ପୁନେରେ ଜାତୀୟ ଏକତା ଓ ସଂସ୍କୃତି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନର ଓଡ଼ିଶାରୁ ପ୍ରତିନିଧିତ୍ୱ ।

ପୁନେ :ଭାରତର ଗୌରବ ତଥା ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ ମେଳା ଭାରତ-ଭାରତୀ ସଂଗଠନ ଆନୁକୂଲ୍ଯରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ପୁନେରେ ଥିବା ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ ଓଡ଼ିଶାର ମାନ ସମ୍ମାନ ଓ କଳା ସ୍ଥାପତ୍ୟକୁ ପ୍ରଦର୍ଶିତ କରିବାର ଭାର ସମ୍ଭାଳିଥିଲେ ଏବଂ ଏହି ଶୋଭାଯାତ୍ରା ରେ ଅଂଶଗ୍ରହଣ କରି ବିଶାଳ ସୁସଜ୍ଜିତ ରଥ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ଯକୁ ପ୍ରଦର୍ଶାଇଥିଲେ । ଏହି ମହାସମାବେଶରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଓ ଭବ୍ୟ ମନ୍ଦିର ସହିତ ମହାନ ବ୍ୟକ୍ତିତ୍ୱ ଭାରତର ହିନ୍ଦୁ ସମ୍ରାଟ୍ ଶିବାଜୀ ମହାରାଜାଙ୍କ ୩୫୦ତମ ରାଜ୍ୟାଭିଷେକ ବର୍ଷ ପାଳନ କରିବାର ଲକ୍ଷ୍ୟ ରଖାଯାଇଥିଲା ।

ଭାରତରେ ପ୍ରଥମ ଥର ପାଇଁ ଏହି ପ୍ରକାର ଅଭିନବ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଆସି ସମସ୍ତେ ଅଂଶଗ୍ରହଣ କରିଥିଲେ ଯାହାକି କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଥିଲା ଏବଂ ଅନ୍ୟ ଦେଶ ନେପାଳର ପ୍ରତିନିଧିତ୍ୱ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଶୋଭାଯାତ୍ରା, ଯେଉଁଥିରେ ୨୫୦୦୦ରୁ ଅଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ରାଜ୍ୟ ନିଜ ନିଜର ଅନନ୍ୟ ସଂସ୍କୃତିର ଝଲକକୁ ଝାଙ୍କି ମାଧ୍ୟମ ରେ ପ୍ରଦର୍ଶନ କରିଥିଲେ ।

ସମାଜ ସେବାରେ ଅନ୍ତର୍ଭୁକ୍ତ ଥିବା ଜଣାସୁଣା ମହାରାଷ୍ଟ୍ରରେ ପଞ୍ଜୀକୃତ ଓଡ଼ିଆଙ୍କ ଦ୍ୱାରା ଗଠିତ ବିଖ୍ୟାତ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଏହି ନିଆରା ସୁଯୋଗର ଉପଯୋଗ କରି ଓଡ଼ିଶାର କଳା ସଂସ୍କୃତି ସମୃଦ୍ଧି ଏବଂ ଓଡ଼ିଶାର ମାନ ସମ୍ମାନ ଓ ମର୍ଯ୍ୟାଦାର ଟେକ ତଥା ସଭିଁଙ୍କ ଇଷ୍ଟ ଦେବତା ବିଶ୍ୱ ପ୍ରସିଦ୍ଧ ଭଗବାନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାକୁ ପ୍ରୋତ୍ସାହିତ କରିଥିଲା । ଏହି ଶୋଭାଯାତ୍ରାରେ ଓଡ଼ିଶାର ସୁସଜ୍ଜିତ ପୁଷ୍ପମଣ୍ଡିତ ରଥ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଓ ଜୀବନ୍ତ ତଥା ଚିତାକର୍ଷକ ଭଳି ପରିଭାସିତ ହେଉଥିଲା । ଓଡ଼ିଶା ସଂସ୍କୃତିର ଏହା ଏକ ଜ୍ୱଳନ୍ତ ଉଦାହରଣ ସାଜିଥିଲା । ଏହାର ଶ୍ରେୟରେ ସ୍ପ୍ରେଡ୍ ହେପିନେସର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱ ଓ ସାଧାରଣ ସମ୍ପାଦକ ଆନନ୍ଦ ମହାପାତ୍ରଙ୍କ ଦ୍ୱରା ଗଠିତ ଦଳ ସବୁ ମହଲରୁ ପ୍ରଶଂସାଲାଭ କରିଛନ୍ତି ।

ପୁନେର ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସେହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାମାଜମଙ୍ଗଳ କାର୍ଯ୍ୟରେ ଲିପ୍ତରହି ସାମାଜିକ ପରିବର୍ତ୍ତନ ଦିଗରେ ଅବଦାନ ଥିବା ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନକୁ ପ୍ରଶଂସିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କେବଳ ସାଂସ୍କୃତିକ ଐତିହର ଉତ୍ସବ ନଥିଲା ପରନ୍ତୁ ରାଜ୍ୟମାନଙ୍କର ସ୍ୱତନ୍ତ୍ର ପରିଚୟ ଓ ଏକତା ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମାର୍ଗ ଥିଲା । ଏହା ଭାରତର ବିବିଧତା ମଧ୍ୟରେ ଏକତାର ଏକ ଶକ୍ତିଶାଳୀ ପ୍ରଦର୍ଶନ ଥିଲା ଯାହାକି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ପଷ୍ଟ ବାରି ହେଉଥିଲା ଓ ସାକ୍ଷାତ ଦୃଶ୍ୟମାନ ହେଉଥିଲା । ବିଭିନ୍ନ ରାଜ୍ୟ ଓ ସଂସ୍କୃତିକୁ ଗୋଟିଏ ପରଦାରେ ଏକତ୍ରିତ କରି ଦେଶର କଳା ସ୍ଥାପତ୍ୟ ଐତିହ୍ଯ ସମୃଦ୍ଧି ଓ ଇତିହାସକୁ ବିଶ୍ୱ ଦରବାରରେ ପରିପ୍ରକାଶ କରାଯାଇଥିଲା ।

ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ଅଭିନାସ ସ୍ୱାଇଁ , ବିଜୟ ରାଉତ , ରାମଚନ୍ଦ୍ର ଲେଙ୍କା ସହିତ ଦଳର ଅନ୍ୟ ସମସ୍ତଙ୍କ ଆପ୍ରାଣ ଉଦ୍ୟମ ଓ ସହୋଯଗରେ ଓଡ଼ିଶାର ସଂସ୍କୃତି ପ୍ରଦର୍ଶନୀର ଏକ ବଡ଼ ସଫଳତା ହାସଲ କରିପାରିଛି । ପରିଶେଷରେ ପ୍ରଚେଷ୍ଟାର ସାର୍ଥକତା ହେତୁ ପରିଣାମ ସଦୃଶ କର୍ତ୍ତୃପକ୍ଷ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେଥିରେ ସମସ୍ତ ଅଂଶଗ୍ରହଣକାରୀ ନିଜକୁ ନିଜେ ଧନ୍ୟମନେ କରିଥିଲେ ।

Comments are closed.