ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ଛୁରାମାଡ଼

ଚାନ୍ଦବାଲି: ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଣେ ସେବାୟତଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସେବାୟତ ଗୁରୁତର ଆହତ ହୋଇଥିବା ବେଳେ ଛୁରାମାଡ଼ କରିଥିବା ସେବାୟତ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ସୂଚନା ଅନୁଯାୟୀ, ଜଣେ ସେବାୟତ ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳା କରିବା ସହ ମନ୍ଦିର ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ। ଏପରି ନ କରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ନଟକା ଜାରି କରାଯାଇଥିଲା। ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନ ଥିଲେ । ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ଯରେ ବେଆଇନ ଭାବେ ଭେଟି ଆଦାୟ କରିଥିଲେ। ଗତକାଲି ୧୨ଟା ସମୟରେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରାମାଡ଼ କରିଥିଲେ। ଫଳରେ ଗଦାଧର ପାଢୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏପରିକି ଗତ ୨୩ ତାରିଖରେ ୩୩ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରି ଥାନାରେ ଏତଲା କରାଯାଇଥିଲା।

Comments are closed.