ଗରୁଡ଼ ବନ୍ଦନା

ଅର୍ଜୁନୀ ଚରଣ ବେହେରା

ଗରୁଡ଼ ବନ୍ଦନା
===========
ନମସ୍ତେ ଦେବ ଗରୁଡ଼ ବିନତା ନନ୍ଦନ l
କଶ୍ୟପ ତୁମ୍ଭର ପିତା, ହରିଙ୍କ ବାହନ ll
ନମସ୍ତେ ନମସ୍ତେ ନମଃ ଖଗଙ୍କର ପତି l
ଅରୁଣ ତୁମ୍ଭର ଭ୍ରାତା ସୂର୍ଯ୍ୟଙ୍କ ସାରଥି ll
ବନ୍ଦନାକରଇ ପଦେ ଦେବ ଖଗେଶ୍ବର l
ବାୟୁବେଗ ଗତି ତବ ଅତୀବ ପ୍ରଖର ll
ପୃଷ୍ଠରେ ବିଜୟ ତବ ଲକ୍ଷ୍ମୀନାରାୟଣ l
ନାମ ବହିଲେ ଶ୍ରୀହରି ଗରୁଡ଼ଆସନ ll
ସନ୍ତାନ ତୁମ୍ଭର ପ୍ରଭୋ କୁକ୍କୁଟ, ମୟୂର l
ଶିରରେ ମୁକୁଟ ତାଙ୍କ ଅତୀବ ସୁନ୍ଦର ll
ଭଗ୍ନୀ ତୁମ୍ଭର ଅଟନ୍ତି, ଶ୍ରୀମୟୀ ସୁମତୀ l
ବରିଥିଲେ ସୂର୍ଯ୍ୟ ବଂଶ ସଗର ନୃପତି ll
ବନ୍ଦଇ ବିନତାସୂତ ଆହେ ବୈନତେୟ l
ତୁମ୍ଭ ନାମ ସ୍ମରଣରେ କଟେ ଅହି ଭୟ ll
ନାଗାରୀ, ନାଗ ଅନ୍ତକ, ତୁମ୍ଭରି ଡରରେ l
କାଳୀୟ ଲୁଚିଲାଯାଇ କାଳିନ୍ଦୀଜଳରେ ll
ସୁପର୍ଣ୍ଣ ମନ୍ଦର ଗିରି ପୃଷ୍ଠେ ବୋହି ନେଲ l
ସମୁଦ୍ର ମନ୍ଥନ କାଳେ ଜଳେ ସଂସ୍ଥାପିଲ ll
ଜଗତରେ ରଖିଗଲ କାଳେକାଳେ ଯଶ l
ଶ୍ରୀରାମଙ୍କ ଫିଟାଇଲ କାଳ ନାଗଫାଶ ll
ନୀଳ ପର୍ବତେ କରିଲ ଖଗେ ସତ ସଙ୍ଗ l
କାକ ଭୂଷଣ୍ଡିଙ୍କ ସଙ୍ଗେ ଶ୍ରୀରାମ ପ୍ରସଙ୍ଗ ll
ବଳ ବିକ୍ରମେ ତୁମ୍ଭର କେ ସରି ହୋଇବ l
ଦେବଙ୍କୁ ହରାଇ ବେଗେ ଅମୃତ ହରିବ ll
ଗରୁଡ଼ ପୁରାଣେ ତବ ପ୍ରକୀର୍ତ୍ତୀତ କୀର୍ତ୍ତି l
ଶ୍ରୀବିଷ୍ଣୁ ବାହନକଲେ ଦେଖି ତୁମ୍ଭ ଶକ୍ତି ll
ନମସ୍ତେ ନମସ୍ତେ ପକ୍ଷୀରାଜ, ହରିଯାନ l
ଦର୍ଶନେ ସଂମ୍ପୂର୍ଣ୍ଣ ତବ, ଶ୍ରୀବିଷ୍ଣୁ ଦର୍ଶନ ll
କଳା ଶ୍ରୀମୁଖଙ୍କୁ ଦେଖ ଗରୁଡ଼ ପଛରେ l
ଜୟଜୟ ଜଗନ୍ନାଥ ବିଜେ କ୍ଷେତ୍ରବରେ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.