ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ୧୮ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ପ୍ରଶାସନ ଓ ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦିନ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନସ୍ଥିତ ନୂଆ ‘ଅଭିଷେକ ହଲ୍’ରେ ଏହି ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ତଥା ରାଜ୍ୟ ବାହାରୁ ପ୍ରାୟ ୩୦୦ରୁ ଅଧିକ ବିଶିଷ୍ଟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀପରିଷଦର ସଦସ୍ୟ, ସାଂସଦ, ବିଧାୟକ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ।
ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ତାଙ୍କୁ ସଶସ୍ତ୍ର ବାହିନୀ ପକ୍ଷରୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଓ ରାଜଭବନ ଆଖପାଖ ଅଞ୍ଚଳରେ କଡ଼ା ପୋଲିସ ପହରା ବ୍ୟବସ୍ଥା କରାଯାଇଛି। ଶପଥ ଗ୍ରହଣ ସମାରୋହ ପରେ ନୂତନ ରାଜ୍ୟପାଳ ଆନୁଷ୍ଠାନିକ ଭାବେ ରାଜଭବନରେ ନିଜର ଦାୟିତ୍ୱ ଭାର ଗ୍ରହଣ କରିବେ।