ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ବଲାଙ୍ଗୀର : ନବବର୍ଷ ୨୦୨୪ ଆରମ୍ଭରେ ବୁଧବାର ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ବୁଧବାର ବଲାଙ୍ଗୀରରେ ଜଳସେଚନର ଐତିହାସିକ ଅଧ୍ୟାୟ ଯୋଡି ହୋଇଛି। ବଲାଙ୍ଗୀର ମାଗୁରବେଢା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ୨୭୨୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛିା ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର ଓ ସୋନପୁରବାସୀ ଉପକୃତ ହେବେ। ୩୦୫ କୋଟି ମୂଲ୍ୟର ୬୯ ପ୍ରକଳ୍ପର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହାସହ ୨୨୨୦ କୋଟି ମୂଲ୍ୟର ୧୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ସମଲେଶ୍ୱରୀ, ପାଟଣେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଉଦ୍‌‌ବୋଧନ ଆରମ୍ଭ କରି କହିଛନ୍ତି, ଆଜିର ଦିନ ସ୍ୱପ୍ନ ସାକାରର ସ୍ୱତନ୍ତ୍ର ଦିନ। ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି। ସୁକତେଲ ପ୍ରକଳ୍ପ ଜଳସେଚନ ଓ କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ। ୧ଲକ୍ଷ ଏକର ଜମିକୁ ପାଣି ମିଳିବ। ବଲାଙ୍ଗୀର ଓ ସୋନପୁର ଜିଲାର ୨୦୦ରୁ ଅଧିକ ଗାଁର ଚାଷୀ ଉପକୃତ ହେବେ। ୭୦ ହଜାରରୁ ଅଧିକ ଲୋକ ପିଇବା ପାଣି ପାଇବେ। ଚାଷୀ ରାଜ୍ୟ ଅର୍ଥନୀତିର ସାରଥି। ଚାଷୀ ଭାଇଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଚାଷୀଙ୍କ ପାଇଁ କାଳିଆ ଭଳି ଅନେକ ଯୋଜନା ଜାରି ରହିଛି। ଚାଷୀଙ୍କ ବିକାଶରେ ରାଜ୍ୟର ବିକାଶ। ପ୍ରକଳ୍ପ ପାଇଁ ୨୩ଟି ଗାଁର ଲୋକେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଓ ସବୁଦିନ ମନେ ରହିବ। କୃଷିକ୍ଷେତ୍ରରେ ବିକାଶ ସହ ଜିଲାରେ ରୂପାନ୍ତରର ନୂଆ ଯୁଗ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Comments are closed.