ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ

ଅର୍ଜୁନୀ ଚରଣ ବେହେରା

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ
================
ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି ଉପପ୍ଲବ୍ୟ ନଗର ଫେରି ଆସିଲେ l ଭଗବାନ୍ ପାଣ୍ତବ ମାନଙ୍କୁ ହସ୍ତିନାରେ ଯାହା ଯାହା ଘଟିଗଲା ସେସବୁର ବର୍ଣ୍ଣନା କରି କହିଲେ, ଏବେ ଦଣ୍ଡନୀତି ପ୍ରୟୋଗ କରିବା ଛଡ଼ା ଆଉ ଅନ୍ୟ କିଛି ଉପାୟ ନାହିଁ l
ଏହାଶୁଣି ଯୁଧିଷ୍ଠିର ଯୁଦ୍ଧପାଇଁ ଆଦେଶଦେଇ ଭାଇ ମାନଙ୍କୁ କହିଲେ,ଆମ ପାଖରେ ସାତ ଅକ୍ଷୋହିଣୀ ସେନା ଅଛନ୍ତି l ଦ୍ରୁପଦ,ବିରାଟ,ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ସାତ୍ୟକି, ଚେକିତାନ ଓ ଭୀମସେନ ଆଦି ଆମର ସାତ ମହାଯୋଦ୍ଧା, ଗୋଟିଏ ଗୋଟିଏ ଅକ୍ଷୋହିଣୀ ସେନାର ନେତୃତ୍ୱ ନିଅନ୍ତୁ l ଏମାନଙ୍କ ଭିତରୁ ଜଣେ ପ୍ରଧାନ ସେନାପତି ନିଯୁକ୍ତ ହୁଅନ୍ତୁ ଯିଏ କି ଭୀଷ୍ମଙ୍କୁ ପରାଭବ ଦେବା ପାଇଁ ସମର୍ଥ ରହିବେ l ସହଦେଵ କହିଲେ, ଆମର ପରମବନ୍ଧୁ ଓ ସୁହୃଦ ମତ୍ସ୍ୟଦେଶ ଅଧିପତି ବିରାଟ, ଏଥି ନିମନ୍ତେ ଉପଯୁକ୍ତ ହେବେ l ନକୁଳ କହିଲେ,ବୟସ, ଆଭିଜାତ୍ୟ ଶସ୍ତ୍ର ଓ ଶାସ୍ତ୍ର ଜ୍ଞାନ ଦୃଷ୍ଟିରୁ ଆମର ପିତୃତୁଲ୍ୟ, ଭୀଷ୍ମ ଓ ଦ୍ରୋଣଙ୍କ ସମକକ୍ଷ ଦ୍ରୁପଦ ଏହି ପଦ ପାଇଁ ଉପଯୁକ୍ତ l ଅର୍ଜୁନ କହିଲେ ଧୃଷ୍ଟଦ୍ୟୁମ୍ନ ହିଁ ଏ ଦୃଷ୍ଟିରୁ ସର୍ଵଶ୍ରେଷ୍ଠ l ରାଜା ଦ୍ରୁପଦଙ୍କ ତପସ୍ୟା ଫଳରୁ ଦ୍ରୋଣଙ୍କ ନିଧନ ନିମନ୍ତେ ତାଙ୍କ ଜନ୍ମ l ଭୀମ କହିଲେ, ମୋ ଦୃଷ୍ଟିରେ ଶିଖଣ୍ଡୀ ଏ ପଦ ପାଇଁ ଉପଯୁକ୍ତ l କାରଣ,ସେ ଭୀଷ୍ମଙ୍କ ବଧ ପାଇଁ ଜନ୍ମ ହୋଇଛନ୍ତି l ଜଣେ ବୀର ଯୋଦ୍ଧାଭାବେ ତାଙ୍କର ମଧ୍ୟ ଖ୍ୟାତି ଅଛି l
ଏପରି ବିଭିନ୍ନ ମତ ଦେଖି ଯୁଧିଷ୍ଠିର କୃଷ୍ଣଙ୍କ ଆଡ଼କୁ ଚାହିଁବାରୁ ଶ୍ରୀକୃଷ୍ଣ କହିଲେ, ଯେଉଁ ଯୋଦ୍ଧାମାନଙ୍କ ନାମ ପ୍ରସ୍ତାବିତ ହେଲା ସେମାନେ ସମସ୍ତେ କୌରବ ସେନାଙ୍କୁ ପରାଭବଦେବାକୁ ସମର୍ଥ l ଉଠିପଡ଼ି ଏହି ସମୟରେ ଅର୍ଜୁନ କହିଲେ, ‘ହେ ସଖା ! ଆପଣ ତ ଆମପକ୍ଷରେ ଅଛନ୍ତି ଆମର ଆଉ କଅଣ ଲୋଡ଼ା’ l ଶ୍ରୀକୃଷ୍ଣ କହିଲେ, ଏହା ସତ୍ୟ ଯେ ମୁଁ ତୁମ ପକ୍ଷରେ ରହିଛି l କାରଣ,ତୁମ ପକ୍ଷରେ ଧର୍ମ ଅଛି l ମୁଁ ଧର୍ମର ସମର୍ଥନ କରେ l କିନ୍ତୁ ମୁଁ ନୀରସ୍ତ୍ର l ଏ ଯୁଦ୍ଧରେ ଅସ୍ତ୍ର ଧରିବି ନାହିଁ ବୋଲି ମୁଁ ପ୍ରତିଜ୍ଞା କରି ସାରିଛି l ଅର୍ଜୁନ କହିଲେ, ତା ହେଲେ ଆପଣ ହିଁ ନିର୍ଣ୍ଣୟ କରନ୍ତୁ କିଏ ଆମର ପ୍ରଧାନ ସେନାପତି ହେବ l ଶ୍ରୀକୃଷ୍ଣ କହିଲେ ମୋ ମତରେ ଯଜ୍ଞାଗ୍ନି ସମ୍ଭୂତ ଧୃଷ୍ଟଦ୍ୟୁମ୍ନଙ୍କୁ ହିଁ ପ୍ରଧାନ ସେନାପତି ନିଯୁକ୍ତ କରାଯାଉ l କୃଷ୍ଣଙ୍କ ଏ ବାକ୍ୟକୁ ଉପସ୍ଥିତ ସମସ୍ତେ ବର୍ଷଧ୍ଵନୀରେ ସ୍ବାଗତ କଲେ l
ବାସୁଦେବକୃଷ୍ଣଙ୍କ ଏ ଘୋଷଣାଶୁଣି ଦ୍ରୌପଦୀ ପଛ କଥା ମନେ ପକାଇ କାନ୍ଦିବାରେ ଲାଗିଲେ l ମନେ ମନେ ସେ ଭାବିଲେ ସତେ କଅଣ ଭାଇ ଧୃଷ୍ଟଦ୍ୟୁମ୍ନ ଏ ଯୁଦ୍ଧର ସେନାପତି ହୋଇ ମୋ ମୁକୁଳା କେଶର ଅପମାନକୁ ନିବାରଣ କରି ପାରିବେ l ତାଙ୍କ ମନେ ପଡ଼ିଗଲା, ସେଦିନ ଭରା କୁରୁସଭାରେ ସେ ବର୍ବର ଲାଞ୍ଚନା କଥା l ଅବାରିତ ଅଶ୍ରୁ ଧାରା ତାଙ୍କ ଚକ୍ଷୁରୁ ବହିଯାଉ ଥାଏ ଏହି ସମୟରେ ଧୃଷ୍ଟଦ୍ୟୁମ୍ନ ଭଗିନୀ ଠାରୁ ଆଶୀର୍ବାଦ ନେବାପାଇଁ ଆସି ପହଞ୍ଚିଲେ l
ଭଉଣୀର ଆଖିରେ ଲୁହ ଦେଖି ନିଜ କୋହକୁ ଆଉ ସେ ସମ୍ଭାଳି ପାରିଲେନାହିଁ l କିଛି ସମୟ ନୀରବତା ପରେ ଧୃଷ୍ଟଦ୍ୟୁମ୍ନ କହିଲେ,ପାଞ୍ଚ୍ଛାଳୀ ! ତୁମେ ଧୈର୍ଯ୍ୟ ଧର l ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣହେବ l ଆଶୀର୍ବାଦ ଦିଅ ମୋତେ, ମୁଁ ଯେପରି ଏ ଯୁଦ୍ଧରେ ଜୟୀହୋଇ ତୁମ ଇଚ୍ଛାକୁ ସାକାର କରିବାକୁ ସମର୍ଥ ହେବି l
ଧୃଷ୍ଟଦ୍ୟୁମ୍ନ ଦ୍ରୌପଦୀଙ୍କ ଆଶୀର୍ବାଦ ଘେନି ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ l ପାଣ୍ତବମାନଙ୍କ ଶିବିରରେ ଶୁଭିଲା ତୁମୁଳ କୋଳାହଳ l ଭେରୀ, ତୂରୀ ମାନଙ୍କ ନିନାଦ ଗଗନ ପବନକୁ ମୁଖରିତ କଲା l ଯୋଦ୍ଧା ମାନଙ୍କ “ଯୁଦ୍ଧଙଦେହି ଯୁଦ୍ଧଙଦେହି ” ଡାକରା ଚତୁର୍ଦ୍ଦିଗକୁ ପ୍ରକମ୍ପିତ କଲା l ସମୁଦ୍ରପରି ବିରାଟ ପାଣ୍ତବସେନା କୁରୁକ୍ଷେତ୍ରକୁ ମୁହାଁଇଲେ l
!!! ଓଁ ନମଃ ଭଗବତେ ବାସୁଦେବାୟ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.