ବନ୍ୟା ପୀଡ଼ିତଙ୍କୁ ଭେଟିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଗୀତାଞ୍ଜଳି ସେଠୀ
ପଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକର ଧୋଇଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ବନ୍ୟାଜଳ ଘେରରେ ରହିଥିବା ବେଳେ ଅଞ୍ଚଳବାସୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକ ଖାଦ୍ୟ, ପାନୀୟ ଜଳ, ଯାତାୟାତ ସମେତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏଭଳି ବିପତ୍ତି ସମୟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସମାଜସେବୀ ତଥା ନାରୀ ନେତ୍ରୀ ଗୀତାଞ୍ଜଳି ସେଠୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ପୀଡ଼ିତମାନଙ୍କୁ ଭେଟିଛନ୍ତି। ସେ ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ବନ୍ୟା ପରିସ୍ଥିତିରେ ଲୋକଙ୍କ ନିକଟରେ ସରକାରୀ ସହାୟତା ଶୀଘ୍ର ଓ ସୁବ୍ୟବସ୍ଥିତ ଭାବେ ପହଞ୍ଚାଇବା ପାଇଁ ଗୀତାଞ୍ଜଳି ସେଠୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଏଥିସହ ଏଭଳି ଦୁର୍ବିପାକ ସମୟରେ ବନ୍ୟା ପୀଡ଼ିତଙ୍କ ପାଖରେ ଠିଆ ହୋଇ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ସେ ନିଜ ଦଳୀୟ କର୍ମୀ ଓ ସହଯୋଗୀମାନଙ୍କୁ ଅନୁରୋଧ କରିଥିଲେ।
ଏହି ଅବସରରେ ଗୀତାଞ୍ଜଳି ସେଠୀଙ୍କ ସହ ବିଜେପି ମଣ୍ଡଳ ସଭାପତି ଆରୋସିସ ରାଉତ, ପଟାମୁଣ୍ଡାଇ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ଯୁବନେତା ସୁଶାନ୍ତ ଦାସ, ଦୀପକ ଭଦ୍ର, ‘ମନ୍ କି ବାତ୍’ ସଂଯୋଜକ ଅସିତ ଧଳ, ଯୁବନେତା ଲିପନ କୁମାର ସୁତାର ଓ ଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ୟମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ବନ୍ୟା ପରିସ୍ଥିତିରେ ପୀଡ଼ିତଙ୍କୁ ତୁରନ୍ତ ସହାୟତା ଓ ଆବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଆଗକୁ ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।