ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ଶ୍ରୀ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି । କାରଣ ଉଦୟପୁର ଚିନ୍ତନ ଶିବିରରେ ‘ଏକ ନେତା, ଏକ ପଦବୀ’ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ଖଡ଼ଗେ ଗୋଟିଏ ପଦରେ ରହିବାକୁ ପଡ଼ିବ । କିଛିଦିନ ତଳେ ଏହି ସିଦ୍ଧାନ୍ତକୁ ନେଇ ଦଳରେ ମହା ବିସ୍ଫୋରଣ ଦେଖିବାକୁ ମିଳିଥିଲା ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଖଡ଼ଗେଙ୍କ ପ୍ରତିଦ୍ୱନ୍ଦ୍ୱିତା ସାଂସଦ ଶଶି ଥରୁର ଓ ଝାଡ଼ଖଣ୍ଡ ନେତା କେ.ଏନ ତ୍ରିପାଠୀଙ୍କ ସହିତ ହେବ । ଆସନ୍ତା ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଖଡ଼ଗେ ନିଜର ପଦ ଛାଡ଼ିଛନ୍ତି । ତେବେ ଏହି ନିର୍ବାଚନରେ ଖଡ଼ଗେଙ୍କ ପଛରେ ଇ-୨୩ ନେତାଙ୍କ ସମର୍ଥନ ରହିବା ସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ହୋଇଥିବାରୁ ତାଙ୍କର ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି ।

ଖଡ଼ଗେଙ୍କ ଇସ୍ତଫା ପରେ ଏବେ ପୁଣି ଜଣେ ନୂଆ ନେତାଙ୍କୁ କଂଗ୍ରେସ ରାଜ୍ୟସଭାର ବିରୋଧୀ ଦଳ ଆସନରେ ବସାଇବ । ତେବେ ଏହି ଦୁଇ ପଦ ପାଇଁ ପି.ଚିଦାମ୍ବରମ୍ ଓ ଦିଗବିଜୟ ସିଂହ ପ୍ରମୁଖ ଦାବିଦାର କୁହାଯାଉଛି । ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରଥମ ଦାବିଦାର ଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମାତ୍ର ରାଜସ୍ଥାନରେ ଯେଉଁ ହାଇ ଡ୍ରାମା ଦେଖିବାକୁ ମିଳିଥିଲା, ଉକ୍ତ ଘଟଣାରେ ହାଇକମାଣ୍ଡ ଗେହଲଟଙ୍କ ଉପରେ ଖପ୍ପା ହୋଇଥିଲେ । ପରିଣାମ ସ୍ୱରୂପ ଗେହଲଟ ଅଧ୍ୟକ୍ଷ ରେସରୁ ଆଉଟ୍ ହେବା ସହ ତାଙ୍କର ସିଏମ୍ ଆସନ ଟଳମଳ ହେଉଛି ।

Comments are closed.