କ୍ଷମାଶିଳା ଦ୍ରୌପଦୀ

ଅର୍ଜୁନୀ ଚରଣ ବେହେରା

କ୍ଷମାଶିଳା ଦ୍ରୌପଦୀ
==============
କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ, ଭୀମ ସିଂହନାଦ କରି ଦୁର୍ଯ୍ୟୋଧନକୁ ଧିକ୍କାର କରି ଆହ୍ୱାନ ଦେବାରୁ ଦୁର୍ଯ୍ୟୋଧନ ଆଉ ସମ୍ଭାଳି ନପାରି ବାହାରକୁ ଚାଲି ଆସିଲେ l ମହାବଳି ଭୀମଙ୍କ ସହ ତାଙ୍କର ତୁମୁଳ ଗଦା ଯୁଦ୍ଧ ହେଲା l ଭୀଷଣ ଗଦାଘାତରେ ଭୀମ ତା’ର ଉରୁଭଗ୍ନ କରି ଭୂପତିତ କରାଇଲେ l
ରକ୍ତାକ୍ତ ଦୁର୍ଯ୍ୟୋଧନ ଭୂମି ଉପରେ ପଡ଼ି ରହିଥାନ୍ତି l ଶ୍ଵାନ ଶୃଗାଳ ମାନେ ତାଙ୍କ ଚାରିପଟେ ବେଢ଼ି ରହି ଥାନ୍ତି l ଏହି ସମ୍ବାଦ ପାଇ ଅଶ୍ୱତ୍ଥାମା, କୃତବର୍ମା ଓ ଆଚାର୍ଯ୍ୟ କୃପ ଯାଇ ତାଙ୍କ ନିକଟରେ ପହଞ୍ଚିଲେ l ଧୂଳି ଧୂସରିତ, ଦୀନ ଦୁର୍ଯ୍ୟୋଧନଙ୍କୁ ଦେଖି ତାଙ୍କର ଶୋକର ସୀମା ରହିଲା ନାହିଁ l ଅଶ୍ୱତଥାମା ମୁମୂର୍ଷୁ ଦୁର୍ଯ୍ୟୋଧନଙ୍କୁ କହିଲେ ମହାରାଜ ! ବର୍ତ୍ତମାନ ମଧ୍ୟ ସମୟ ଅଛି l ଆପଣ ଆଜ୍ଞାଦେଲେ ମୁଁ ଏହିକ୍ଷଣି ଏ ଧରାକୁ ଅପାଣ୍ଡବା କରିଦେବି l କୃପାଚାର୍ଯ୍ୟଙ୍କ ଦ୍ୱାରା ଏକ ଜଳକଳସ ମଗାଇ ଦୁର୍ଯ୍ୟୋଧନ ଅତିହର୍ଷରେ ଅଶ୍ୱତ୍ଥାମାଙ୍କୁ ସେନାପତି ପଦରେ ବରଣ କଲେ l ପ୍ରତିଶୋଧ ପରାୟଣ ହୋଇ, ସେମାନେ ସମସ୍ତେ ପାଣ୍ଡଵ ଶିବିର ଆଡ଼କୁ ଚାଲିଲେ l ଦୁର୍ଯ୍ୟୋଧନଙ୍କ ପତନରେ ଆନନ୍ଦ ଉଲ୍ଲାସମୟ ପାଣ୍ଡଵ ଶିବିରରେ କିନ୍ତୁ ସେମାନେ ପଶିବାକୁ ଭରସି ପାରିଲେ ନାହିଁ l ନିକଟ ଏକ ଜଙ୍ଗଲରେ ସେମାନେ ଯାଇ ଅପେକ୍ଷା କରି ରହିଲେ l
ଏହି ସମୟରେ ଏକ ଘଟଣା ଘଟିଲା l ସେଠାରେ ଥିବା ଏକ ବରଗଛରେ ବହୁ କାକ ବସାକରି ରହୁ ଥାନ୍ତି l ରାତ୍ରିରେ ସେମାନେ ସୁପ୍ତ ଅବସ୍ଥାରେ ଥିବା ବେଳେ ଗୋଟିଏ ପେଚା କୁଆଡ଼ୁ ଉଡ଼ି ଆସି ତା’ର ତୀକ୍ଷ୍ଣ ଚଞ୍ଚୁ ଓ ନଖାଘାତରେ ବହୁ ବାୟସ ଶାବକ ମାନଙ୍କୁ ମାରି ଦେଲା l ଏହା ଦେଖି, ଅଶ୍ୱତ୍ଥାମାଙ୍କ ମୁଣ୍ଡକୁ ବୁଦ୍ଧିଟିଏ ଜୁଟିଗଲା,ବଳବାନ ଶତ୍ରୁକୁ ସୁପ୍ତ ଅବସ୍ଥାରେ ମାରିଦିଆଯାଇ ପାରେ l ଏହା ବିଚାରି ସେ ପାଣ୍ଡଵ ଶିବିର ଅଭିମୁଖେ ତୀକ୍ଷ୍ଣ କୃପାଣଟିଏ ଦୃଢ଼ମୁଷ୍ଟିରେ ଧରି ଆଗେଇ ଚାଲିଲେ l ସେଠାରେ ପହଞ୍ଚି ଦେଖିଲେ, ଧୃଷ୍ଟଦ୍ୟୁମ୍ନ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରି ସୁଖନିଦ୍ରା ଯାଇଛନ୍ତି l ସେ ଆଉ କାଳ ବିଳମ୍ବ ନକରି ତୀକ୍ଷ୍ଣ ତରବାରୀ ଚୋଟରେ ତାଙ୍କୁ ନିହତ କଲେ l ଯୁଦ୍ଧାମନ୍ୟୁ ଏବଂ ଉତ୍ତମୋୖଜାଙ୍କୁ ମଧ୍ୟ ସେ ଏହିପରି ନିହତ କଲେ l ଏହା ପରେ ସେ ପାଣ୍ଡଵ ପାଞ୍ଚ ଜଣ ଶୋଇଥିବା ମନେ କରି ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରଙ୍କୁ ହାଣି ପକାଇଲେ l ତତ୍ପରେ ପାଣ୍ଡଵ ଶିବିରରେ ସେ ନିଆଁ ଲଗାଇ ଦେଲେ l ବିକଳରେ ସୁପ୍ତ ଯୋଦ୍ଧା ମାନେ ଏଣେ ତେଣେ ପଳାଉ ଥିବା ବେଳେ, ସେ ଗୋଟି ଗୋଟି କରି, ସମସ୍ତଙ୍କୁ ହାଣି ପକାଇଲେ l ସେଦିନ ସେ କାଳ ରାତ୍ରିରେ ପାଣ୍ଡଵ ଶିବିର ଏହିପରି ରକ୍ତ ରଞ୍ଜିତ ହୋଇଗଲା l
ପାଣ୍ଡଵ ଶିବିରରେ ଏହିପରି ରକ୍ତର ହୋଲି ଖେଳି ଅଶ୍ୱତ୍ଥାମା ମୁମୂର୍ଷୁ ଦୁର୍ଯ୍ୟୋଧନଙ୍କ ନିକଟକୁ ଫେରି ଆସି କହିଲା, ମହାରାଜ ! ମୁଁ ମୋ ପ୍ରତିଜ୍ଞା ପୂରଣ କରିଛି l ସମସ୍ତ ପାଣ୍ଡଵ ଶିବିର ଧ୍ବଂସ ହୋଇଛି l ଦୁର୍ଯ୍ୟୋଧନ କହିଲେ, ‘ଆଜି ତୁମେ ଯେଉଁ କାର୍ଯ୍ୟ କଲ,ତାହା କେହି ବି କରି ପାରି ନଥିଲେ l ତୁମକୁ ଶତ ଶତ ଅଭିନନ୍ଦନ ‘ l ଏମିତି କହି ଦୁର୍ଯ୍ୟୋଧନ ପ୍ରାଣ ତ୍ୟାଗ କଲେ l
ପ୍ରଭାତହେବାରୁ ଯୁଧିଷ୍ଠିରଙ୍କ ପାଖରେ ପୂର୍ବରାତ୍ରିର ସେହି ବିଭୀଷିକା କଥା ପହଞ୍ଚିଲା l ଧର୍ମରାଜ ଉଚ୍ଚ ସ୍ୱରରେ ବିଳାପ କରି କହିଲେ, ବିଶାଳ ସମୁଦ୍ରକୁ ପାର କରି ଆମ ତରୀଟି କୂଳରେ ଲାଗିବା ପୂର୍ବରୁ ବୁଡ଼ି ଗଲା l ଆହା ହତଭାଗୀନି ଦ୍ରୌପଦୀ, ପୂର୍ବେ ସେ ପିତାଙ୍କୁ ହରାଇ ଥିଲା l ଏବେ ପାଞ୍ଚପୁତ୍ର ଏବଂ ଭାଇ l ମୁଁ କଅଣ କହି ତାଙ୍କୁ ସାନ୍ତ୍ୱନା ଦେବି l
ଧର୍ମରାଜଙ୍କ ନିକଟକୁ ଆସି ଦ୍ରୌପଦୀଙ୍କ ଶୋକର ସୀମା ରହିଲା ନାହିଁ l ସେ ଚିତ୍କାର କରି କହିଲେ, ଅଶ୍ୱତ୍ଥାମାକୁ କଣ ଶାସ୍ତି ଦେବାପାଇଁ କେହିହେଲେ ନାହାଁନ୍ତି l ଦ୍ରୌପଦୀଙ୍କ କଥା ଶୁଣି ଭୀମ ଅତି କ୍ରୁଦ୍ଧ ହୋଇ ଅଶ୍ୱତ୍ଥାମାକୁ ଖୋଜିବା ପାଇଁ ବାହାରିଲେ l ଭୀମ ଚାଲିଗଲା ପରେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଡାକି କହିଲେ,ମହାରାଜ ! ଅଶ୍ୱତ୍ଥାମା ହସ୍ତରେ ବ୍ରହ୍ମଶିର ବୋଲି ଏକ ମହା ତେଜଶାଳୀ ଅସ୍ତ୍ର ଅଛି l ସମସ୍ତ ସଂସାରକୁ ଦଗ୍ଧ କରି ଦେବାର ଶକ୍ତି ସେହି ଅସ୍ତ୍ରର ରହିଛି l ସେ ପିତା ଦ୍ରୋଣଙ୍କ ଠାରୁ ଏହା ପାଇଛି l ଆଚାର୍ଯ୍ୟ ଏଭଳି ଏକ ଅସ୍ତ୍ର ମଧ୍ୟ ଫାଲ୍ଗୁନୀଙ୍କୁ ଦାନ କରି ଥିଲେ l ଏ ଅସ୍ତ୍ରର ନିୟମ ହେଉଛି, ଅତ୍ୟନ୍ତ ଭୟଙ୍କର ସ୍ଥିତି ନହେଲେ ଏହାକୁ ପ୍ରୟୋଗ କରା ଯିବନାହିଁ l ତେଣୁ ଅର୍ଜୁନଙ୍କୁ ଉପଯୁକ୍ତ ମନେ କରି ଗୁରୁ ଏହା ପ୍ରଦାନ କରି ଥିଲେ l ଅଶ୍ୱତ୍ଥାମା ପରେ ବହୁ ଜିଦ କଲାରୁ ପୁତ୍ର ସ୍ନେହବଶ ସେ ତାକୁ ଏହା ପ୍ରଦାନ କରିଛନ୍ତି l ମୋର ଆଶଙ୍କା ହେଉଛି କାହିଁ ବାତୁଳ ପ୍ରାୟେ, ସେ ଏହା ଭୀମଙ୍କ ପ୍ରତି ପ୍ରୟୋଗ କରିଦେବ ନାହିଁ ତ? ଚାଲନ୍ତୁ ଆମେ ସମସ୍ତେ ମିଶି ଭୀମଙ୍କୁ ରକ୍ଷା କରିବା l ଏକଦା ଅଶ୍ୱତ୍ଥାମା ସେହି ବ୍ରହ୍ମଶୀର ଅସ୍ତ୍ର ବଦଳରେ, ମୋତେ ସୁଦର୍ଶନ ଚକ୍ର ମାଗିଥିଲା l ଏପରି ଚିନ୍ତା କରି ସେମାନେ ଭୀମଙ୍କ ଅନୁଧାବନ କଲେ l
ଗଙ୍ଗାକୂଳ ବ୍ୟାସାଶ୍ରମରେ ଥାଇ, ସେ ସେମାନଙ୍କୁ ଦେଖି ଅତି ଭୟଭୀତ ହୋଇ, ଏକ କୁଶକୁ ଆଣି ବ୍ରହ୍ମଶିର ଅସ୍ତ୍ର ମନ୍ତ୍ରରେ ଅଭିମନ୍ତ୍ରିତ କରି, ‘ ସମସ୍ତ ପାଣ୍ଡଵକୁଳ ନାଶ ହେଉ’ କହି ଛାଡ଼ି ଦେଲା l ସେ ଅସ୍ତ୍ରର ପ୍ରଚଣ୍ଡ ତେଜ ସମସ୍ତ ସଂସାରକୁ ଭଷ୍ମକରି ଦେବା ଭଳି ବୋଧହେଉଥାଏ l ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ପାର୍ଥ ଏ ଅସ୍ତ୍ରକୁ ନିବାରଣ ପାଇଁ, ତୁମକୁ ଗୁରୁ ଦ୍ରୋଣଙ୍କ ଦତ୍ତ ଅସ୍ତ୍ର, ପ୍ରୟୋଗ କର l ଅର୍ଜୁନ ଗୁରୁଙ୍କୁ ପ୍ରଣାମ କଲେ ଓ ତାଙ୍କର ବ୍ରହ୍ମଶିର ଅସ୍ତ୍ରକୁ ପ୍ରେରଣ କଲେ l ଦୁଇ ଅସ୍ତ୍ରର ଜ୍ୱାଳାରେ ଭୂ ମଣ୍ଡଳ ଥରହର ହେବାକୁ ଲାଗିଲା l ସଂସାର ରକ୍ଷାପାଇଁ ଦେବର୍ଷି ନାରଦ ଓ ମହର୍ଷି ବ୍ୟାସ ଦୁହିଁଙ୍କୁ ଏହାକୁ ପ୍ରତ୍ୟାହାର ପାଇଁ ଉପଦେଶ ଦେଲେ l
ଅର୍ଜୁନ ଧାର୍ମିକ, ନ୍ୟାୟ ବନ୍ତ ଓ ଜିତେନ୍ଦ୍ରିୟ ହୋଇ ଥିବାରୁ, ଅସ୍ତ୍ର ଫେରାଇ ଆଣିଲେ l କିନ୍ତୁ ଅଶ୍ୱତ୍ଥାମା ଏସବୁ ଗୁଣର ଅଧିକାରୀ ନ ହୋଇ ଥିବାରୁ, ତାହା କରି ପାରିଲେନାହିଁ l ସେ ଋଷିମାନଙ୍କ କଥା ମାନି କହିଲେ,ଏ ଅସ୍ତ୍ର ଫେରାଇବା ମୋର ସାଧ୍ୟାତୀତ l କିନ୍ତୁ ଏହା ସମସ୍ତ ପାଣ୍ଡଵଙ୍କ ସଂହାରକ ନହୋଇ ପାଣ୍ଡଵଙ୍କ କୁଳବଧୁ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ ପତିତ ହେଉ l
ଅର୍ଜୁନ ଅଶ୍ୱତ୍ଥାମାଙ୍କୁ ଜୀବନରେ ନ ମାରି, ତାହାର କପାଳରେ ଥିବା, ଦିବ୍ୟ ମଣିଟିକୁ କାଢ଼ି ନେଲେ l ଶ୍ରୀକୃଷ୍ଣ କହିଲେ, ଅଶ୍ୱତ୍ଥାମାର ଅସ୍ତ୍ର ଅଵ୍ୟର୍ଥ,ଏହା ଉତ୍ତରାଙ୍କ ଗର୍ଭରେ ପଡ଼ିଲେ ଏକ ମୃତ ପୁତ୍ର ଜନ୍ମ ହେବ l କିନ୍ତୁ ମାଆ ଉତ୍ତରାଙ୍କ ତପ ବଳରେ ସେ ପୁତ୍ର ଜୀବନ ଲାଭ କରି ଦୀର୍ଘାୟୁ ହେବ l ପାଣ୍ଡଵ କୁଳ କ୍ଷୀଣ ହେବା କାଳରେ, ସେହି ପୁତ୍ରର ଜନ୍ମ l ତେଣୁ ତାହାର ନାମ ହେବ ପରୀକ୍ଷିତ l ସେ ଏହି ପୃଥିବୀକୁ ଷାଠିଏ ହଜାର ବର୍ଷ ଶାସନ କରିବ l କୃଷ୍ଣ ଅଶ୍ୱତ୍ଥାମାଙ୍କୁ କହିଲେ, ବ୍ରାହ୍ମଣ ହୋଇ ତୁମେ ଯେଉଁ ନିନ୍ଦନୀୟ କର୍ମ କରିଛ, ସେଥି ପାଇଁ ତୁମେ ତିନି ହଜାର ବର୍ଷ ଯାଏ ସହାୟହୀନ ହୋଇ ପୂଯ ରକ୍ତ ଓ ଦୁର୍ଗନ୍ଧ ଯୁକ୍ତ ହୋଇ ଜନଶୂନ୍ୟ ରାଜ୍ୟରେ ବିଚରଣ କରିବ l
ସମସ୍ତେ ଦ୍ରୌପଦୀଙ୍କ ନିକଟକୁ ଫେରି ଆସିଲେ ଓ ତାଙ୍କୁ ମଣିଟିକୁ ପ୍ରଦାନ କରି, ଅଶ୍ୱତ୍ଥାମାଙ୍କୁ ପ୍ରଦତ୍ତ ଦଣ୍ଡ ବିଷୟ କହିଲେ l ଦ୍ରୌପଦୀ କହିଲେ, ‘ଗୁରୁ ପୁତ୍ର, ଗୁରୁ ସ୍ଥାନୀୟ l ତାଙ୍କୁ ହତ୍ୟା ନ କରି ଯେଉଁ ଦଣ୍ଡ ଦିଆ ଯାଇଛି, ତାହା ଯଥାର୍ଥ l ମୁଁ ଯେଉଁ ପୁତ୍ର କଷ୍ଟ ଭୋଗ କରୁଛି, ତାଙ୍କ ମାତା କୄପୀ ଆଉ ସେ କଷ୍ଟ ଭୋଗନକରନ୍ତୁ,ଏ ମଣି ରାଜମସ୍ତକ ଯୋଗ୍ୟ ମହାରାଜ ଯୁଧିଷ୍ଠିର ଏହାକୁ ଧାରଣ କରନ୍ତୁ l
ଏହିପରି କ୍ଷମାଶିଳା ଥିଲେ, ପାଣ୍ତବବଧୂ ଦ୍ରୌପଦୀ l ନିଜ ପୁତ୍ର ମାନଙ୍କ ହତ୍ୟାକାରୀ, ଅଶ୍ଵତ୍ଥାମାଙ୍କୁ ମଧ୍ୟ ସେ ନିର୍ବିକାର ଚିତ୍ତରେ କ୍ଷମା ଦେଇଥିଲେ l ସେହି ରକ୍ତରଞ୍ଜିତ କାଳରାତ୍ରୀରେ ସମାଧି ଲଭିଥିବା ତାଙ୍କ ପାଞ୍ଚପୁତ୍ର ଥିଲେ ପ୍ରତିବିନ୍ଦ୍ୟ, ସୂତସୋମ, ଶ୍ରୁତକର୍ମା ସତାନିକ ଓ ଶ୍ରୁତସେନ l ଅଶ୍ଵତ୍ଥାମା ବ୍ରହ୍ମଶୀର ଅସ୍ତ୍ର ଯାଇ ଉତ୍ତରା ଦେବୀଙ୍କ ଗର୍ଭରେ ପଡ଼ିଲା l ଶ୍ରୀକୃଷ୍ଣ ସେହି ଗର୍ଭକୁ ରକ୍ଷା କଲେ ଏଵଂ ଜନ୍ମ ଲାଭ କଲେ ପାଣ୍ତବ କୂଳ ଅଙ୍କୁର ମହାରାଜ ପରୀକ୍ଷିତ l
!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏
ଅର୍ଜୁନୀ
—————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.