ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କଥା

 

ମହାଭାରତରୁ ଏକ ସୁନ୍ଦର କଥା l ପାଣ୍ଡବମାନେ ଜତୁ ଗୃହରୁ ରକ୍ଷା ପାଇଯାଇ ଏକଚକ୍ର ନଗରରେ ଗୁପ୍ତ ଭାବେ ମାତା କୁନ୍ତୀଙ୍କ ସହ ଜଣେ ବ୍ରାହ୍ମଣଙ୍କ ଗୃହରେ ବାସକରୁଥାନ୍ତି l ଏହି ସମୟରେ ପାଞ୍ଚାଳ ଦେଶରୁ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ l ବ୍ରାହ୍ମଣ ବେଶି ପାଣ୍ତବମାନଙ୍କୁ ସେ କହିଲେ, ପାଞ୍ଚାଳରାଜ ଦ୍ରୁପଦ ତାଙ୍କ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଦ୍ରୌପଦୀଙ୍କ ସ୍ଵୟଂବର କରୁଛନ୍ତି l ଏଥିରେ ଭାରତବର୍ଷର ବହୁ ରାଜା,କ୍ଷତ୍ରିୟମାନେ ଆସି ଯୋଗଦେବେ l ବ୍ରାହ୍ମଣ ମାନଙ୍କୁ ବହୁ ଦାନଦକ୍ଷିଣା ଓ ଭୋଜନ ଦିଆଯିବ l ତୁମ୍ଭେମାନେ ସେଠାକୁ ଯାଅ l

ବ୍ରାହ୍ମଣଙ୍କ ଏକଥା ଶୁଣି ଯୁଧିଷ୍ଠିର ଓ ଭାଇମାନଙ୍କ ପାଞ୍ଚାଳ ଯିବା ପାଇଁ ଉତ୍ସୁକତା ବଢ଼ି ଗଲା l ମାତା କୁନ୍ତୀଙ୍କ ନିକଟରେ କିନ୍ତୁ ସେମାନେ ଏହା ପ୍ରକାଶ କରି ପାରୁ ନ ଥାନ୍ତି l ଏହି ସମୟରେ ମାଆ କୁନ୍ତୀ କହିଲେ,ପୁତ୍ରମାନେ ! ବହୁଦିନହେଲା ତୁମେ ଏହି ବ୍ରାହ୍ମଣଙ୍କ ଘରେ ରହିଲଣି l ଅଧିକ ଦିନ ଏଠାରେ ରହିବା ଆଉ ଠିକ୍ ହେବନାହିଁ l ତାଛଡ଼ା ଏଠାରେ ଆଉ ଭିକ୍ଷା ମଧ୍ୟ ମିଳିବନାହିଁ l ଚାଲ ଆମେମାନେ ଧନ ଧାନ୍ୟ ପୂର୍ଣ୍ଣ ଐଶ୍ୱର୍ଯ୍ୟଶାଳୀ ପାଞ୍ଚାଳ ଦେଶକୁ ଚାଲି ଯିବା l ସେଠାରେ, ଆମଙ୍କୁ ଭିକ୍ଷାର ଅଭାବ ରହିବ ନାହିଁ l

ସେମାନେ ଏପରି ବିଚାରକରୁଥାନ୍ତି ଇତ୍ୟବସରେ ମହର୍ଷି ବ୍ୟାସ ଆସି ପହଞ୍ଚି କହିଲେ, ତୁମମାନଙ୍କୁ ବର୍ତ୍ତମାନ ଏ ସ୍ଥାନ ଛାଡ଼ିବାକୁ ହେବ, ତୁମେମାନେ ପାଞ୍ଚାଳ ଯାଅ ଓ ଦ୍ରୌପଦୀଙ୍କ ସ୍ଵୟଂମ୍ବର ସଭାରେ ଯୋଗଦିଅ l ଏଥିରେ ତୁମର କଲ୍ୟାଣ ହେବ l

ମା’ କୁନ୍ତୀଙ୍କ ସହ ପାଣ୍ଡୁପୁତ୍ରମାନେ ପାଞ୍ଚାଳ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କଲେ l ଏକଚକ୍ର ଠାରୁ ପାଞ୍ଚାଳ ଗୋଟିଏଦିନ ଓ ଗୋଟିଏ ରାତିର ରାସ୍ତା l ଯିବା ବେଳେ ସେମାନେ ରାତିରେ ଏକ ଘଞ୍ଚ ବନ ମଧ୍ୟରେ ପ୍ରବେଶକଲେ l ସେଠାରେ ଅଙ୍ଗାରପର୍ଣ୍ଣ ନାମକ ଏକ ଗନ୍ଧର୍ବ ତାର ସ୍ତ୍ରୀମାନଙ୍କ ସହ ଗଙ୍ଗା ନଦୀରେ ବିହାର କରୁଥିଲା l ସେଠାରେ ମନୁଷ୍ୟ ମାନଙ୍କ ପ୍ରବେଶ ଦେଖି ସେ କ୍ରୁଦ୍ଧହୋଇ ପାଣ୍ଡବଙ୍କ ପଥରୋଧ କଲା ଓ କହିଲା ଏହା ମୋର ବିହାର ସ୍ଥଳୀ l ଏ ବାଟରେ କାହାରିକୁ ଛଡ଼ା ଯିବ ନାହିଁ l ଅର୍ଜୁନ କ୍ରୁଦ୍ଧହୋଇ ଆଗ୍ନେୟାସ୍ତ୍ରଟିଏ ପ୍ରେରଣ କରି ତାର ରଥକୁ ପୋଡ଼ି ଦେଲେ l ଅଙ୍ଗାରପର୍ଣ୍ଣ ଚେତା ଶୂନ୍ୟ ହୋଇ ଭୂପତିତ ହେଲା l ଅର୍ଜୁନ ତାର ଶିର ଛେଦ କରିବାକୁ ଯାଉଛନ୍ତି ଏହି ସମୟରେ ତା’ର ସ୍ତ୍ରୀ କୁମ୍ଭୀନସା ଆସି ପାଣ୍ତବମାନଙ୍କ ଶରଣ ଭିକ୍ଷା କଲା l ଅର୍ଜୁନ ଅଙ୍ଗାରପର୍ଣ୍ଣକୁ ଛାଡ଼ି ଦେଲେ l

ଅଙ୍ଗାରପର୍ଣ୍ଣ ଚେତା ପାଇ ଉଠି ଅର୍ଜୁନଙ୍କୁ କହିଲା, ତୁମେ ମୋର ଜୀବନ ରକ୍ଷାକଲ l ମୁଁ ତୁମକୁ ଏକ ବିଦ୍ୟା ଦେଉଛି, ତାର ନାମ ଚାକ୍ଷୁଷ ବିଦ୍ୟା l ଏହି ବିଦ୍ୟା ବଳରେ ତୁମେ ସଂସାରରେ କେଉଁଠି କଣ ହେଉଛି ତାହା ଜାଣିପାରିବ l ତାଛଡ଼ା ତୁମ ପାଞ୍ଚ ଭାଇଙ୍କୁ ମୁଁ ପାଞ୍ଚଶହ ଅଶ୍ଵ ଦେଉଛି l ଯୁଧିଷ୍ଠିରଙ୍କ ଅନୁମତି ନେଇ ଅର୍ଜ୍ଜୁନ ତାଙ୍କଠାରୁ ଚାକ୍ଷୁଷ ବିଦ୍ୟା ଶିକ୍ଷାକଲେ l ଅର୍ଜୁନ ତାଙ୍କୁ ଅଶ୍ଵମାନଙ୍କୁ ଦରକାର ବେଳେ ମାଗିନେବୁ କହି, ଆଗ୍ନେୟାସ୍ତ୍ର ମନ୍ତ୍ର ଶିକ୍ଷା ଦେଲେ l ଗନ୍ଧର୍ବ ଅର୍ଜୁନଙ୍କସହ ଆଳାପ କରୁଥିବା ସମୟରେ ତାଙ୍କୁ ତାପତ୍ୟ ଓ କୌରବ ସମ୍ବୋଧନ କରୁଥିଲେ l ଅର୍ଜ୍ଜୁନ ତାଙ୍କୁ କହିଲେ,ତୁମ କୌରବ ସମ୍ବୋଧନ ଠିକ୍ ଅଛି l ମାତ୍ର ଏ ତାପତ୍ୟ କାହିଁକି ସମ୍ବୋଧନ କରୁଛ l

ଗନ୍ଧର୍ବ କହିଲେ, ତୁମେ ପ୍ରଥମେ ତାପତ୍ୟ, ପରେ ପାଣ୍ଡବ l କାରଣ ତପତିଙ୍କ ପୁତ୍ର କୁରୁ ହେଉଛନ୍ତି ତୁମ୍ଭର ପୂର୍ବପୁରୁଷ l ରାଜା ସମ୍ବରଣ ଓ ତପତିଙ୍କ ଔରସରୁ କୁରୁଙ୍କର ଜନ୍ମ l ଏ କଥା କହି, ଗନ୍ଧର୍ବ ରାଜା କୁରୁଙ୍କ ଜନ୍ମ କାହାଣୀ, ବିସ୍ତାରିତ ଭାବରେ ସମସ୍ତଙ୍କୁ ଶୁଣାଇଲେ l ଗନ୍ଧର୍ବଙ୍କ ଠାରୁ ନିଜ ପୂର୍ବ ପୁରୁଷଙ୍କ ଜନ୍ମ ବୃତ୍ତାନ୍ତ ଶ୍ରବଣକରି ପାଣ୍ଡବ ମାନେ ହୃଷ୍ଟଚିତ୍ତରେ ପାଞ୍ଚାଳ ଅଭିମୁଖେ ଯାତ୍ରା କଲେ l

🙏🙏🙏

ଅର୍ଜୁନୀ

————-

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.