ଝିଅକୁ ଖାଇବାକୁ ଦେଇ ନ ପାରି ହତ୍ୟା କଲେ ଋଣଗ୍ରସ୍ତ ଇଂଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ରାହୁଲ ପାରମର ନାମକ ଜଣେ ଗୁଜରାଟୀ ଇଂଜିନିୟର ନିଜର ଅଢ଼େଇ ବର୍ଷର ଝିଅକୁ ଖାଇବାକୁ ଦେଇ ନ ପାରି ଛାତିରେ ଜାକି ହତ୍ୟା କରିବା ପରେ ନିଜେ ପାଣିକୁ ଡେଇଁ ବିଫଳ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ପୁଲିସ ଆଗରେ ରାହୁଲ ସ୍ବୀକାର କରିଛନ୍ତି ଯେ, ଚାକିରି ଚାଲିଯିବା ସହ ବିଟକଏନ କାରବାରରେ ସେ ସର୍ବସ୍ବାନ୍ତ ହୋଇପଡ଼ିଥିଲେ।

ଏହାପରେ ସେ ବହୁତ ଋଣ କରିପକାଇଥିଲେ। ଭୋକରେ କାନ୍ଦୁଥିବା ଝିଅକୁ ଖାଇବାକୁ ଦେବା ପାଇଁ ପାଖରେ କିଛି ନ ଥିଲା। ତେଣୁ ମଟରସାଇକେଲରେ ଝିଅକୁ ବସାଇ ତା’ପାଇଁ ଦୋକାନରୁ କିଛି ବିସ୍କୁଟ କିଣି ଖାଇବାକୁ ଦେବା ସମୟରେ ମନରେ ଦୁର୍ଭାବନା ଆସିଥିଲା। ଋଣଦାତାଙ୍କ ଚାପ ତାଙ୍କୁ ଅସ୍ଥିର କରୁଥିଲା। ନିଜେ ବଞ୍ଚିବା ଅସମ୍ଭବ ହୋଇଥିବା ବେଳେ ସେ ଝିଅକୁ କିପରି ପୋଷିବେ? ଏହି ଚିନ୍ତାରେ ଝିଅକୁ ଛାତିରେ ଜୋରରେ ଚାପିଧରି ହତ୍ୟା କରିବା ପରେ ସେ ନିଜ ଜୀବନ ହାରିବା ଉଦ୍ଦେଶ୍ୟରେ ଝିଅର ମୃତଦେହ ସହ ହ୍ରଦକୁ ଡେଇଁପଡ଼ିଥିଲେ।

ଆତ୍ମହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିବା ୪୫ ବର୍ଷୀୟ ରାହୁଲ ପୁଲିସ ଆଗରେ ଏହା ସ୍ବୀକାର କରିଛନ୍ତି। ଝିଅ ଜିଆକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ରାହୁଲଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୧୫ରେ ଝିଅକୁ ସ୍କୁଲକୁ ନେଇଯାଉଛି କହି ରାହୁଲ ଆଉ ଫେରିନଥିଲେ। ପରଦିନ ସକାଳେ ହ୍ରଦରୁ ଜିଆର ମୃତଦେହ ଉଦ୍ଧାର କରାଯାଇଥିଲା ଏବଂ ରାହୁଲ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ସମସ୍ତେ ଭାବିନେଇଥିଲେ।

Comments are closed.