ଜଳିଗଲା ଆଳୁ ବୋଝେଇ ଟ୍ରକ୍

ବସ୍ତା-୨/ଦରଡ଼ା/ଗାନ୍ଧିଛକ: ୬୦ ନଂବର ଜାତୀୟ ରାଜପଥର ଗୁଡ଼ିଖାଳ ନିକଟରେ ଆଜି ମଧ୍ୟାହ୍ନରେ ଏକ ଆଳୁ ବୋଝେଇ ଟ୍ରକ୍ ଜଳି ଯାଇଛି। ଡବ୍ଲୁବି୩୩ସି-୬୩୫୩ ନମ୍ବର ଆଳୁ ବୋଝେଇ ଟ୍ରକ  ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବେଳେ ଗୁଡ଼ିଖାଳ ନିକଟରେ ହଠାତ୍ ଚକା ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକଟି ସାମ୍‌ନାରେ ଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର ଏନ୍‌ଏଲ୍‌୦୧ଏନ୍-୪୭୨୬କୁ ପଛ ପଟୁ ଧକ୍କା ଦେଇଥିଲା। ପରେ ଆଳୁ ବୋଝେଇ ଟ୍ରକଟିରେ ନିଆଁ ଲାଗି ଯାଇଥିଲା।

ଟ୍ରକ୍‌ ଡ୍ରାଇଭର ଓ ହେଲପର୍ ଗାଡ଼ିରୁ ଡେଇଁ ପଡ଼ି ଜୀବନ ବଞ୍ଚାଇଥିବା ବେଳେ ଚାହୁଁ ଚାହୁଁ ଟ୍ରକଟି ଜଳିଯାଇଥିଲା। ଖବର ପାଇ ବସ୍ତା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗାଡ଼ିଗୁଡ଼ିକୁ ଅଟକାଇବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରକଟି ଅଧାରୁ ଅଧିକ ଜଳି ଯାଇଥିବା ଜଣାପଡ଼ିଛି।

Comments are closed.