ମାଆ ସମଲେଶ୍ଵରୀ

ଅର୍ଜୁନୀ ଚରଣ ବେହେରା

ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମାଆ ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ସମଗ୍ର ଓଡ଼ିଶାରେ,ପଡ଼ୋଶୀ ଛତିଶଗଡ଼ ଓ ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତି ମୟୀ ମାଆ l ମାଆ, ଉତ୍କଳ ଜାହ୍ନବୀ ମହାନଦୀ ତୀର ବିହାରିଣୀ l ସମ୍ବଲପୁର ସହରର ପଶ୍ଚିମକୁ ରହିଛି ମାଆଙ୍କର ଆକର୍ଷଣୀୟ ଦିବ୍ୟ ଦେଉଳ l
ମାଆ ଚଣ୍ଡୀସ୍ୱରୂପା ଓଡ଼ିଶାର ଅଷ୍ଟ ଚଣ୍ଡୀ ମାନଙ୍କ ମଧ୍ୟରେ ଅନ୍ୟତମା l ଏଣୁ ଶୂଦ୍ରମୁନି ଶାରଳାଦାସ ଚଣ୍ଡୀ ବନ୍ଦନାରେ କହିଛନ୍ତି :-
ସମ୍ବଲପୁରେ ରହିଲୁ ନାମ ସମଲାଇ l
ପଶ୍ଚିମେ ରହିଲୁ ମାଗୋ ନାମ ହିଙ୍ଗୁଳାଇ ll
ଏକ ପ୍ରଶସ୍ତ ବେଢ଼ା ମଧ୍ୟରେ ରହିଛି ରେଖଦେଉଳ ଶୈଳୀରେ ନିର୍ମିତ ମାଆଙ୍କ ମନ୍ଦିର l ମନ୍ଦିରବେଢ଼ା ମଧ୍ୟରେ ବିଜେ କରିଛନ୍ତି ଅନ୍ୟାନ୍ୟ ଦେବାଦେବୀ l
ମନ୍ଦିର ଗର୍ଭ ଗୃହରେ ପୂଜିତା ହେଉଛନ୍ତି ମାଆଙ୍କ ସ୍ବୟମ୍ଭୁ ବିଗ୍ରହ l ତିରିଶି ଫୁଟ ଉଚ୍ଚତାରେ ମାଆଙ୍କ ବିଗ୍ରହ ସାଧାରଣତଃ ସିନ୍ଦୁର ବିମଣ୍ଡିତ l ବିଗ୍ରହଙ୍କ ଶୋଭାବର୍ଦ୍ଧନ କରୁଛି ଦୁଇଟି ଧାତବଚକ୍ଷୁ l ଦେବୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଳଙ୍କାର ବିଭୂଷିତା ହୋଇଥାନ୍ତି l ବିଗ୍ରହଙ୍କ ଉପରେ ଶୋଭିତ ରୌପ୍ୟ ଛତ୍ରୀ ଓ ପାଶ୍ଚାତ ଭାଗରେ ଶୋଭାପାଉଛି ବୃହତ ଅର୍ଦ୍ଧ ବୃତ୍ତାକାର ପ୍ରଭା l
କିମ୍ବଦନ୍ତୀରୁ ଜଣା ଯାଇ ଥାଏ ତ୍ରେତୟା ଯୁଗରେ ଶିବଭକ୍ତ ଲଙ୍କାପତି ରାବଣ, ତପସ୍ୟାରେ ପ୍ରସନ୍ନ କରିଥିଲା କୈଳାଶପତି ଶିବ ଓ ମା’ ଭବାନୀଙ୍କୁ l ମାଆ ଭବାନୀ ରାବଣର ପୂଜାରେ ଅତ୍ୟନ୍ତ ପ୍ରୀତ ହୋଇ ଲଙ୍କାକୁ ଯାଇ ଲଙ୍କେଶ୍ୱରୀରୂପେ ଅବସ୍ଥାନ କଲେ l ଦେବୀଙ୍କ ଅବସ୍ଥାନ ଫଳରେ ଲଙ୍କା ଧନ, ଧାନ୍ୟରେ ପୁରିଉଠି ସ୍ବର୍ଣ୍ଣମୟୀଲଙ୍କାରେ ପରିଣତ ହେଲା l ‘ଅତି ଦର୍ପେ ହତଃ ଲଙ୍କା’, ଅତି ଐଶ୍ଵର୍ଯ୍ୟ ପ୍ରାପ୍ତ ହୋଇ,ରାବଣ କ୍ରମେ ବିପଥ ଗାମୀ ହେଲା ଓ ନାରୀ ଚୋରି ଭଳି ଘୃଣ୍ୟ ଓ ହୀନ କର୍ମ କରି ମାଆ ସୀତାଙ୍କୁ ଚୋରାଇ ନେଲା l
ରାବଣପୁରୀରୁ ମାଆ ସୀତାଙ୍କ ଉଦ୍ଧାରପାଇଁ ପ୍ରଭୁ ଶ୍ରୀରାମ କ୍ରମେ ମର୍କଟ,ଭଲ୍ଲୁକଙ୍କ ସାହାଯ୍ୟ ନେଇ ଅଭିଯାନ ଆରମ୍ଭ କଲେ l ସୀତାଙ୍କୁ ଠାବ କରିବା ପାଇଁ ଶ୍ରୀରାମଙ୍କ ଆଜ୍ଞାପ୍ରାପ୍ତ ମହାବୀର ହନୁମାନ ସିନ୍ଧୁ ଲଙ୍ଘନ କରି ଲଙ୍କା ଗଡ଼ରେ ପାଦ ରଖିଲେ l ସେତେବେଳକୁ ମାଆ ଲଙ୍କେଶ୍ୱରୀ ଦର୍ପି ରାବଣର ଅନ୍ୟାୟ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥାନ୍ତି l ହନୁମାନଜୀଙ୍କ ଅନୁରୋଧରେ ମାଆ ଲଙ୍କେଶ୍ୱରୀ ଲଙ୍କା ଦ୍ବୀପ ପରିତ୍ୟାଗ କରି ଜମ୍ବୁ ଦ୍ବୀପ ଆଗମନ କଲେ ଓ ରାମେଶ୍ୱରଠାରେ ରହି ପ୍ରଭୁ ଶ୍ରୀରାମଙ୍କ ପ୍ରତୀକ୍ଷା କଲେ l ଲଙ୍କା ଅଭିଯାନ ପୂର୍ବରୁ ଶ୍ରୀରାମ ମାଆଙ୍କ ପୂଜାକରି କୃପା ଭିକ୍ଷା କଲେ ଏବଂ ତାଙ୍କ ଆଶିଷ ପ୍ରାପ୍ତ ହୋଇ ବିଜୟୀ ହେଲେ l
ଲଙ୍କା ବିଜୟ ପରେ, ପ୍ରଭୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସମୟରେ ମାଆଙ୍କୁ ଅଯୋଧ୍ୟାକୁ ଘେନି ଆସିଲେ l ଏହି କିମ୍ବଦନ୍ତୀ ଆଧାରରେ ମା’ ସମଲେଶ୍ୱରୀଙ୍କ ଏକ ଭଜନ ଅଛି :-
ତ୍ରେତୟା ଯୁଗରେ ସ୍ବର୍ଣ୍ଣଲଙ୍କାପୁରେ
ରାବଣର ଥିଲୁ ଇଷ୍ଟ ଜନନୀ l
ହନୁ ମନ ଜାଣି ଗୁହାରୀ ତା ଶୁଣି
ନିହାରୀଦେଲୁ ତୁ ଅଭୟ ବାଣୀ ll
ଭାସି ମେଲାଣି,
ହେଲୁଗୋ ଶାଳ୍ମଳୀ ମୁଳ ବାସିନୀ ll
ଶ୍ରୀରାମଙ୍କ ସଙ୍ଗେ ଆସି ମାଆ ଅଯୋଧ୍ୟାରେ ବାସ କଲେ l ଶ୍ରୀରାମଙ୍କ ପରେ ତାଙ୍କ ଦୁଇପୁତ୍ର ଲବ ଓ କୁଶ ଅବଧପୁରୀକୁ ଶାସନ କଲେ l କ୍ରମେ ଅବଧ ପୁରୀ ଉତ୍ତର, ଦକ୍ଷିଣ କୋଶଳରେ ବିଭକ୍ତ ହୋଇ ଦକ୍ଷିଣ କୋଶଳର ଶାସକ ହେଲେ କୁଶ l କୁଶଙ୍କ ଶାସନ କାଳରେ ଦାକ୍ଷିଣାତ୍ୟର ଏକ ଅସୁରରାଜା ତାଙ୍କ ରାଜ୍ୟ ଉପରେ ବାରମ୍ବାର ଆକ୍ରମଣ କଲା l ଏଥିରେ କୁଶ ବ୍ୟସ୍ତ ବିବ୍ରତ ହୋଇ ଲଙ୍କେଶ୍ୱରୀଙ୍କ ସୁରକ୍ଷାପାଇଁ ହନୁମାନଙ୍କୁ ପ୍ରାର୍ଥନା କଲେ l ମାରୁତି ମାଆଙ୍କ ସୁରକ୍ଷାପାଇଁ ତାଙ୍କୁ ସୁରକ୍ଷିତ ଚିତ୍ରୋତ୍ପଳା ଏବଂ ତେଲନଦୀର ସଙ୍ଗମ ସ୍ଥଳୀ ସୁବର୍ଣ୍ଣପୁରରେ ଆଣି ସ୍ଥାପନ କଲେ l କାଳକ୍ରମେ ମାଆଙ୍କୁ ଜଣେ ସୂର୍ଯ୍ୟବଂଶୀ ନୃପତି ହୀରା ଖଣ୍ଡ ବା ସମ୍ବଲପୁରକୁ ଘେନି ଆସି ସେଠାରେ ପୂଜା କଲେ l
କିନ୍ତୁ ମହାନଦୀ ତଟ ମାଆଙ୍କ ଆସ୍ଥାନ ହୀରାଖଣ୍ଡ, ବାରମ୍ବାର ବନ୍ୟାପ୍ଲାବିତ ହୋଇ ହୀରାଖଣ୍ଡ କ୍ରମେ ଏକ କୁଦରେ ରୂପାନ୍ତରିତହେଲା l ସେହି କୁଦରେ ମାଆ ଏକ ଶିମୁଳି ବୃକ୍ଷ ମୁଳରେ ଆସ୍ଥାନ ଜମାଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂଜାହେଲେ l ବହୁବର୍ଷ ପରେ ହୀରାଖଣ୍ଡର ରାଜା ବଳରାମ ଦେବ ତାଙ୍କ ରାଜତ୍ୱ କାଳରେ (1540- 1556) ସ୍ୱପ୍ନାଦେଶ ପାଇ, ଦେବୀଙ୍କ ବିଗ୍ରହକୁ ଉଦ୍ଧାରକଲେ ଓ ତାଙ୍କୁ ଆଣି ବର୍ତ୍ତମାନର ପୀଠରେ ସ୍ଥାପନ କଲେ l ଏକ ଶହ ବର୍ଷ ପରେ ସମ୍ବଲପୁରର ରାଜଗାଦୀ ମଣ୍ଡନ କଲେ ଛତ୍ର ସାଏ l ମା’ ସମଲେଶ୍ୱରୀଙ୍କ ଏବେକା ଦୃଶ୍ୟମାନ ମନ୍ଦିରଟି ତାଙ୍କରି କୀର୍ତ୍ତି,ତାଙ୍କ ରାଜତ୍ବ କାଳ ଥିଲା 1657 ରୁ 1695 ପର୍ଯ୍ୟନ୍ତ l ମାଆଙ୍କ
ମନ୍ଦିରରେ ପରବର୍ତ୍ତୀ ସମୟରେ ବହୁ ପରିବର୍ତ୍ତନ ହୋଇଛି ଓ ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବା ଦେବୀ ମାନେ ସ୍ଥାପିତ ହୋଇଛନ୍ତି l
ମାଆଙ୍କ ସୁଦୃଶ୍ୟ ମନ୍ଦିର ପରିସରର ପୂର୍ବପାଖରେ ଅରୁଣ ସ୍ତମ୍ଭାକୃତିର 25 ଫୁଟ ଉଚ୍ଚତା ବିଶିଷ୍ଟ ଏକ ଦୀପଦଣ୍ଡି ରହିଛି l ଦୀପ ଦଣ୍ଡିର ନିମ୍ନ ଭାଗ ଚାରି ଫୁଟ ଉଚ୍ଚତା ବିଶିଷ୍ଟ, ଚତୁସ୍କୋଣୀ ଆକାର l ଏହି ଠାରେ ଭକ୍ତମାନେ ମା’ଙ୍କୁ ଦୀପ ଦାନ କରିଥାନ୍ତି l ସ୍ତମ୍ଭ ଶୀର୍ଷରେ ମନ୍ଦିର ଆକୃତି ଏକ ଘର ରହିଛି l କାର୍ତ୍ତିକମାସରେ ଏଠାରେ ଦୀପଦାନ କରାଯାଏ l
ପ୍ରତ୍ୟହ ମାଆ ସମଲେଶ୍ୱରୀଙ୍କୁ ଚାରିଥର ଭୋଗ ଅର୍ପଣ କରା ଯାଏ l ପ୍ରାତଃ ସ୍ନାନ ପରେ ମାଆଙ୍କୁ ଲାଗି ହୁଏ ଉଖୁଡ଼ା ଭୋଗ l ମଧ୍ୟାହ୍ନଧୂପରେ ଥାଏ ଅନ୍ନ,ଡାଲି ଓ ପରିବା ତରକାରୀ l ସନ୍ଧ୍ୟା ଆଳତି ପରେ ମାଆଙ୍କୁ ସନ୍ଧ୍ୟାଭୋଗ ଲାଗିହୁଏ l ଏଥିରେ ଥାଏ ଉଖୁଡ଼ା ଓ ପେଡ଼ା l ରାତିକୁ ପୁଣି ଅନ୍ନଭୋଗ ହୋଇ ରାତ୍ରୀ ପହୁଡ଼ ପଡ଼େ l
ପଶ୍ଚିମ ଓଡ଼ିଶାରେ ଏକ ନିଷ୍ଠାପର ପରମ୍ପରା ନୂଆ ଖାଇ l ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ପର୍ବ ଏହି ନୂଆଖାଇ l ନୂଆଖାଇ ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ l କୃଷି ସମୃଦ୍ଧ ପଶ୍ଚିମ ଓଡ଼ିଶାର କୃଷକ ତାର କ୍ଷେତରୁ ଉତ୍ପନ୍ନ ପ୍ରଥମ ଚାଉଳ ମା’ ସମଲେଇଙ୍କୁ ଭୋଗ ଲଗାଇ ନୂଆ ଖାଇଥାଏ l ପଡ଼ିଶା ଛତିଶ ଗଡ଼ ରାଜ୍ୟରେ ମଧ୍ୟ ଏ ପର୍ବ ବହୁ ଆଡମ୍ବର ସହ ପାଳିତ ହୁଏ l ଛତିଶ ଗଡ଼ ରାଜଧାନୀ ରାୟପୁର ଉତ୍ସବ ମୁଖର ହୋଇପଡ଼େ ନୂଆଖାଇ ଜୁହାର ଓ ନୂଆଖାଇ ଭେଟଘାଟ ଭଳି କାର୍ଯ୍ୟକ୍ରମରେ l
ଶାରଦୀୟ ଦୁର୍ଗାପୂଜା ଏବଂ ଚୈତ୍ର ନବରାତ୍ର ମଧ୍ୟ ମା’ ସମଲେଶ୍ୱରୀଙ୍କ ପୀଠରେ ଖୁବ ନିଷ୍ଠାର ସହ ପାଳିତ ହୋଇ ଥାଏ l ଏହି ସମୟରେ ପୀଠରେ ଯଜ୍ଞ, ଚଣ୍ଡୀପାଠ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ l ଶାରଦୀୟ ଓ ଚୈତ୍ରପାର୍ବଣ ଅବସରରେ ମାଆଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ଥାଏ l ମାଆ ଅସୀମ କରୁଣା ମୟୀ l ତାଙ୍କ ନିକଟରେ ଭକ୍ତର କୌଣସି କାମନା ଅପୂର୍ଣ୍ଣ ରହେନାହିଁ l ବର୍ଷସାରା ମାଆଙ୍କ ପୀଠକୁ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ଭକ୍ତ ମାନଙ୍କର ସୁଅ ଛୁଟିଥାଏ l
!!! ଜୟ ମାଆ କରୁଣାମୟୀ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.