୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ

0

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ–୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ଓ ଉପ-ସଚିବ ଦୁର୍ଗା ଚରଣ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।

ଭୋଟର ତାଲିକା ପ୍ରସ୍ତୁତିକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁସଂଗଠିତ କରିବା ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ ପରିବାରର ସମସ୍ତ ଭୋଟରଙ୍କୁ ଏକ ସ୍ୱତନ୍ତ୍ର ଘର ନମ୍ବର ସହ ଯୋଡ଼ାଯିବ ଏବଂ ସେମାନଙ୍କ ନାମ ସମାନ ୱାର୍ଡ ଓ ବୁଥ୍‌ର ଭୋଟର ତାଲିକାରେ କ୍ରମାନୁସାରେ ରଖାଯିବ, ଯାହାଦ୍ୱାରା ପରିବାରର ସମସ୍ତ ସଦସ୍ୟ ଗୋଟିଏ କେନ୍ଦ୍ରରେ ଭୋଟ ଦେଇପାରିବେ। ସର୍ଭେ ପ୍ରକ୍ରିୟାକୁ ଅଧିକ ଲୋକାଭିମୁଖୀ ଓ ସ୍ୱଚ୍ଛ କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ନିୟୋଜିତ କରିବାକୁ ଅନୁରୋଧ କରାଯାଇଛି।

ଏହି ସର୍ଭେ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥୀ, ସ୍ୱଚ୍ଛସାଥୀ ଓ ଆଶାକର୍ମୀମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବେ। ସେହିପରି, ଏହି କାର୍ଯ୍ୟର ସଠିକ୍ ପରିଚାଳନା ଓ ତଦାରଖ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO), BLO ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ, ୨୦୨୭ ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ତାଲିକାରେ କୌଣସି ତ୍ରୁଟି ସଂଶୋଧନ କିମ୍ବା ନୂତନ ନାମ ପଞ୍ଜୀକରଣ ପାଇଁ ଭୋଟରମାନଙ୍କୁ ୨୦ ଦିନର ସମୟ ଦିଆଯିବ। ନାମ ଯୋଡ଼ିବା କିମ୍ବା ସଂଶୋଧନ ପାଇଁ ଗ୍ରାମାଞ୍ଚଳରେ ଫର୍ମ-୧୬, ସହରାଞ୍ଚଳରେ ଫର୍ମ-III ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VII ବ୍ୟବହାର କରାଯିବ। ସେହିପରି ଅଯୋଗ୍ୟ ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳରେ ଫର୍ମ-୧୭, ସହରାଞ୍ଚଳରେ ଫର୍ମ-IV ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VIII ମାଧ୍ୟମରେ ଆବେଦନ କରାଯାଇପାରିବ। ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଶେଷ ହେବା ପରେ ଆସନ୍ତା ୨୦୨୭ ଫେବୃଆରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

Leave A Reply

Your email address will not be published.