ଜୟଶଙ୍କର କ’ଣ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ?: କଂଗ୍ରେସ

ନୂଆଦିଲ୍ଲୀ: ‘‌ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି, ବୋଲି କହି ଆଜି କଂଗ୍ରେସ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଆକ୍ରମଣକାରୀ ବା ଅପହରଣକାରୀଙ୍କ ପ୍ରତି ଅପହୃତଙ୍କର ଆସ୍ଥା ବା ଶ୍ରଦ୍ଧା ଜାଗ୍ରତ ହେବାକୁ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ କହନ୍ତି।

କଂଗ୍ରେସ କହିଛି, ଚୀନ୍‌ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି କ୍ଷୁଦ୍ରତର ବୋଲି କହିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ଯାଇ ସଶସ୍ତ୍ର ବାହିନୀକୁ ଅପମାନିତ କରିଛନ୍ତି।

ବୈଦେଶିକ ମନ୍ତ୍ରୀଙ୍କୁ ୬ଟି ପ୍ରଶ୍ନ ପଚାରି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନାଟେ କହିଛନ୍ତି, ଆପଣ ଏକଥା କହିବା ବେଳେ ସେନାର ଶୌର୍ଯ୍ୟ ଓ ଗୌରବକୁ ଆଘାତ ଦେଇଛନ୍ତି। ଏକଥା ଶୁଣି କେହି ବିଶ୍ବର ‘ସୁପର୍‌ପାୱାର୍‌’ଙ୍କ ସହିତ ଯୁଦ୍ଧ କରିବେ ନାହିଁ। ଏ ପର୍ଯ୍ୟନ୍ତ କେହି ଚୀନ୍‌ ଉପରେ ଏଭଳି ମନ୍ତବ୍ୟ ଦେଇ ନାହାନ୍ତି। ପୁଣି, ସେ ଥିଲେ ଚୀନ୍‌ରେ ସବୁଠୁ ଅଧିକ ଦିନ ରହିଥିବା ରାଷ୍ଟ୍ରଦୂତ।

ସେ କହିଛନ୍ତି, ଚୀନ୍‌ ଆକ୍ରମଣର ଏ ସବୁ ଫଟୋ ତେବେ କ’ଣ? ଆମର ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ସବୁ ଏବେ ‘ବଫର୍‌ ଜୋନ’ ପାଲଟିଯିବା ବିଷୟରେ ତାଙ୍କର ପ୍ରତିକ୍ରିୟା କ’ଣ? ଚୀନ୍‌ ଅନୁପ୍ରବେଶ କରିନାହିଁ ବୋଲି ବିଶ୍ବ ଆଗରେ ଘୋଷଣା କରିବା ଲାଗି ଆପଣ କ’ଣ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ପରାମର୍ଶ ଦେଉଛନ୍ତି? ଜୟଶଙ୍କର ଜୀ, ଏହି ଘଟଣା ଉପରେ ଧ୍ୟାନ ହଟାଇ ଦେବା ପାଇଁ କ’ଣ ଆପଣ ସରକାରଙ୍କୁ ଉପଦେଶ ଦେଉଛନ୍ତି? ଆପଣ କ’ଣ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ଦ୍ବାରା ଆକ୍ରାନ୍ତ?

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏକଥା ମଜାରେ କହୁନାହିଁ। ଜଣେ ଅପହରଣକାରୀଙ୍କ ପ୍ରେମରେ ପଡ଼ିଲେ ‘ଷ୍ଟକ୍‌ହୋମ୍‌ ସିଣ୍ଡ୍ରୋମ୍‌’ ହୋଇଥାଏ। ‘ନାଲି ଆଖି’ ଦେଖାଇବା ପରିବର୍ତ୍ତେ ନାଲି ସାର୍ଟ ପିନ୍ଧି ଆପଣଙ୍କ ସରକାର ସି ଜିନ୍‌ପିଙ୍ଗ୍‌ଙ୍କ ଲାଗି ଲାଲ୍‌ ଗାଲିଚା ବିଛାଉଛନ୍ତି।

ଉଲ୍ଲେଖଯୋଗ୍ୟ, ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ସହିତ ସାକ୍ଷାତ୍‌କାର ବେଳେ ଜୟଶଙ୍କର ଚୀନ୍‌ ମାମଲା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ମାମଲା ଉପରେ ମ‌ୋଦୀ ସରକାର ପ୍ରତିକ୍ରିୟାଶୀଳ କି, ପ୍ରଭାବିତ ବୋଲି ପଚରାଯିବାରୁ ଜୟଶଙ୍କର କହିଲେ, ସୀମାନ୍ତରେ ପ୍ରାଚୀର ବୁଲାଉଥିବା କଥା ମୁଁ କହିବି ନାହିଁ। ସେମାନେ ସେମାନଙ୍କ ସୀମାନ୍ତରେ ଭିତ୍ତିଭୂମି ନିର୍ମାଣ କରୁଥିବାରୁ ଆମେ ଆଇନସିଦ୍ଧଭାବ‌େ ଆମ ସୀମାନ୍ତ ଭିତ୍ତିଭୂମି ନିର୍ମାଣ କରୁଛୁ। ମୋ ମତରେ ୨୫ ବର୍ଷ ପୂର୍ବରୁ ଆମେ ଏହା କରିବା ଉଚିତ ଥିଲା।

ଏହାର ଅର୍ଥ କ’ଣ ଆମେ ପ୍ରତିକ୍ରିୟାଶୀଳ ବୋଲି ପଚାରାଯିବାରୁ ଜୟଶଙ୍କର କହିଲେ, ମୋ କହିବା ଅର୍ଥ ହେଉଛି ସେମାନେ ହେଉଛନ୍ତି ବଡ଼ ଅର୍ଥନୀତି। ମୁଁ କ’ଣ କରିବି? ଗୋଟାଏ ଛୋଟ ଅର୍ଥନୀତି ଭାବେ କ’ଣ ବଡ଼ ଅର୍ଥନୀତି ସହିତ ଯୁଦ୍ଧ କରିବି? ଏହା ପ୍ରତିକ୍ରିୟାଶୀଳ ହେବା କଥା ନୁହେଁ, ହିତାହିତଜ୍ଞାନର କଥା।

ଜୟଶଙ୍କର ଆହୁରି ମଧ୍ୟ କହିଲେ, ଆପଣ ଧ୍ୟାନ ଦେବା ଉଚିତ ଯେ, ସୀମାନ୍ତକୁ ସେନା ନେବୁ ନାହିଁ ବୋଲି ଆମେ ରାଜିନାମା କରିଛୁ। ଦୟାପୂର୍ବକ ବୁଝନ୍ତୁ, ଆମେ କାହିଁକି ରାଜିନାମା କରିଥିଲୁ। ପରିସ୍ଥିତିକୁ ସ୍ଥିର କରିବା ଲାଗି। ସ୍ନେହଶ୍ରଦ୍ଧା ପାଇଁ ରାଜିନାମା ହୋଇ ନ ଥିଲା।

Comments are closed.