୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶାର ‘ନେତା ନମ୍ବର-୧’ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ୧୯୯୭ରୁ ୨୦୨୪… ୧୯୯୭ରେ ଜନନେତା ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ସମୟକ୍ରମେ ପ୍ରମାଣିତ କରିଦେଲେ ଯେ, ସେ ହିଁ ଓଡ଼ିଶା ମାଟିରେ ନେତା ନମ୍ବର-୧ । ସେଦିନ ରାଜନୀତିକୁ ନବୀନ ହୋଇ ଆସିଥିବା ନବୀନ, ଆଜି ଦେଶର ଜଣେ ପ୍ରବୀଣ ରାଜନେତା । ୨୪ ବର୍ଷ କାଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଦେଇଛନ୍ତି ।

୧୯୯୭ ଏପ୍ରିଲ୍ ୧୭ ତାରିଖ… ଆରପାରିକୁ ଚାଲିଗଲେ ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ବିଜୁ ପଟ୍ଟନାୟକ । ବିଜୁଙ୍କ ବିୟୋଗରେ ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ, ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ ଦିନେ ନିଜ କାନ୍ଧରେ ବୋହିନେବେ ସାରା ଓଡ଼ିଶାର ଭାର । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ନବୀନ ହେଉଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ଦେଇପାରିନଥିଲା କୌଣସି ଦଳ । ୧୯୯୭ ପୂର୍ବରୁ ନବୀନଙ୍କ ନାଁ ବୋଧହୁଏ ହାତଗଣତି ଲୋକ ଜାଣିଥିଲେ, କିନ୍ତୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ଜୀବନ ପୂରାପୂରି ବଦଳିଗଲା । ହୁଏତ ସେତେବେଳେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ, ନବୀନଙ୍କୁ ଆଗରେ ରଖି ଅନୁକମ୍ପା ସାଉଣ୍ଟି ରାଜ୍ୟ ରାଜନୀତିର ସିଡ଼ି ଚଢ଼ିବେ । ମାତ୍ର ସେମାନଙ୍କୁ ଭୁଲ୍ ପ୍ରମାଣିତ କରି ନବୀନ ଗଢ଼ିଲେ ନିଜର ଇମାରତ୍। ରାଜନୀତିରେ ପ୍ରବେଶ କରିବାର କିଛି ମାସ ପରେ ବିଜୁଙ୍କ ନାଁରେ ଗଢ଼ା ହେଲା ବିଜୁ ଜନତା ଦଳ- ବିଜେଡି । ଦଳର ସଭାପତି ଭାବେ ନବୀନ ମାରି ଚାଲିଲେ ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍ ।
୧୯୯୭ : ଆସ୍କା ଲୋକସଭା ଆସନରୁ ସାଂସଦ
୧୯୯୮ : କେନ୍ଦ୍ରର ଏନଡିଏ ସରକାରରେ ଖଣିମନ୍ତ୍ରୀ
୨୦୦୦ : ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ

୧୯୯୭ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ କେନ୍ଦ୍ର ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ କ୍ୟାରିୟର୍ । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ ଏବଂ ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜମୁକୁଟ ।

ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଜଣେ ପରେ ଜଣେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲେ ନବୀନ । ବିରୋଧୀଙ୍କ ମୁହଁ ଉପରେ ଦୁର୍ନୀତିର କଳାଚାଦର ଢାଙ୍କିଦେଇ ନବୀନ ନିର୍ମାଣ କରିଥିଲେ ନିଜର ସ୍ବଚ୍ଛ ଭାବମୂର୍ତ୍ତି । ଏହାସହିତ ଓଡ଼ିଶାରେ ବଢ଼ିଥିଲା ତାଙ୍କର ଲୋକପ୍ରିୟତା । ୨୦୦୪ରେ ପୁଣିଥରେ ଓଡ଼ିଶାରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ବିଜେଡି । କିନ୍ତୁ ୨୦୦୯ ରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମଥର ପାଇଁ ବିଜେପି ହାତ ଛାଡ଼ି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ନବୀନ । ସେତେବେଳକୁ ଓଡ଼ିଶା ମାଟି ନବୀନଙ୍କୁ କୋଳେଇ ସାରିଥିଲା । ତାଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ପ୍ରଭାବ କାଟୁ କରିନଥିଲା । ତା’ପରେ ୨୦୧୪ରେ ସେ ଯାହା କରିଦେଖାଇଥିଲେ ତାହା ଥିଲା ଅନ୍ୟ ଏକ ଇତିହାସ । ଯେଉଁ ପ୍ୟାରୀମୋହନ ମହାପାତ୍ରଙ୍କ ସାଙ୍ଗଠନିକ କୌଶଳ ବିଜେଡି ସଫଳତାର ଚାବିକାଠି କୁହାଯାଉଥିଲା ତାକୁ ବି ଭୁଲ୍ ପ୍ରମାଣିତ କରିଥିଲେ ନବୀନ । ସେ ପ୍ରମାଣିତ କରିଥିଲେ ଓଡ଼ିଶା ଜନମାନସରେ ସେ ହିଁ ଏକମାତ୍ର ଜନନେତା । ଟଙ୍କିକିଆ ଚାଉଳରୁ ଆରମ୍ଭ କରି ମମତା, ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁ ଯୋଜନାରେ ନବୀନଙ୍କୁ ମିଳିଥିଲା ଲୋକପ୍ରିୟତାର ସ୍ୱାକ୍ଷର । ସରକାରରେ ଥିବା ସମୟରେ ନବୀନଙ୍କ ଯେତିକି ଲୋକପ୍ରିୟତା ଥିଲା, ଆଜିର ସମୟରେ ବିରୋଧୀ ଦଳ ନେତା ରୂପେ ମଧ୍ୟ ସେ ସମସ୍ତଙ୍କ ପ୍ରିୟ । ୮୦ତମ ଜନ୍ମଦିନରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥା’ନ୍ତୁ ଏହାହିଁ ଆମର ପ୍ରାର୍ଥନା ।

 

Leave A Reply

Your email address will not be published.