ଓଡିଶାର ଗର୍ବ: ସେନା ମେଡାଲ ପାଇଁ ମନୋନୀତ ଓଡ଼ିଆ ପୁଅ ମେଜର ସୁଧାଂଶୁ ପାଣି

0

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ଜନ୍ମ ମେଜର ସୁଧାଂଶୁ ପାଣିଙ୍କୁ ସାହସିକତା ପାଇଁ ପ୍ରତିଷ୍ଠିତ ‘ସେନା ମେଡାଲ (ଗ୍ୟାଲାଣ୍ଟ୍ରି)’ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ୨୦୨୫ ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ହୋଇଥିବା ‘ଅପରେସନ ଗୁଡ୍ଡର’ ସମୟରେ ଲଶ୍କର-ଏ-ତୋଏବାର ଜଣେ ବରିଷ୍ଠ ଆତଙ୍କବାଦୀ ବିରୋଧରେ ଅଭିଯାନରେ ତାଙ୍କ ସାହସିକ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ।
ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କର୍ମଚାରୀଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଟ ୭୮ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି। ଏଥିରେ ୧୩ଟି ମରଣୋତ୍ତର ପୁରସ୍କାର ମଧ୍ୟ ରହିଛି। ଏହି ୭୮ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ସେନା ମେଡାଲ (ଗ୍ୟାଲାଣ୍ଟ୍ରି) ପାଇଁ ମନୋନୀତ ଏକମାତ୍ର ସେନା କର୍ମଚାରୀ ହେଉଛନ୍ତି ମେଜର ସୁଧାଂଶୁ ପାଣି।
ରିପୋର୍ଟ ଅନୁସାରେ, ୨୦୨୫ ସେପ୍ଟେମ୍ବରରେ କଶ୍ମୀରରେ ହୋଇଥିବା ‘ଅପରେସନ ଗୁଡ୍ଡର’ ସମୟରେ ମେଜର ସୁଧାଂଶୁ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଅଭିଯାନ ସମୟରେ ସେ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ରେହମାନ ଭାଇଙ୍କୁ ନିହତ କରିଥିବା ଜଣାପଡ଼ିଛି।
ଏହି ସାହସିକତାର ସ୍ୱୀକୃତି ସ୍ୱରୂପ ମେଜର ପାଣିଙ୍କୁ ଭାରତର ରାଷ୍ଟ୍ରପତିଙ୍କ ହାତରୁ ସେନା ମେଡାଲ ପ୍ରଦାନ କରାଯିବ।
ମେଜର ସୁଧାଂଶୁ ପାଣି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚ୍ଛିମଡୋଳା ଗ୍ରାମର ବାସିନ୍ଦା। ସେ ଜୁନାଗଡ଼ ସହରର ହିଞ୍ଜିଳିବାହାଲି ଛକ ନିକଟରେ ତାଙ୍କ ମା’ ରାଜକୁମାରୀ ପାଣିଙ୍କ ସହ ରହୁଥିବା ଜଣାଯାଇଛି। ବର୍ତ୍ତମାନ ସେ ରାଜସ୍ଥାନର ଜୟପୁରରେ କାର୍ଯ୍ୟରତ ଅଛନ୍ତି।
ମେଜର ସୁଧାଂଶୁ ପାଣିଙ୍କ ଏହି ଗୌରବମୟ ସଫଳତା ପରେ ସମଗ୍ର କଳାହାଣ୍ଡିରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି। ଜିଲ୍ଲାବାସୀ, ଶୁଭେଚ୍ଛୁ ଓ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ କଳାହାଣ୍ଡିର ଏହି ବୀର ସେନା ଅଧିକାରୀଙ୍କ ସଫଳତା ପାଇଁ ଗର୍ବ ପ୍ରକାଶ କରାଯାଇଛି।

Leave A Reply

Your email address will not be published.