ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

ଅର୍ଜୁନୀ ଚରଣ ବେହେରା

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ
================
ଶ୍ରୀନୀଳକନ୍ଦରେ ବିଜେ ମହାପ୍ରଭୁ
ଜଗତ ମଙ୍ଗଳ ହରି l
ଚଉଦ ବ୍ରହ୍ମାଣ୍ଡ କରତା ପ୍ରଭୁ ହେ
ଦାରୁ କଳେବର ଧରି ll
ବ୍ରହ୍ମଦାରୁ ପ୍ରଭୁ ଚତୁର୍ଦ୍ଧା ମୂରତି
ମାନବ ଲୀଳା ଆଚରି l
ମାନବଦେବତା ଲୀଳା ବିସ୍ତାରନ୍ତି
ବିପୁଳ ଭୁଜ ବିସ୍ତାରି ll
ଶଙ୍ଖ,ଚକ୍ର,ଗଦା ପଦ୍ମ ଧରି ହସ୍ତେ
ରତ୍ନ ସିଂହାସନେ ବସି l
ଚଉବାହା ମେଲି ଶରଣ ଯାଚନ୍ତି
ମହାପ୍ରଭୁ ବ୍ରହ୍ମରାଶି ll
ବାରମାସେ ତେରଯାତରା ତାହାଙ୍କ
ମର୍ତ୍ତ୍ୟମଣ୍ଡଳେ ବିଚିତ୍ର l
ପତିତପାବନ ଜଗତ ପାବନ
ନୀଳଚକ୍ରେ ଉଡ଼େ ନେତ ll
ମାର୍ଗଶୀର ମାସ ହେମନ୍ତର ଶେଷ
ମାଡ଼ି ଆସୁଅଛି ଜାଡ଼ l
ମାଘମାସେ ପୁଣି ବାଘ ପରି ଜାଡ଼
ଥରିଯିବ ହାଡ଼ ଗୋଡ଼ ll
ଶୁକ୍ଳଷଷ୍ଠି ପ୍ରାବରଣ ପ୍ରଭୁଙ୍କର
ଅନ୍ତ ମାର୍ଗଶୀର୍ଷ ମାସ l
ଦିବ୍ୟ ଘୋଡ଼ବସ୍ତ୍ର କାଢ଼ି ମହାପ୍ରଭୁ
ହେଲେ ଘୋଡ଼ଲାଗି ବେଶ ll
ଦିବ୍ୟ ଶୀତବାସେ ପ୍ରଭୁ ପୀତବାସେ
ଦିଅନ୍ତି ମାନବେ ଶିକ୍ଷା l
ଶୀତ ଉପଗତ ଘେନ ଶୀତବସ୍ତ୍ର
ନକର ଆଉ ପ୍ରତୀକ୍ଷା ll
ଓଢ଼ଣ ଷଷ୍ଠୀରୁ ଏ ବେଶ ଆରମ୍ଭ
ଶିରି ପଞ୍ଚମୀରେ ଶେଷ l
ଦରଶନେ ତାଙ୍କ ଜନ୍ମଦୁଃଖ ଖଣ୍ଡେ
ଖଣ୍ଡେ ଅଶେଷ କଳୁଷ ll
ଶିରି ପଞ୍ଚମୀରୁ ଧୀରେ ଧୀରେ ଯେବେ
କମି ଆସେ ଘୋର ଜାଡ଼ l
ସରୁ ଶୀତବସ୍ତ୍ରେ ମଣ୍ଡି ହ୍ୱନ୍ତି ପ୍ରଭୁ
ନାମ ତାର ଟେକାଘୋଡ଼ ll
ଏହି ରୂପେ ହରି ଦିବ୍ୟ ଲୀଳାକରି
ଶୀତ ୠତୁ କରି ଶେଷ l
ଦୋଳ ଯାତରାରେ ବାହାରନ୍ତି ଧରି
ମଦନ ମୋହନ ବେଶ ll
ଅପୂର୍ବ ବିମାନେ ହୋଇ ଶୋଭମାନ
ଦ୍ୱାରେ ଦ୍ଵାରୀ ଭୋଗ ଖାଇ l
ଭକତଙ୍କ ମେଳେ ନାଚି ତାଳେ ତାଳେ
ଯାନ୍ତି ବ୍ରହ୍ମାଣ୍ଡ ଗୋସାଇଁ ll
ଏମନ୍ତ ଦେବତା ଦେଖିଅଛ କାହିଁ
ଜଗଦୀଶ ଜଗନ୍ନାଥ ll
ମରତ ବୈକୁଣ୍ଠେ ନୀଳାଦ୍ରୀ ବିହାରୀ
କୋଟି କୋଟି ଦଣ୍ଡବତ,
ତାଙ୍କୁ କୋଟି କୋଟି ଦଣ୍ଡବତ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.