କର୍ମ ଘେନି ଫଳ

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କରି ଚାଲ, ଫଳର ଚିନ୍ତା ମୋ ଉପରେ ଛାଡି ଦିଅ । ଠିକ୍ ସମୟରେ ତୁମେ କରିଥିବା କର୍ମର ଉଚିତ ଫଳ ପ୍ରାପ୍ତ କରିବ ।

ଅନେକ ଲୋକ କହିଥା’ନ୍ତି ଆମେ ଭଲ କର୍ମ କରୁଛୁ, ଧର୍ମରେ ଅଛୁ କିନ୍ତୁ ଦୁଃଖ ପାଉଛୁ, ଆମର ଦୁଃଖ କଷ୍ଟ ଦୂର ହେଉନି । କିନ୍ତୁ ଯେଉଁମାନେ ଦୁର୍ନୀତି କରୁଛନ୍ତି ଆଉ ଅନ୍ୟକୁ ଦୁଃଖ ଦେଉଛନ୍ତି ସେମାନେ ଭଲରେ ଅଛନ୍ତି । କେହି କେହି କହିଥାନ୍ତି କଳିଯୁଗ ଚାଲିଛି ଯିଏ ଖରାପ କାର୍ଯ୍ୟ କରୁଛି ତାକୁ ଭଲ ଫଳ ମିଳୁଛି ଆଉ ଯିଏ ଧର୍ମରେ ଅଛି ସେ କଷ୍ଟ ପାଉଛି । ସାଧୁସନ୍ଥମାନେ କହିଥା’ନ୍ତି ସମୟର ପୂର୍ବରୁ କେହି କିଛି ପାଇନଥା’ନ୍ତି, ଉପଯୁକ୍ତ ସମୟରେ ହିଁ କର୍ମର ଫଳ ମିଳିଥାଏ ।

ଜଣେ ଲୋକ ସାଧୁବାବାଙ୍କ ପାଖରେ ପହଂଚି କହିଲେ ବାବା, ଆଜିକାଲି ଆଉ ଧର୍ମ ନାହିଁ, ଭଲ କଲେ ଖରାପ, ଖରାପ କଲେ ଭଲ । ବାବା କହିଲେ ତୁମେ କ’ଣ କହିବାକୁ ଚାହୁଁଛ ? ଲୋକଟି କହିଲା ମୁଁ ଧର୍ମ କର୍ମ ଉପରେ ବିଶ୍ୱାସ କରେ, ଠାକୁରଙ୍କ ପୁଜାପାଠ ନିୟମିତ କରେ, ଗରିବ ଲୋକଙ୍କୁ ସାହାଯ୍ୟ କରେ । କିନ୍ତୁ ଆମ ଗାଁ ରେ ଆଉ ଜଣେ ଲୋକ ଅଛି, ସେ ଠିକ୍ ମୋର ଓଲଟା କାର୍ଯ୍ୟ କରେ, ସେ ଭଲ କାର୍ଯ୍ୟ କରିବାର ମୁଁ କେବେ ଦେଖିନି କି ଶୁଣିନି । ସେ ଯଦି ମନ୍ଦିର କେବେ କେବେ ଯାଏ କେବଳ ଚପଲ ଚୋରି କରିବାକୁ । ବାବା କହିଲେ ସେ ଲୋକ ଖରାପ କାର୍ଯ୍ୟ କରୁଛି ଆଉ ତମେ ଭଲ କାର୍ଯ୍ୟ କରୁଛ, ହେଲେ ତମର କ’ଣ ଅସୁବିଧା ହେଉଛି ? ଲୋକଟି କହିଲା ଆଜ୍ଞା ଗତକାଲି ରାତିରେ ସେ ମନ୍ଦିରରୁ ଠାକୁରଙ୍କ ସୁନା ଗହଣା ଚୋରି କରିଥିଲା, ଯାହା ମୁଁ ଖବର ପାଇଛି । ମୁଁ ଆଜି ସକାଳେ ଠାକୁରଙ୍କ ଦର୍ଶନ କରିବାକୁ ମନ୍ଦିର ଯାଇଥିଲି । ତା’ପରେ ପୂଜାରୀ ଯେତେବେଳେ ଆସିଲେ, ସେତେବେଳେ ମନ୍ଦିରରେ ମୁଁ ଏକା ଥିଲି, ସେ କହିଲେ ମୁଁ ଚୋରି କରିଛି । ଲୋକମାନେ ମୋତେ ଖରାପ କଥା କହି ଅପମାନିତ କଲେ । ପୂଜାରୀ ଓ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ବୁଝାଇବାକୁ ପଡିଲା ଯେ ମୁଁ ନିର୍ଦୋଷ ବୋଲି । ତା’ପରେ ବିଳମ୍ବରେ ଘରକୁ ଫେରିଲା ବେଳକୁ ମୋର ଏକ ଦୁର୍ଘଟଣା ହେଲା, ଯାହା ହେଉ ବିଶେଷ କିଛି କ୍ଷତି ହୋଇନି । କିନ୍ତୁ ସେ ଲୋକଟି ଚୋରି କରି ମଧ୍ୟ ଖୁସିରେ ରହିଲା, ଏଗୁଡା କି ନ୍ୟାୟ ?

ସାଧୁ କହିଲେ ସେ ଲୋକଟି ଯେମିତି ତୁମର ଠିକ୍ ଓଲଟା କାର୍ଯ୍ୟ କରୁଛି, ତୁମେ ବି ସେମିତି ସବୁ କଥା ଓଲଟା ଭାବୁଛ । ଯାହା ଘଟିଗଲା ତୁମେ ସେ ବିଷୟଟି ଏମିତି ଭାବରେ ଗ୍ରହଣ କର ଯେମିତି କଷ୍ଟ ଲାଗିବ ନାହିଁ କି ଦୁଃଖ ପାଇବ ନାହିଁ । ଲୋକଟି କହିଲା କେମିତି ଭାବିବି ? ବାବା କହିଲେ, ତୁମକୁ ସେମାନେ ଚୋର କହିବାରୁ ତୁମକୁ କଷ୍ଟ ହେଲା, ଯାହାଫଳରେ ତୁମେ ନିର୍ଦୋଷ ବୋଲି ସେମାନଙ୍କୁ ବହୁତ ସମୟ ବୁଝାଇଲ ଓ ବିଳମ୍ବରେ ଘରକୁ ଫେରିଲ । ଯଦି ତୁମେ ଶୀଘ୍ର ଘରକୁ ଫେରିଥାନ୍ତ ହୁଏତ ଏମିତି ହୋଇଥା’ନ୍ତା ତୁମେ ଏକ ବିରାଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥା’ନ୍ତ । ଯେହେତୁ ତୁମେ ଜଣେ ଭଲ ଲୋକ, ବଡ ଦୁର୍ଘଟଣା ନହୋଇ ଛୋଟ ଦୁର୍ଘଟଣା ହେଲା, ତୁମର କିଛି ବିଶେଷ କ୍ଷତି ହେଲା ନାହିଁ । କିନ୍ତୁ ସେ ଲୋକଟି ଖରାପ କର୍ମକରି ମନ୍ଦିରରୁ ଠାକୁରଙ୍କ ଗହଣା ଚୋରି କଲା । ଏପ୍ରକାର କର୍ମ କୌଣସି ରୂପରେ ଭଲ ନୁହେଁ । ଏହି କୁକର୍ମର ଫଳ ପୁଣି ଦିନେ ତାକୁ ଭୋଗିବାକୁ ପଡିବ । ମନୁଷ୍ୟର କର୍ମ ଯୋଗୁଁ ହିଁ ତାକୁ ଫଳ ମିଳିଥାଏ,  କର୍ମ ଘେନି ଫଳ ।

ପଟାମୁଣ୍ଡାଇ, କେନ୍ଦ୍ରାପଡା

ମୋ : ୯୯୩୮୦୬୦୮୮୬

Comments are closed.