ଲଦ୍ଦାଖ କଥା: ଆମ ପାଇଁ ମାନେ ରଖେ ନା’ ନାହିଁ?

ଡା ଇପସିତା ପ୍ରଧାନ

୨୦୦୯ରେ ମୁକ୍ତିଲାଭ କରିଥିଲା ଫିଲ୍ମ “3 -Idiots”। ପ୍ରାୟ ସମସ୍ତେ ଜାଣନ୍ତି ଯେ ଏହା ଚେତନ୍ ଭଗତଙ୍କ ଉପନ୍ୟାସ “Five Points Someone” ଉପରେ ଆଧାରିତ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ଫିଲ୍ମରେ ଆମିର୍ ଖାନ୍ ଅଭିନୟ କରିଥିବା ଚରିତ୍ର ରେଞ୍ଚୋ ବନାମ୍ ଫୁନ୍-ସୁଖ୍ ବାଙ୍ଗଡୁ ଚରିତ୍ରଟି ଲଦ୍ଦାଖ ଅଞ୍ଚଳର ଇଞ୍ଜିନିୟର, ବୈଜ୍ଞାନିକ, ଉଦ୍ଭାବକ, ସାମାଜିକ କର୍ମୀ, ପ୍ରକୃତି ବନ୍ଧୁ ‘ସୋନମ୍ ଓ୍ବାଙ୍ଗଚୁକ୍’ଙ୍କ ଉପରେ ଆଧାରିତ। ଭାବୁଥାଇ ପାରନ୍ତି, ଆଜି ହଠାତ୍ ଏମିତି ୧୪ ବର୍ଷ ତଳର ଗୋଟିଏ ଫିଲ୍ମ ଏବଂ ସୋନମ୍ ଓ୍ବଙ୍ଗଚୁକ୍ ଙ୍କ ବିଷୟରେ କାହିଁକି କହିଲି? ନା’ ହଠାତ୍ ନୁହେଁ, ଆଜିକୁ ୧୪ ଦିନ ହେଲା ଶ୍ରୀ ସୋନସ୍ ଓ୍ବଙ୍ଗଚୁକ୍, ଶହ ଶହ ଲଦ୍ଦାଖି ଜନତାଙ୍କ ସହ, ଲେହର ଶହୀଦ ସ୍ମୃତି ସ୍ଥଳରେ ୨୧-ଦିନିଆ ଅନଶନ (Hunger Strike)ରେ ବସିଛନ୍ତି। ଏହି ଅନଶନର ମୁଖ୍ୟ ଦାବି ହେଉଛି, ଲଦ୍ଦାଖକୁ ରାଜ୍ୟ ମାନ୍ୟତା ମିଳିବା ଏବଂ ଲଦ୍ଦାଖ ଅଞ୍ଚଳରେ ସିଡ୍ବୁଲ୍-6 ଲାଗୁ କରିବା। ଏହା ଛଡା ଲଦ୍ଦାଖ ଜନତାଙ୍କର ଆହୁରି କିଛି ଦାବି ମଧ୍ୟ ରହିଛି। ଶ୍ରୀ ଓ୍ବଙ୍ଗଚୁକଙ୍କ ଅନୁସାରେ ଏହି ୨୧- ଦିନିଆ ଅନସନ ଫେଜ୍ ଆକାରରେ ହେବ, ଏବଂ କେନ୍ଦ୍ରସରକାର ତାଙ୍କ ଆବେଦନ ଗ୍ରହଣ କରି, ପୂରା କରିବା ପର୍ଯ୍ୟନ୍ତ ଚାଲିବ। ଯଦି ଲଦ୍ଦାଖର ଦାବି ପୁରଣ କରାନଯାଏ, ତା’ ହେଲେ ବିଶ୍ବର ଦୃଷ୍ଟି ଆକର୍ଷଣ ପାଇଁ ହଜାର ହଜାର ଲଦ୍ଦାଖି ମଣିଷ ଚୀନକୁ ଲାଗିଥିବା ଆନ୍ତର୍ଜାତିକ ସୀମା ଆଡକୁ ପଦଯାତ୍ରା ଆରମ୍ଭ କରିବେ ବୋଲି ଚେତାବନୀ ଦିଆଯାଇଛି!

୨୦୧୯ ମସିହାରେ ଯେତେବେଳେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ, ଲଦ୍ଦାଖକୁ ଜମ୍ମୁ-କାଶ୍ମୀରରୁ ଅଲଗା କରି ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଗଲା, ସେତେବେଳେ ଲଦ୍ଦାଖର ଜନତା ଖୁବ୍ ଖୁସି ହୋଇଥିଲେ ଏବଂ କେନ୍ଦ୍ରସରକାରଙ୍କ ଏହି ନିର୍ଣ୍ଣୟକୁ ସମର୍ଥନ ମଧ୍ୟ କରିଥିଲେ (ଗୋଟିଏ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ବିରେ ଓ୍ବଙ୍ଗଚୁକ୍ ନିଜେ ଏହା କହିଛନ୍ତି)। କାଶ୍ମୀରରେ ଥିବା ବିଧାନସଭା ଓ ସରକାର, ଲଦ୍ଦାଖକୁ ସବୁବେଳେ ଅବହେଳା ଏବଂ ଅଣଦେଖା କରୁଥିଲା ବୋଲି ଦୀର୍ଘ ଦିନ ଧରି ସ୍ଥାନୀୟ ବାସିନ୍ଦା ଆରୋପ ଲଗାଉଥିଲେ। କାଶ୍ମୀର ଠାରୁ ଅଲଗା ହୋଇ ଗୋଟିଏ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ, କେନ୍ଦ୍ର ସରକାର ଯେ ଲଦ୍ଦାଖ ପରି ଭୌଗୋଳିକ, ପରିବେଶ ଏବଂ ଇକୋସିଷ୍ଟମ୍ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ପ୍ରତି ସମାନ ଭାବରେ ସମ୍ବେଦନଶୀଳ ରହିବେ, ସେମାନଙ୍କ ଏଇ ଆଶା କିନ୍ତୁ ଖୁବ୍ କମ୍ ଦିନରେ ମଉଳି ଯାଇଥିଲା। ୨୦୧୯ ପରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଲଦ୍ଦାଖର ଗଭର୍ନାନ୍ସ ସିଧାସଳଖ ଦିଲ୍ଲୀରୁ ନିୟୋଜିତ ସରକାରୀ ଅଧିକାରୀଙ୍କ ଦ୍ଵାରା ହୋଇ ଆସୁଛି। ବର୍ତ୍ତମାନର ଶାସନତନ୍ତ୍ର ଦ୍ବାରା ଆପଣା ଯାଇଥିବା ନିୟମ ଅନୁସାରେ ଯେକୌଣସି ବ୍ୟକ୍ତି ବାହରୁ ଯାଇ ଲଦ୍ଦାଖ ଅଞ୍ଚଳରେ ବସବାସ କରିବା ସହ ଶିଳ୍ପ ଏବଂ ଔଦ୍ୟୋଗିକ ସ°ସ୍ଥା ଓ ବ୍ୟବସାୟ ପ୍ରତିଷ୍ଠା କରି ପାରିବେ। ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଭୌଗୋଳିକ ଏବଂ ଇକୋସିଷ୍ଟମ୍ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ହିସାବରେ ଏହାର ସ୍ବତନ୍ତ୍ର ଓ ସୁଚାରୁ ପରିଚାଳନା ପାଇଁ ୧୯୯୦ ଏବଂ ୨୦୦୦ ମସିହାରେ ଗଢା ଯାଇଥିବା ଦୁଇଟି ସ୍ବତନ୍ତ୍ର ସ°ସ୍ଥା “Ladakh Autonomous Hill Development Council”, ଯାହା ସ୍ଥାନୀୟ ସ୍ବାସ୍ଥ୍ୟସେବା, ଜମିଜମା ଏବଂ ଅନ୍ୟାନ୍ୟ ବିଷୟ ଉପରେ ନିର୍ଣ୍ଣୟ ନେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରଖେ, ତାକୁ ସମ୍ପୂର୍ଣ୍ଣ ଭାବରେ ଅବହେଳିତ ଓ ନିଷ୍କ୍ରିୟ କରିଦିଆଯାଇଛି। ବାହାରୁ ଲୋକେ ଆସି ବସବାସ ଓ ବ୍ୟବସାୟ ଆରମ୍ଭ କରିବା ଦ୍ବାରା କେବଳ ଯେ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର, ସ°ସାଧନ, ମୌଳିକ ଏବଂ ମାନବାଧିକାର ବାଧା ପ୍ରାପ୍ତ ହୋଇଛି ଓ ଏହା ହିଁ ସ୍ଥାନୀୟ ବାସିନ୍ଦାଙ୍କର ଚିନ୍ତାର ବିଷୟ, ସେମିତି ନୁହେଁ! ବର° ଉକ୍ତ ସ୍ଥାନରେ ମଣିଷ ଏବଂ ଆଧୁନିକ ଉଦ୍ଦୋଗୀକରଣର ଅବାଧ ପ୍ରବେଶ, ଲଦ୍ଦାଖ ସହ ସମଗ୍ର ଦେଶର ପରିବେଶ ଏବଂ ସମାଜ ପାଇଁ ଯେ ପ୍ରାଣଘାତକ ପ୍ରତିପାଦିତ ହେବ, ତାହା ହେଉଛି ବାସ୍ତବିକ ଚିନ୍ତାର ବିଷୟ।

ସମୁଦ୍ର ପତ୍ତନଠାରୁ ୫,୭୩୦ ମିଟର (୧୮,୮୦୦ ଫୁଟ୍) ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳର ଜଳବାୟୁ ଓ ଜୀବଜଗତର ସ°ରଚନା, ଅନ୍ୟ ଭାରତୀୟ ଜନବସତି ଠାରୁ ଭିନ୍ନ। ଖୁବ୍ କମ୍ ବର୍ଷା ଏବଂ ବର୍ଷର ଅଧିକାଂଶ ସମୟ ବରଫାବୃତ୍ତ ରହୁଥିବା କାରଣରୁ ଏଠି କୃଷିର ସମ୍ଭାବନା କମ୍। ଶୀତଳ ମରୁଭୂମି ବା cold desert ଭାବରେ ପରିଚିତ ଲଦ୍ଦାଖରେ କାଁ ଭାଁ ବଡ଼ ବୃକ୍ଷ ଦୃଶ୍ୟମାନ ହେଉଥିବା ବେଳେ, ସାଧାରଣତଃ ଚାରଣ ବା ଘାସଭୂମି ଦେଖାଯାଏ। ଏଠାରେ ମହଜୁଦ ଥିବା ବରଫାବୃତ୍ତ ହିମାଳୟ ଶୃଙ୍ଗ, ବରଫର ହ୍ରଦ (glaciers and glacial lakes) ଏହି ଅଞ୍ଚଳର ଜଳର ମୁଖ୍ୟ ସ୍ରୋତ। ହିମାଳୟ ଅଞ୍ଚଳରୁ ଉତ୍ପନ୍ନ ଅନେକ ନଦୀକୁ ଏହି glacier ଗୁଡିକ ବର୍ଷ ତମାମ୍ ଜଳ ଯୋଗାଇଥା’ନ୍ତି, ସେଥିପାଇଁ ଏହାକୁ “water tower of Asia” ବୋଲି କୁହାଯାଏ। ପୃଥିବୀ ପୃଷ୍ଠରେ ଗଚ୍ଛିତ ଥିବା ମଧୁରଜଳ ଭଣ୍ଡାର ଗୁଡିକ ମଧ୍ୟରୁ ହିମାଳୟର ଏହି ଗ୍ଲାସିୟର ଗୁଡିକ ଅନ୍ୟତମ। କିନ୍ତୁ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଗ୍ରୀନ୍-ହାଉସ୍ ଇଫେକ୍ଟ ଏହି ଅଞ୍ଚଳର ଜଳସ୍ରୋତ ବା ଗ୍ଲାସିୟର ଉପରେ କୁପ୍ରଭାବ ପକାଉଛି, ଯାହା ଏହି ଅଞ୍ଚଳରେ ପାଣିର ଉପଲବ୍ଧିକୁ ଅଭାବରେ ପରିଣତ କରିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଦିନୁଦିନ ବଢୁଥିବା ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଉପଲବ୍ଧ ସ୍ବଳ୍ପ ପ୍ରାକୃତିକ ସ°ସାଧନ ଉପରେ ଅତ୍ୟଧିକ ଚାପ ପକାଉଛି। ଗତ କିଛି ବର୍ଷ ହେଲା ପ୍ରତି ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ସ°ଖ୍ୟା ପାଖାପାଖି ୨୪୭,୦୦୦ ରହୁଥିବା ବେଳେ ବର୍ଷ ୨୦୨୨ରେ ସମୁଦାୟ ୪୫୦,୦୦୦ ଏବଂ ବର୍ଷ ୨୦୨୩ରେ ୫-୬ ଲକ୍ଷ ପର୍ଯ୍ୟଟକ ଲଦ୍ଦାଖି ଯାଇଥିଲେ। କେନ୍ଦ୍ରସରକାରଙ୍କ ସ୍ଥାନୀୟ ପର୍ଯ୍ୟଟନ ଉଦ୍ୟୋଗକୁ ଆହୁରି ବିକଶିତ କରିବା ଯୋଜନା ଗୁଡିକ ସ୍ଥାନୀୟ ବାସିନ୍ଦାଙ୍କୁ ଆତଙ୍କିତ କରୁଛି। ଏହା ଦ୍ବାରା ଯେ ସେଠି ଉପଲବ୍ଧ ଖାଦ୍ୟ-ପାନୀୟ- ପ୍ରାକୃତିକ ସ°ସାଧନର ଦୁରୁପଯୋଗ ହେବ ତା’ ନୁହେଁ, ବର° ଗୋଟିଏ ଶୀତଳ ମରୁଭୂମିର ଇକୋସିଷ୍ଟମ୍ ପାଇଁ ମଧ୍ୟ ଏହା ବିଷ ସଦୃଶ୍ୟ। ରିପୋର୍ଟ ଅନୁସାରେ ୭ଟି ହାଇଡ୍ରୋ-ପାଓ୍ବାର ପ୍ରୋଜେକ୍ଟର ଯୋଜନା ରହିଥିବା ବେଳେ, ଅନେକ ବଡବଡ ଇଣ୍ଡଷ୍ଟ୍ରିଆଲ୍ ଏଜେନ୍ସି ସେଠି ଉପଲବ୍ଧ ପ୍ରାକୃତିକ ଖଣିଜ ଯେମିତିକି ସୁନା, ବୋରାକ୍ସ, ଲାଇମ୍-ଷ୍ଟୋନ୍, ଗ୍ରାନାଇଟ୍, ମାର୍ବଲ୍ ଆଦିକୁ ନେଇ ବ୍ୟବସାୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଭିନ୍ନ କମ୍ପାନୀ ଦ୍ବାରା ସୋଲାର ପାଓ୍ବାର ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା ହେଉଥିବା ବେଳେ ପାଖାପାଖି ୧୫୭ ହେକ୍ଟର (୩୮୮ ଏକର) ଜଙ୍ଗଲ ଜମିକୁ ଇଲେକ୍ଟ୍ରିସିଟି ଟ୍ରାନ୍ସମିସନ୍ ଲାଇନ୍ ବସାଇବା ପାଇଁ ବିନିଯୋଗ କରା ଯାଇଛି। ଏ ପ୍ରକାର ପ୍ରାକୃତିକ ସ°ସାଧନର ଅନିୟନ୍ତ୍ରିତ ବ୍ୟବହାରର ପରିଣତି ଆମେ ଯୋଶୀମଠ୍, ଉତ୍ତରାଖଣ୍ଡରେ ଦେଖି ସାରିଛେ। ଶ୍ରୀ ଓ୍ବଙ୍ଗଚୁକଙ୍କ ଅନୁସାରେ, “ଯଦିଓ ବିଭିନ୍ନ ବିକାଶମୂଳକ ପ୍ରୋଜେକ୍ଟ ଏବଂ ଉଦ୍ୟୋଗ ସ୍ଥାନୀୟ ଜନତାଙ୍କ ପାଇଁ ରୋଜଗାରର ଅଳ୍ପ କିଛି ସୁଯୋଗ ଆଣିବ, କିନ୍ତୁ ଦୀର୍ଘମିଆଦୀ ଭାବରେ ଏହା ଆଦୌ ଜନତା କିମ୍ବା ପ୍ରକୃତି ପାଇଁ ସୁସ୍ଥ ନିର୍ଣ୍ଣୟ ନୁହେଁ। ବ୍ୟାବସାୟିକ ସ°ସ୍ଥାନ ଗୁଡିକ କେବଳ ନିଜ ଲାଭ ଛଡା ସ୍ଥାନୀୟ ବାସିନ୍ଦାଙ୍କ ଉନ୍ନତି ବିଷୟରେ ଚିନ୍ତା କରିବେ ନାହିଁ। ଏବଂ ଗଣତନ୍ତ୍ର ବିହୀନ ଗୋଟିଏ ଅଞ୍ଚଳରେ, ଯେଉଁଠି ସ୍ଥାନୀୟ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣା ଶୁଣା ଯିବନି, ସେ ଅଞ୍ଚଳରେ ଏ ପ୍ରକାର ବିକାଶ ପାଇଁ କାହା ମନରେ ଉତ୍ସାହ ରହିବ?”

ଗତବର୍ଷ, ଜାନୁଆରୀରେ ମଧ୍ୟ ସୋନମ୍ ଓ୍ବଙ୍ଗଚୁକ୍, ସମାନ ଦାବି ସହ ୫ ଦିନିଆ ଅନଶନରେ ବସିଥିଲେ। ୯ ରାଉଣ୍ଡର ଆଲୋଚନା ଏବଂ କଥାବାର୍ତ୍ତା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏଇ ମାର୍ଚ୍ଚ ୩ ତାରିଖ ଦିନ ପାଖାପାଖି ୩୦୦୦୦ ଲଦ୍ଦାଖି ଜନତା ଲେହ ଠାରେ ଏକାଠି ହୋଇ ପ୍ରଦର୍ଶନ କରିଥିଲେ। ସରକାରଙ୍କ ସହ ଆଲୋଚନା ଫଳପ୍ରଦ ନହେବାରୁ, ମାର୍ଚ୍ଚ ୬ ତାରିଖଠାରୁ ସୋନମ୍ ଓ୍ବଙ୍ଗଚୁକ୍, ୨୧ ଦିନିଆ ଅନଶନରେ ବସିଲେ। ବର୍ତ୍ତମାନ ଏହି ଆନ୍ଦୋଳନରେ, ଲେହ (ବୌଦ୍ଧ ଧର୍ମାବଲମ୍ବୀ ବହୁଳ) ଏବଂ କାରଗିଲ୍ (ମୁସଲମାନ ଧର୍ମାବଲମ୍ବୀ ବହୁଳ) ଉଭୟ ଅଞ୍ଚଳର ଜନତା ସାମିଲ ଅଛନ୍ତି। ସମୁଦାୟ ୫୯, ୧୪୬ ବର୍ଗ କିଲୋମିଟର ଆୟତନ ବିଶିଷ୍ଠ ଏହି କେନ୍ଦ୍ରଶାସିତ ଅଞ୍ଚଳର ଜନସଂଖ୍ୟା ୨୭୪, ୨୮୯ (୨୦୧୧ ଜନଗଣନା ଅନୁସାରେ) ରହିଛି। ଯଦିଓ ୨୦୧୯ରେ ଏହା ଜାମ୍ମୁ କାଶ୍ମୀରର ସହ ସମାନ ସମୟରେ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା, କିନ୍ତୁ ଏହାର ଜମ୍ମୁ କାଶ୍ମୀର ପରି ନିଜର କୌଣସି ବିଧାନସଭା କିମ୍ବା କାଉନସେଲ୍ ଅଫ୍ ମିନିଷ୍ଟରସ୍ ନରହି, ସିଧାସଳଖ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଲା। ବର୍ତ୍ତମାନ ଲଦ୍ଦାଖ ସ°ସଦୀୟ କ୍ଷେତ୍ରରୁ ମାତ୍ର ଗୋଟିଏ ଲୋକସଭା ଆସନ ରହିଥିବା ବେଳେ, ଏଠାରୁ ରାଜ୍ୟସଭାକୁ କୌଣସି ବ୍ୟକ୍ତି ମନୋନୀତ ହୁଅନ୍ତି ନାହିଁ। ସେଥିପାଇଁ ଲଦ୍ଦାଖି ଜନତା ବାରମ୍ବାର ଏବଂ ଲଗାତାର ଅଭିଯୋଗ କରି ଆସୁଛନ୍ତି ଯେ, ଲଦ୍ଦାଖ ଓ ସ୍ଥାନୀୟ ଜନତାଙ୍କ ସମସ୍ୟା ତଥା ମନର କଥାକୁ ଦେଶ ସାମନାରେ ପେଶ୍ କରିବା ପାଇଁ ତାଙ୍କର କେହି ଜନପ୍ରତିନିଧି ରହୁ ନାହାନ୍ତି। ଏହି ଆଧାରରେ ଏଥର ଆନ୍ଦୋଳନ ଓ ପ୍ରଦର୍ଶନରେ ଲଦ୍ଦାଖ ଜନତା ତାଙ୍କ ଅଞ୍ଚଳରୁ ଅତି କମ୍ ରେ ୨ଟି ଲୋକସଭା ଆସନ ପାଇଁ ଦାବି କରୁଛନ୍ତି।

ସେମିତି ସେଠିକାର ଜଳବାୟୁ, ସ°ସାଧନ ଏବଂ ଲୋକଙ୍କ ଜୀବନଶୈଳୀ ଅନୁସାରେ ସ୍ଥାନୀୟ କୌଣସି ନିଷ୍ପତ୍ତି ନେବା ପାଇଁ ମଧ୍ୟ ସେମାନଙ୍କର କୌଣସି ଅଧିକାର ନାହିଁ କିମ୍ବା ସେମାନଙ୍କର କେହି ପ୍ରତିନିଧି ନାହାନ୍ତି। ଏ ସବୁ କଥାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଲଦ୍ଦାଖକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା କରିବା ସହ ତାଙ୍କ ରାଜ୍ୟର ସ୍ବତନ୍ତ୍ର ପ୍ରାଶାସନିକ ସେବା ପରୀକ୍ଷା କରେଇବା ପାଇଁ ଦାବି ରଖିଛନ୍ତି (ଯେମିତି ଆମ ରାଜ୍ୟରେ OPSC ରହିଛି)। ଏହା ଦ୍ବାରା ତାଙ୍କ ଅଞ୍ଚଳର ଶାସନ ତଥା ପଲିସିମେକି°ର ପାଓ୍ବାର ସେମାନଙ୍କ ନିଜ ହାତରେ ରହିବ ବୋଲି ସେମାନେ ମତ ରଖିଛନ୍ତି।

ଉପୋରକ୍ତ ତିନୋଟି ଦାବି ଛଡା, ଲଦ୍ଦାଖି ମାନଙ୍କର ଆଉ ଗୋଟିଏ ବଡ ଦାବି ହେଉଛି, ଲଦ୍ଦାଖକୁ ଭାରତୀୟ ସମ୍ବିଧାନର ସିଡ୍ବୁଲ୍-୬ ଅର୍ନ୍ତଭୁକ୍ତ କରିବା। ଏହି ଦାବି ସେଠିକା ବାସିନ୍ଦାଙ୍କର କୌଣସି ନୂତନ ଦାବି ନୁହେଁ। ଏବେଠୁ ଚାରିବର୍ଷ ତଳେ ସ୍ବୟଂ କେନ୍ଦ୍ରରେ ଥିବା ଭାଜପା ନିଜେ ଲଦ୍ଦାଖକୁ ସିଡ୍ବୁଲ୍-୬ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସିଡ୍ବୁଲ୍-୬ ଆମ ସମ୍ବିଧାନର ଧାରା Articles 244(2) and 275(1) ଅନ୍ତର୍ଭୁକ୍ତ। ବର୍ତ୍ତମାନ ଏହି ସିଡ୍ବୁଲ୍ ଅଧୀନରେ ଆସାମ, ମିଜୋରାମ୍, ତ୍ରିପୁରା, ମେଘାଳୟ ଅଛନ୍ତି। ସମ୍ବିଧାନ ନିର୍ମାଣ ସମୟରେ ହିଁ ଏହି ସ୍ବତନ୍ତ୍ର ଏବଂ ସମ୍ବେଦନଶୀଳ ଧାରାକୁ ତିଆରି କରା ଯାଇଥିଲା, ଦେଶର ସମ୍ବେଦନଶୀଳ ଆଦିବାସୀ ଏବଂ ଜନଜାତି ବହୁଳ ଅଞ୍ଚଳ ଗୁଡିକୁ ସ୍ବତନ୍ତ୍ର ଶାସନ ଅଧିକାର ଜରିଆରେ ସୁରକ୍ଷା ପ୍ରଦାନ ପାଇଁ। ଏହି ସିଡ୍ବୁଲ୍ ଅଧିନରେ ସ୍ଥାନୀୟ ଜନଜାତିର ଲୋକେ ସେମାନଙ୍କ ଦ୍ବାରା ନିର୍ବାଚିତ Autonomous District/ Region Council ଗଢି ନିଜ ଅଞ୍ଚଳର ଶାସନତନ୍ତ୍ରକୁ ନିଜ ହାତରେ ରଖିପାରିବେ। ଏହି କାଉନସେଲ୍ ସ୍ଥାନୀୟ ଜଳବାୟୁ, ପ୍ରାକୃତିକ ସ°ସାଧନ ଓ ଜନଜାତିର ପରମ୍ପରାକୁ ନଜରରେ ରଖି ଭୂମି ଅଧିଗ୍ରହଣ, ଜଙ୍ଗଲ, ଜଳସେଚନ, କୃଷି, ଗ୍ରାମିଣ ପ୍ରଶାସନିକ ବ୍ୟବସ୍ଥା, ବିବାହ ଓ ବିଚ୍ଛେଦ, ଉତ୍ତରାଧିକାରୀ ନିୟମ ଆଦି ଲାଗୁ କରି ପାରିବ। ଏହାଛଡା ଉକ୍ତ ଅଞ୍ଚଳରେ ବିଦ୍ୟାଳୟ, ଚିକିତ୍ସାଳୟ, ହାଟବଜାର ପ୍ରତିଷ୍ଠା, ରାସ୍ତା ନିର୍ମାଣ ଓ ଜଳଯୋଗାଣ ଆଦି ବିଷୟରେ ମଧ୍ୟ ନିଷ୍ପତ୍ତି ନେଇ ପାରିବେ। ଏପରିକି ପ୍ରାଥମିକ ବିଦ୍ୟାଳୟରେ ଶିଶୁ କେଉଁ ଭାଷାରେ ଶିକ୍ଷା ଗ୍ରହଣ କରିବେ ତାହା ମଧ୍ୟ ଉକ୍ତ କାଉନସେଲ୍ ନିର୍ଣ୍ଣୟ କରି ପାରିବ। ସେମାନେ ନିଜ ଅଞ୍ଚଳ ପାଇଁ ବଜେଟ୍ ପ୍ରସ୍ତୁତ କରିବା ସହ ଟିକସ ମଧ୍ୟ ଆଦାୟ କରି ପାରିବେ ଏବଂ ବାହାରୁ ଆସୁଥିବା ବ୍ୟବସାୟୀକ ପ୍ରତିଷ୍ଠାନକୁ ଅନୁମତି ଦେବା ନଦେବା ମଧ୍ୟ ସ୍ଥାନୀୟ ଅଟୋନମସ୍ କାଉନସେଲର ଅଧିକାର ଭୁକ୍ତ। ଗୁଜ୍ଜର, ବୋଟ୍ସ, ବାକରଓ୍ବାଲା, ଚାଙ୍ଗପାସ୍, ବାଲ୍ଟିସ୍ ଓ ପୁରିଗ୍-ପାସ୍ ପରି ବିଭିନ୍ନ ଜନଜାତି ଲଦ୍ଦାଖର ସମୁଦାୟ ଜନସଂଖ୍ୟାର ହାରାହାରି ୯୦%, ସେମାନେ ସିଡ୍ବୁଲ୍-6 ଅନ୍ତର୍ଭୁକ୍ତ ହେବା ପାଇଁ ଦାବି କରିବା ଠିକ୍ ନା ଭୁଲ୍ ତାହା ବିଚାର କରିବା ଆଦୌ କଷ୍ଟକର ନୁହେଁ!

ହୁଏତ ସବୁ ରାଜନୈତିକ ଦଳ ପାଇଁ ଲଦ୍ଦାଖ ଏବଂ ଲଦ୍ଦାଖି ମାନଙ୍କ ମୂଲ୍ୟ ମାତ୍ର ଗୋଟିଏ ଲୋକସଭା ଆସନ ହୋଇପାରେ! କିନ୍ତୁ ସେହି ଅଞ୍ଚଳର ଜଳବାୟୁ, ଜୀବଜଗତ, ବାସିନ୍ଦାଙ୍କ ଜୀବନଶୈଳୀ ଓ ତା’ର ବାକି ଦେଶ ପାଇଁ ମହତ୍ତ୍ଵ ଓ ପ୍ରଭାବ ଜାଣିବା ପରେ, ଜଣେ ସାଧାରଣ ଜନତା ଆଉ ଜଣେ ସାଧାରଣ ଜନତା ସହ ଛିଡା ହେବା ଉଚିତ କି ନୁହେଁ ବିଚାର କରିବା ଦାୟିତ୍ୱ ଆମର! ହୁଏତ ଆପଣ ଚିକଚିକିଆ-ସେକ୍ସି ଡ୍ୟାନ୍ ୟୁଟ୍ୟୁବ୍ ଚ୍ୟାନେଲ କିମ୍ବା ‘ହାତୀ ଉପରେ ରଚନା’ ପରି ଉଦ୍ଭଟ ଜୋକ୍ ଛାଡି ସୋନମ୍ ଓ୍ବଙ୍ଗଚୁକଙ୍କ ଚ୍ୟାନେଲ୍ ପ୍ରତି କେବେ ଦୃଷ୍ଟିପାତ କରି ନଥିବେ, ନହେଲେ ହୁଏତ ମୋତେ ଓ୍ବଙ୍ଗଚୁକଙ୍କ ପରି ବୈଜ୍ଞାନିକ ଓ ଆବିଷ୍କାରଙ୍କ ବିଷୟରେ କହିବା ପାଇଁ ୧୪ ବର୍ଷ ତଳର ଗୋଟିଏ ଫିଲ୍ମର ସାହାରା ନେବାକୁ ପଡି ନଥାନ୍ତା…..ତେଣୁ ଲଦ୍ଦାଖକୁ ନେଇ ଆପଣ ଯେ ସମ୍ବେଦନଶୀଳ ହୋଇ ପଡିବେ ସେ ଆଶା ମୋର ଖୁବ୍ କ୍ଷୀଣ! ଏସବୁ ଲେଖିବା ଭିତରେ ମୋର ଗତବର୍ଷ ଜଣେ ଲଦ୍ଦାଖି ଝିଅ, ଛାତ୍ର ଓ ରାପର୍ ଲା-ଡୋଲଙ୍କ ରାପ୍-ସଙ୍ଗ୍ ମନେ ପଡି ଭୟ ଲାଗୁଛି, କାଲିକୁ ଏହା ଅନ୍ୟ କେଉଁ ଅଞ୍ଚଳର ଶବ୍ଦ ନହୋଇ ଯାଉ…….ହେ କୈସା ରାଜ୍ୟ, ଜିସମେ ବୋଲନେ କା ଭି ହକ୍ ନା ହୋ…….ୟୁହିଁ ନ ବୋଲତେ ହମ୍, କି ଖତରେ ମେ ହୈ ହମାରା ଘର୍…..ନଦେଖା ହୋ ତୋ, ଯାକେ ଦେଖଲୋ ୟୁଟ୍ୟୁବ୍ ପର୍…….

 

 

Comments are closed.