୩ ଥର ବିଫଳ ପ୍ରଚେଷ୍ଟା ପରେ ଦିଲ୍ଲୀ ମେୟର୍‌ ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ: ୩ ଥର ବିଫଳପ୍ରଯତ୍ନ ହେବା ପରେ ଆଜି ୪ର୍ଥ ଉଦ୍ୟମରେ ‘ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ’ର ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

ମେୟର୍‌ ଭୋଟ୍‌ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାୟ ଦେବା ପରେ ଆଜି ‘ଦିଲ୍ଲୀ ନଗର ନିଗମ’ ବା ‘ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ’ର ମେୟର୍‌ ନିର୍ବାଚନ ଭୋଟ୍‌ ଗ୍ରହଣ କରାଯାଉଛି। ମନୋନୀତ ସଦସ୍ୟଙ୍କ ଭୋଟ୍‌ ଦେବା ଘଟଣାକୁ ନେଇ ‘ଆପ୍‌’ ଓ ‘ବିଜେପି’ ମଧ୍ୟରେ ବିବାଦ ଚାଲିଥିଲା।ଆଜିର ଏହି ମତଦାନ ପାଇଁ ୧.୫ ଘଣ୍ଟା ସମୟ ଦିଆଯାଇଛି। ଭୋଟ୍‌ ଗ୍ରହଣ ଆରମ୍ଭ ହେବା ପରେ ପ୍ରଥମେ ‘ବିଜେପି’ ସାଂସଦ ମୀନାକ୍ଷି ଲେଖି ମତଦାନ କରିଥିଲେ। ସାଂସଦ ଓ ବିଧାୟକମାନେ ମତଦାନ କରିସାରିବା ପରେ କାଉନ୍‌ସିଲର୍‌ଙ୍କ ନାମ ଡକାଯାଇଥିଲା।

ଏହି ନିର୍ବାଚନରେ ‘ଆପ୍‌’ର ମେୟର୍‌ ପ୍ରାର୍ଥୀ ହେଉଛନ୍ତି ଦିଲ୍ଲୀର ପୂର୍ବ ପଟେଲ୍‌ ନଗର ୱାର୍ଡର ଶେଲି ଓବେରୟି। ସେହିପରି ‘ବିଜେପି’ ରେଖା ଗୁପ୍ତାଙ୍କୁ ମେୟର୍‌ ଏବଂ କମଲ୍‌ ବାଗ୍‌ଡ଼ିଙ୍କୁ ଡେପୁଟି ମେୟର୍‌ ଭାବେ ଏହି ନିର୍ବାଚନରେ ଠିଆ କରାଇଛି। ସେହିପରି,  ‘ଆପ୍‌’ର ଡେପୁଟି ମେୟର୍‌ ପ୍ରାର୍ଥୀ ହେଉଛନ୍ତି ଆଲେ ମହମ୍ମଦ୍‌ ଇକ୍‌ବାଲ୍‌।

ଚତୁର୍ଥ ଉଦ୍ୟମରେ ଚାଲିଥିବା ଏହି ମେୟର୍‌ ନିର୍ବାଚନ ଲାଗି ‘ମୁନିସ୍‌ପାଲ୍‌ ହାଉସ୍‌’ ଭିତରେ ଏବଂ ‘ସିଭିକ୍‌ ସେଣ୍ଟର୍‌’ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମେୟର୍‌ ନିର୍ବାଚନ ନିମନ୍ତେ ଗତ ଜାନୁଆରି୬, ଜାନୁଆରି ୨୪ ଏବଂ ଫେବ୍ରୁଆରି ୬ ‌ହୋଇଥିବା ଉଦ୍ୟମ ବିଫଳ ହୋଇଥିଲା।

Comments are closed.