ଝରିଗାଁ, ତା ୧୧/୧୦(ନକୁଳ ଭତ୍ରା):ରକ୍ତଦାନ ମହତ ଦାନ ବୋଲି ସମସ୍ତେ କୁହନ୍ତି, କିନ୍ତୁ ଏହାକୁ ବାସ୍ତବ ଜୀବନରେ କରି ଦେଖାନ୍ତି ବହୁତ କମ୍ ଲୋକ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତର ଯୁବ ସମାଜସେବୀ ବରୁଣ ପନକା ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ଜୀବନରେ ୬୧ ଥର ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି।
ଗତକାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଧୋଡ୍ରା (ଏ.ଏ.ଏମ୍ ପି.ଏଚ୍.ସି) ଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ବରୁଣ ନିଜର ୬୧ ତମ ରକ୍ତଦାନ କରିଥିଲେ। ଏହି ଶିବିରରେ ବିଭିନ୍ନ ବର୍ଗର ଶତାଧିକ ଯୁବକ ଓ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିବା ବେଳେ, ବରୁଣ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ।
ଏହି ଶିବିରକୁ ଆଶାକର୍ମୀମାନେ ଏବଂ ମେଡିକାଲ ଷ୍ଟାଫଙ୍କ ସହଯୋଗରେ ସଫଳ ଭାବେ ଆୟୋଜନ କରାଯାଇଥିଲା।
ବରୁଣଙ୍କ ଏହି ସେବା ମନୋଭାବ ହଠାତ୍ ଆସିନାହିଁ। ଏହା ତାଙ୍କୁ ପରିବାରରୁ ମିଳିଛି। ତାଙ୍କ ପିତା ଧୋଡ୍ରା ପଞ୍ଚାୟତରେ ୨ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିଥିଲେ। ପିଲାଦିନରୁ ପିତାଙ୍କୁ ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖି ବରୁଣଙ୍କ ମନରେ ମଧ୍ୟ ସମାଜସେବା ପ୍ରତି ଆଗ୍ରହ ଜନ୍ମିଥିଲା। ଏହି ସେବା ପରମ୍ପରା ଏବେ ତାଙ୍କ ପରିବାରରେ ଆଗକୁ ବଢିଛି। ତାଙ୍କ ସ୍ତ୍ରୀ ମଧ୍ୟ ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ବାପା-ପୁଅ-ବୋହୂ ସମସ୍ତେ ସମାଜସେବାରେ ଲାଗିଥିବାରୁ ଧୋଡ୍ରା ଅଞ୍ଚଳରେ ଏହି ପରିବାରକୁ ସମସ୍ତେ ସମ୍ମାନ କରନ୍ତି। ବରୁଣ ନିଜେ କେବଳ ରକ୍ତଦାନ ନୁହେଁ, ବିଭିନ୍ନ ସାମାଜିକ କାର୍ଯ୍ୟ, ରକ୍ତର ଅଭାବ ହେଲେ ନିଜେ ମଧ୍ୟରାତିରେ ଯାଇ ରକ୍ତ ଯୋଗାଡ କରିଦେବା, ରୋଗୀଙ୍କୁ ହସ୍ପିଟାଲରେ ସାହାଯ୍ୟ କରିବା ଭଳି କାମରେ ସବୁବେଳେ ଆଗରେ ଥାଆନ୍ତି।
ଏହି ଅବସରରେ ବରୁଣ କହିଛନ୍ତି, “ଆଜିର ଯୁବକମାନେ ରକ୍ତଦାନକୁ ଡରନ୍ତୁ ନାହିଁ। ରକ୍ତଦାନ କଲେ ଶରୀର ଦୁର୍ବଳ ହୁଏନି। ଗୋଟିଏ ୟୁନିଟ୍ ରକ୍ତ ୩ ଜଣଙ୍କ ଜୀବନ ବଞ୍ଚାଇ ପାରେ। ସମସ୍ତେ ଆଗେଇ ଆସନ୍ତୁ।”
ଆଜିର ସମୟରେ ଯେତେବେଳେ ଯୁବପିଢି ବାଟବଣା ହେଉଛି, ସେତେବେଳେ ବରୁଣ ପନକାଙ୍କ ପରି ସମାଜସେବୀ ସମାଜ ପାଇଁ ଆଶାର ଆଲୋକ।