ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ

ଅର୍ଜୁନୀ ଚରଣ ବେହେରା

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ
==================
ଦ୍ଵାପରଯୁଗର କଥା l ବିଷ୍ଣୁଙ୍କ ବାହନ ହୋଇଥିବାରୁ ଦିନେ ଗରୁଡ଼ଙ୍କ ମନରେ ଭାରି ଗର୍ବ ଆସିଲା l ସେ ଦ୍ୱାରକା ସାରା କହି ବୁଲିଲେ, ମୋ ଭଳି ପରାକ୍ରମୀ ଆଉ ଏ ତ୍ରିଜଗତରେ କେହି ନାହିଁ l ଦିନେ ଦେବତା ମାନେ ମଧ୍ୟ ମୋ ଠାରୁ ପରାଭବ ପାଇଥିଲେ l ନିଜ ଇଚ୍ଛାରେହିଁ ମୁଁ ପ୍ରଭୁଙ୍କ ବାହନ ହୋଇଛି l ସେହିପରି ଚକ୍ରରାଜ ସୁଦର୍ଶନ ମଧ୍ୟ କହିବୁଲିଲେ, ମୋ ପରିକା ଅମିତ ପରାକ୍ରମଶାଳୀ ଏ ଦୁନିଆଁରେ କେହି ନାହିଁ l ମୁଁ ଚାହିଁଲେ ଏ ସମସ୍ତ ସୃଷ୍ଟିକୁ କ୍ଷଣକ ମଧ୍ୟରେ ଭସ୍ମ କରି ଦେଇପାରେ l ଅନ୍ତର୍ଯ୍ୟାମୀ ଭଗବାନ୍ ଶ୍ରୀକୃଷ୍ଣ ସେବକ ମାନଙ୍କର ମନକଥା ଜାଣି ପାରିଲେ l ମୋ ସେବକ ମାନଙ୍କ ମନରେ ଏଭଳି ଅହଂଙ୍କାର l ଏହା ରହିବା ତ ଠିକନୁହେଁ, ବିଚାରକରି ସେ ପବନପୁତ୍ର ହନୁମାନଙ୍କୁ ସ୍ମରଣ କଲେ l
ପ୍ରଭୁଙ୍କ ଡକରାପାଇ ହିମାଳୟରେ ଅଖଣ୍ଡ ରାମନାମ ଜପ କରୁଥିବା ହନୁମାନ ଦ୍ୱାରିକାରେ ପହଞ୍ଚିଗଲେ l ନଗର ବାହାରେ ଥାଏ ଫୁଲଫଳ ଭରା ଏକ ସୁନ୍ଦର ଉପବନ l ସେହିଠାରେ ଅବତରଣକରି ସେ ଗଛକୁ ଗଛ ଡେଇଁଡେଇଁ ଫଳସବୁ ତୋଳି ଖାଇଲେ l ତାଙ୍କ ଶରୀର ଭାର ସହିନପାରି ବହୁ ବଡ଼ବଡ଼ ବୃକ୍ଷ ଭାଙ୍ଗି ଧରାଶାୟୀହେଲା l ମାଙ୍କଡ଼ଟିଏ ପଶି ଏଭଳି ବନକୁ ଉଜାଡୁଛି ଖବର ପାଇ ମାଳୀମାନେ ଧାଇଁ ଆସିଲେ ତାକୁ ଘଉଡ଼ିଦେବାକୁ l ହନୁମାନ ସମସ୍ତଙ୍କୁ ଗୋଟେ ଗୋଟେ ଶକ୍ତ ଚାପୁଡ଼ା କଷି ବିଦା କରିଦେଲ l କାନ୍ଦି କାନ୍ଦି ମାଳିମାନେ କୃଷ୍ଣଙ୍କ ପାଖରେ ଯାଇ ଅଭିଯୋଗ କରିବାରୁ, ଶ୍ରୀକୃଷ୍ଣ ଗରୁଡ଼ଙ୍କୁ କହିଲେ, ତୁମେ ଶୀଘ୍ର ଯାଇ ସେ ଦୁଷ୍ଟ ବାନରକୁ ବାନ୍ଧି ଘେନିଆସ l
ଗରୁଡ଼ ବଗିଚାରେ ପହଞ୍ଚି ଦେଖିଲେ ମର୍କଟ ଗୋଡ଼ ହାତ ଲମ୍ବାଇ ଗଛ ଉପରେ ବସି ଘୁମୋଉଛି l ବଡ଼ ପାଟି କରି ସେ କହିଲେ, ଆରେ ହେ ଦୁଷ୍ଟ ମାଙ୍କଡ଼ ! ତୁ କ’ଣ ଜାଣିନାହୁଁ ଏହା ଦ୍ୱାରିକା ଉପବନ ବୋଲି l ଏଠି ପଶି ଉତ୍ପାତ କରୁଛୁ l କୃଷ୍ଣଙ୍କ ବଗିଚା କାହିଁକି ତୁ ଭାଙ୍ଗିଲୁ l ଚାଲ ତୋର ବିଚାରହେବ l ଗରୁଡ଼ଙ୍କୁ ହନୁମାନ କହିଲେ,ମୁଁ ଜାତିରେ ମାଙ୍କଡ l ଏ ଗଛରୁ ସେ ଗଛ ଡେଇଁ ବୁଲିବା ମୋର ସ୍ଵଭାବ l ସେଥିରେ ଗଛ ଭାଙ୍ଗିଲା ତ ମୋର କଅଣ ଭୁଲହେଲା l ତମେ ଏମିତି ଦୁର୍ବଳିଆ ଗଛ ସବୁ କାହିଁକି ଲାଗାଇଛ l ମୁଁ ରାମ ଭକ୍ତ l ତାଙ୍କ ଆଦେଶ ଛଡ଼ା ମୁଁ ଆଉ କାହାର ଆଦେଶ ପାଳେ ନାହିଁ l ଯାଅ ! ତୁମ କୃଷ୍ଣଙ୍କୁ କହିବ ତାଙ୍କର ଦରକାର ଥିଲେ ମୋ ପାଖକୁ ଆସିବେ l ମୁଁ ସେଠିକୁ ଯାଇ ପାରିବି ନାହିଁ l
ହନୁମାନଙ୍କ ଏପରି ବେଖାତିରିଆ କଥାଶୁଣି ଗରୁଡ଼ ” ତୋତେ ଥଣ୍ଡା କରୁଛି” କହି ଚଞ୍ଚୁ ମେଲାଇ ତାଙ୍କ ଉପରକୁ କୁଦିପଡ଼ିଲେ l ହନୁମାନ ରାଗିଯାଇ ତାଙ୍କ ଲାଙ୍ଗୁଡ଼ରେ ଗରୁଡ଼ଙ୍କୁ ଏପରି ଶକ୍ତଭାବରେ ଗୁଡ଼ାଇ ଧରିଲେ ଯେ ସେ ମରିଗଲି,ମରିଗଲି ! ଚିତ୍କାରକରି ହନୁମାନଙ୍କୁ ହାତ ଯୋଡ଼ି କହିଲେ, ମୋତେ ଏଥର ଛାଡ଼ିଦିଅ l ମୁଁ ଆଉ କେବେ ତୁମ ସାଙ୍ଗରେ ଲାଗିବି ନାହିଁ l ହନୁମାନ ତାଙ୍କୁ ଛାଡ଼ି ବୁଲାଇ ବୁଲାଇ ଫିଙ୍ଗି ଦେଲେ ଯେ ସେଯାଇ ଖଣ୍ଡେ ଦୂରରେ ପଡ଼ିଲେ l
ଖଣ୍ଡିଆ ଖାବରା ଗରୁଡ଼ ଝାଡିଝୁଡ଼ି ହୋଇ ଉଠିଲେ l ଲାଜ କଥା ଆଉ କଅଣ ବା କହିବେ l ସେ କୃଷ୍ଣଙ୍କୁ ନମ୍ର ଭାବେ ହାତ ଯୋଡ଼ି କହିଲେ, ସେ ମାଙ୍କଡଟା ହେକାଇତି କରି ଆସୁନାହିଁ l କହୁଛି ରାମଙ୍କ ଭକ୍ତ l ମୁଁ ଆଉ କାହାର ଆଦେଶ ପାଳିବି ନାହିଁ l ଶ୍ରୀକୃଷ୍ଣ ମୁରୁକି ମୁରୁକି ହସି କହିଲେ, ହଉ ! ତେବେ ତୁମେ ଆଉ ଥରେ ଯାଅ l ସେ ବାନରକୁ କହିବ, ତୋତେ ଶ୍ରୀରାମ ଡାକୁଛନ୍ତି l
ଗରୁଡ଼ ସେଇଆ କଲେ l ରାମଙ୍କ ନାମ ଶୁଣି ମର୍କଟ ପ୍ରସ୍ତୁତ ହୋଇଗଲା ଯିବାପାଇଁ l ଗରୁଡ଼ ବାହାଦୂରୀ ମାରି ଆଗେଆଗେ ଉଡ଼ିଗଲେ l ହନୁମାନ ଗୋଟିଏ କୁଦାମାରି ଯାଇ ଦ୍ୱାରିକାପୁର ଆଗେ ପହଞ୍ଚିଗଲେ l ପକ୍ଷୀରାଜ ଗରୁଡ଼ ପହଞ୍ଚି ଦେଖନ୍ତି ତ ମାଙ୍କଡ ତାଙ୍କ ଆଗରୁ ଆସି ପହଁଚି ସାରିଛି l
ହନୁମାନ ସିଂହଦ୍ୱାରରେ ପହଞ୍ଚି ଦେଖିଲେ ସୁଦର୍ଶନ ଦ୍ଵାର ଜଗିଛନ୍ତି l ସେ ସୁଦର୍ଶନଙ୍କୁ କହିଲେ ମୋତେ ପ୍ରଭୁ ଶ୍ରୀରାମ ଡକାଇଛନ୍ତି l ବାଟଛାଡ଼ ମୁଁ ଭିତରକୁ ଯିବି l ସୁଦର୍ଶନ କହିଲେ, ଏହା ତ ଦ୍ୱାରକାଧୀପତି ଶ୍ରୀକୃଷ୍ଣଙ୍କ ନଅର, ଏଠାରେ ଶ୍ରୀରାମ ବୋଲି କେହି ନାହାଁନ୍ତି l ତୁମକୁ ଛଡ଼ା ଯିବ ନାହିଁ l ହନୁମାନ ରାଗି ଯାଇ ସୁଦର୍ଶନଙ୍କୁ ବୁଲାଇ ଛାଟିଦେଲେ l ସେ ଯାଇ ଗରୁଡ଼ଙ୍କ ଆଗରେ ମୁହଁମାଡ଼ି ପଡ଼ିଲେ l
ହନୁମାନ ଆସିଗଲେ ଜାଣି ସିଂହାସନରେ ବସିଥିବା ଶ୍ରୀକୃଷ୍ଣ ଓ ମା’ ରୁକ୍ମିଣୀ ଶ୍ରୀରାମ ଜାନକୀ ରୂପରେ ଉଭା ହେଲେ l ସମସ୍ତେ ଦେଖୁଥାନ୍ତି ସିଂହାସନରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସ୍ଥାନରେ ଉଭା ଅଛନ୍ତି, ଶ୍ରୀରାମ ଜାନକୀ l ହନୁମାନ ପହଞ୍ଚି ପ୍ରଭୁଙ୍କୁ ଆଭୂମ ପ୍ରଣାମ କରି ତାଙ୍କ ସାମ୍ନାରେ ହାତ ଯୋଡ଼ି ବସିଲେ l
ଗରୁଡ଼ ଓ ସୁଦର୍ଶନଙ୍କ ଅହଙ୍କାର ଭାଙ୍ଗି ପଡ଼ିଥିଲା l ସେମାନେ ବୁଝି ଯାଇଥିଲେ, ଏ ସଂସାରରେ ଆମ ଠାରୁ ବଳି ବଡ଼ ବୀର ଓ ଭକ୍ତ ଅଛନ୍ତି l
!!! ଜୟ ବଜରଙ୍ଗବାଲି !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.