି ନିବେଦିତାମ୍ l
ରକ୍ଷାର୍ଥ ତୁ ସମାଦାୟ ବ୍ରଜସ୍ୱ ସ୍ଥାନମୁତ୍ତମମ୍ ll
ହାରେଣ ତୁ ବିଚିତ୍ରେଣ ଭାସ୍ଵକ୍ତ କନକମେଖଳା l
ଅପରାଜିତା ଭଦ୍ରରତା କରୋତୁ ବିଜୟଂ ମମଃ ll
ଅର୍ଥାତ୍,ହେ ଦେବୀ ମୋର କ୍ଷମତା ଅନୁଯାୟୀ ମୁଁ ବିଜୟ ପ୍ରାପ୍ତି ନିମିତ୍ତ ଆପଣଙ୍କର ପୂଜନକଲି l ମୋତେ ଆଶୀର୍ବାଦ କରି ଆପଣ ସ୍ବସ୍ଥାନ ପ୍ରସ୍ଥାନ କରନ୍ତୁ l ହେ ବିଚିତ୍ର କନକ ମେଖଳା ହାର ଦ୍ୱାରା ଶୋଭିତା ଦେବୀ ଅପରାଜିତା, ମୋର ସର୍ବ ବିଧ ବିଜୟପାଇଁ ଆଶୀର୍ବାଦ କରନ୍ତୁ l
ଆମ ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କନ୍ଦାକଟା କରିଥାଆନ୍ତି l ଏହା ମାଆଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧାର ପରିଚାୟକ l
ଅପରାଜିତା ଫୁଲ ଭାରତର ପ୍ରାୟ ସବୁ ସ୍ଥାନରେ ମିଳି ଥାଏ l ଏହା ଏକ ସବୁ ଦିନିଆ ପୁଷ୍ପ ଓ ବର୍ଷ ସାରା ଉପଲବ୍ଧ ହୋଇ ଥାଏ l ଅପରାଜିତା ଫୁଲ ଖାଲି ମହାଦେବ ଓ ଅମ୍ବିକାଙ୍କ ପ୍ରୀୟଫୁଲ ନୁହେଁ l ଅଧିକନ୍ତୁ, ଏହା ହନୁମାନ, ଗ୍ରହ ରାଜ ଶନି, ମାଆ ଲକ୍ଷ୍ମୀ ଓ ଶ୍ରୀମନ ନାରାୟଣଙ୍କର ମଧ୍ୟ ଅତି ପ୍ରୀୟ ଫୁଲ ଅଟେ l ଏହି ସୁନ୍ଦର ଫୁଲର ବହୁ ଦିବ୍ୟ ଓ ଚମତ୍କାରୀ ଗୁଣ ରହିଛି l
ଅପରାଜିତା ନଜର ଦୋଷ ଓ ତନ୍ତ୍ର ମନ୍ତ୍ର ଦୋଷକୁ ଦୂର କରିଥାଏ l ଶନିବାରଦିନ ଅପରାଜିତା ଫୁଲ ମାଳାକରି ରାତ୍ରି ସମୟରେ ଘର ପ୍ରବେଶଦ୍ୱାରରେ ଟଙ୍ଗାଇଲେ ଭୁତପ୍ରେତଙ୍କ ଭୟ ଦୂର ହୋଇଥାଏ l ଅପରାଜିତା ଫୁଲମାଳାକୁ ଦୁଆରରେ ଟଙ୍ଗାଇଲେ ଗୃହ ମଧ୍ୟରେ ଥିବା ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ ଓ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ l ଏହା ଦ୍ୱାରା ମନୁଷ୍ୟ ଜୀବନର ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ l
ସୋମବାର ରାତ୍ରିରେ ପାଞ୍ଚୋଟି ଅପରାଜିତା ଫୁଲ ପାଞ୍ଚସପ୍ତାହ ଧରି ନଦୀସ୍ରୋତରେ ପ୍ରବାହ ଦେଲେ ମନୁଷ୍ୟ କରଜମୁକ୍ତ ହୋଇ ଧନର ଆଗମ ହୋଇ ଥାଏ ବୋଲି ବିଶ୍ୱାସ କରାଯାଏ l ଏହାଦ୍ଵାରା ନୂଆ ନୂଆ କାର୍ଯ୍ୟକୌଶଳ ଏବଂ ଉନ୍ନତିର ସମସ୍ତ ବାଟ ଖୋଲି ଯାଇଥାଏ l
ପ୍ରତ୍ୟହ ମାଆଦୂର୍ଗା କିମ୍ବା ମାଆ ପାର୍ବତୀଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କଲେ ସର୍ବ ମନୋବାଞ୍ଛା ପୂରଣ ହୋଇଥାଏ l ଯଦି ଏହା ସବୁ ଦିନ କରିବା ସମ୍ଭବ ନ ହୁଏ ତେବେ ନବରାତ୍ରିର ନଅଦିନଯାଏ କଲେ ସୁଫଳ ମିଳିଥାଏ l ଯଦି ନବରାତ୍ରରେ କରି ନପାରନ୍ତି ତେବେ ୨୧ ମଙ୍ଗଳବାର ମାଆଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଇପ୍ସିତଫଳ ମିଳିଥାଏ l
ଶନିବାର କିମ୍ବା ମଙ୍ଗଳବାର ଅପରାଜିତା ଫୁଲକୁ ହନୁମାନଙ୍କୁ ଅର୍ପଣକଲେ ଅର୍ଥର ସମସ୍ତ ସମସ୍ୟା ଦୂର ହୋଇ ଥାଏ l ଅପରାଜିତା ଶନି ଦେବଙ୍କର ପ୍ରୀୟ ପୁଷ୍ପ l ଏଣୁ ଏ ଫୁଲରେ ଶନି ମହା ଗ୍ରହଙ୍କ ପୂଜା କଲେ ତାଙ୍କର କୃପା ମିଳିଥାଏ l
ଆମ ଆୟୁର୍ବେଦଶାସ୍ତ୍ରରେ ଅପରାଜିତାର ବହୁବିଧ ଔଷଧିୟ ଗୁଣର ବର୍ଣ୍ଣନା ରହିଛି l ଏହି ଫୁଲ କଟୁ କଷାୟ ଓ ତିକ୍ତ ରସ ଯୁକ୍ତ l ଏହା କଣ୍ଠ ଶୋଧକ, ଶୀତବୀର୍ଯ୍ୟ ହ୍ରାସକ,ସ୍ମରଣଶକ୍ତି ବର୍ଦ୍ଧକ, ଦୃଷ୍ଟିଶକ୍ତି ବର୍ଦ୍ଧକ ଓ ଜ୍ୱର,କାଶ,ଶୂଳ,ଆମଦୋଷ,ବ୍ରଣ,ବିଷ ଶୋଥ,କୁଷ୍ଠ ଇତ୍ୟାଦି ରୋଗର ବିନାଶକ ଅଟେ l ଏହାର ଚେର ସର୍ପକୁ ଦୂରରେ ରଖିଥାଏ ବୋଲି ମାନ୍ୟତା ରହିଛି l
!!! ମାଆ ଅପରାଜିତାଙ୍କ ଜୟ ହେଉ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.