ଜଉକଣ୍ଢେଇ ଶୈଳୀରେ ମା’ ଦୁର୍ଗାଙ୍କ ଚିତ୍ର ଆଙ୍କି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇଲେ କେଶୁ ଦାସ

0
ବାଲେଶ୍ୱର, ୧୧/୧୦ (କୃଷ୍ଣ କୁମାର ମହାନ୍ତି): ପବିତ୍ର ମହାଳୟା ଅବସରରେ ବାଲେଶ୍ୱରର ପାରମ୍ପରିକ ଜଉକଣ୍ଢେଇ କଳାକୁ ନିଆରା ଢଙ୍ଗରେ ଉପସ୍ଥାପନ କରିଛନ୍ତି ଏହି କଳା ପାଇଁ ସୁନାମ ଅର୍ଜନ କରିଥିବା ଚିତ୍ରଶିଳ୍ପୀ କେଶୁ ଦାସ। ସେ ଜଉକଣ୍ଢେଇ ଶୈଳୀରେ ମା’ ଦୁର୍ଗାଙ୍କର ମନୋରମ ଚିତ୍ର ପୋଷ୍ଟକାର୍ଡରେ ଆଙ୍କି ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅଭିନବ ପ୍ରୟାସ ମାଧ୍ୟମରେ ସେ ଭାରତର ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ, ଓଡ଼ିଶାର ମହାମହିମ ରାଜ୍ୟପାଳ, ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ଓଡ଼ିଶାର ପୋଷ୍ଟମାଷ୍ଟର ଜେନେରାଲ, ବାଲେଶ୍ୱର ସାଂସଦ ଓ ଜିଲ୍ଲାପାଳଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏଥିସହିତ ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ଓ କବି କୃଷ୍ଣ କୁମାର ମହାନ୍ତି ଓ ପୂର୍ଣ୍ଣ ଦାସଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ପୋଷ୍ଟକାର୍ଡ ଜରିଆରେ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି।
ଜଉକଣ୍ଢେଇ କଳା ପାଇଁ ସମଗ୍ର ଭାରତବର୍ଷରେ ସୁପରିଚିତ ବାଲେଶ୍ୱର ନିବାସୀ କେଶୁ ଦାସ ଦୀର୍ଘଦିନ ଧରି ଏହି ପାରମ୍ପରିକ ବାଲେଶ୍ୱରୀ କଳାର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଏହି କଳାର ସୁରକ୍ଷା ଓ ଲୋକପ୍ରିୟତା ବୃଦ୍ଧିକୁ ସେ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। କେବଳ ନିଜେ ଏହି କଳାର ସାଧନା କରୁନାହାନ୍ତି, ବରଂ ନିଜ ପତ୍ନୀ ଓ ପୁଅଙ୍କୁ ମଧ୍ୟ ଏଥିରେ ସାମିଲ କରିଛନ୍ତି। ପରିବାର ସହଯୋଗରେ ଏହି ପାରମ୍ପରିକ କଳାର ଧାରାକୁ ଆଗକୁ ବଢ଼ାଇବା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ସେ ପ୍ରୟାସ କରୁଛନ୍ତି।
ଜଉକଣ୍ଢେଇ ଶୈଳୀରେ ମା’ ଦୁର୍ଗାଙ୍କ ଚିତ୍ର ଅଙ୍କନ କରି ପୋଷ୍ଟକାର୍ଡ ମାଧ୍ୟମରେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଶାରଦୀୟ ଶୁଭେଚ୍ଛା ପଠାଇବା ତାଙ୍କର କଳାପ୍ରେମ ଓ ସୃଜନଶୀଳତାର ଏକ ନିଆରା ଉଦାହରଣ। ଏହି ପ୍ରୟାସ ମାଧ୍ୟମରେ ସେ ଓଡ଼ିଶାର ଏକ ଅନନ୍ୟ ପାରମ୍ପରିକ ଲୋକକଳାକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ଏହାର ଗୌରବମୟ ପରମ୍ପରାକୁ ଉଜ୍ଜୀବିତ ରଖିବାର ବାର୍ତ୍ତା ଦେଇଛନ୍ତି।
Leave A Reply

Your email address will not be published.