ନବରଙ୍ଗପୁର (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଧୀନ ପୁଜାରୀଗୁଡ଼ା ପଞ୍ଚାୟତ ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି।
ପ୍ରକଳ୍ପକୁ ବିରୋଧ କରି ଅଞ୍ଚଳବାସୀ ପୂର୍ବରୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ପ୍ରକଳ୍ପ ନ କରିବା ପାଇଁ ନିବେଦନ କରିଥିଲେ। ଏହା ପରେ ଆଜି ଅଞ୍ଚଳର ଶତାଧିକ ଲୋକ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କୁ ସାକ୍ଷାତ କରି ପ୍ରକଳ୍ପକୁ ବିରୋଧ କରିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବି ଜଣାଇଥିଲେ।


ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏପରି ପ୍ରକଳ୍ପ ହେଲେ ସ୍ଥାନୀୟ ଲୋକଙ୍କ ଜୀବନ-ଜୀବିକା, ଜଙ୍ଗଲ, ବାସସ୍ଥାନ ଓ ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶର ସୁରକ୍ଷା ପାଇଁ ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମତାମତ ଓ ଆଶଙ୍କାକୁ ଗୁରୁତ୍ୱ ଦେବାକୁ ସେମାନେ ବିଧାୟକଙ୍କ ନିକଟରେ ନିବେଦନ କରିଥିଲେ।
ଏହି ଅବସରରେ ଅଞ୍ଚଳବାସୀ ପ୍ରକଳ୍ପ ସମ୍ପର୍କରେ ସ୍ୱଚ୍ଛ ତଥ୍ୟ, ପରିବେଶୀୟ ପ୍ରଭାବ ଓ ସ୍ଥାନୀୟ ଲୋକଙ୍କ ହିତକୁ ନେଇ ଆଲୋଚନା କରିବା ପାଇଁ ଦାବି ରଖିଥିଲେ।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l