ଓଡ଼ିଶା ସୀମାରେ ହାଇଆଲର୍ଟ

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ ହୋଇଛି ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ । ମାରଣାସ୍ତ୍ର ମଧ୍ୟରେ ରହିଛି ରକେଟ ଲଞ୍ଚର , ମୋର୍ଟାଲ ଭଳି ଅନେକ ଭୟାନକ ଅସ୍ତ୍ରଶସ୍ତ୍ର । ମାଓବାଦୀ ମିଶିର ବେଶ୍ରା ଏହି ବଙ୍କର ତଳେ ରହି ଚଳାଉଥିଲା ମାଓ ମିଶନ । ସୂଚନା ପାଇ ଗତ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଇବାସା ଜଙ୍ଗଲରେ ସିଆପିଏଫ୍, ଝାରଖଣ୍ଡ ପୋଲିସ, କୋବ୍ରାବାହିନୀ, ଝାରଖଣ୍ଡ ଜାଗୁଆର ଓ୍ବେଷ୍ଟସିଂହୋମରେ ଚଳାଇଥିଲେ କୁମ୍ବିଂ ଅପରେସନ୍ । ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମିଶିର ରହୁଥିବା ବଙ୍କର ମଧ୍ୟକୁ କାହାକୁ ପ୍ରବେଶ ଅନୁମତି ନଥିଲା । ୨୪ ଘଣ୍ଟା ଏହି ବଙ୍କର ନିକଟରେ ପ୍ରହରା ଦେଉଥିଲେ ସଶସ୍ତ୍ର ମାଓବାଦୀ । ଝାଡଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟ ପାଇଁ ମିଶିର ରହିଛି ମୋଷ୍ଟ ଓ୍ବାଣ୍ଟେଡ । ମିଶିର ମୁଣ୍ଡପାଇଁ ଏକ କୋଟି ଟଙ୍କାର ପୁରସ୍କାର ରହିଛି । ୨୦୧୮ ପୂର୍ବରୁ ଓଡ଼ିଶାରେ ମଧ୍ୟ ମିଶିର ମାଓବାଦୀ କାର୍ଯ୍ୟକଳାପ କରି ଆସୁଥିଲା । ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଡିଭିଜନ୍ ତିଆରି କରିଥିଲା । ଓଡ଼ିଶା ପୋଲିସ ପକ୍ଷରୁ ତା ମୁଣ୍ଡ ପାଇଁ ୨୦ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ତେବେ ଏହି କମ୍ବିଂ ଅପରେସନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଜଙ୍ଗଲ ଛାଡି ମିଶିର ଅନ୍ୟ ରାଜ୍ୟକୁ ପଳାଇଯାଇଥିବା ସୂଚନା ରହିଛି । ଏନେଇ ସୀମାବର୍ତ୍ତି ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏବେ ମଧ୍ୟ କମ୍ବିଂ ଅପରେନସ ଜାରି ରହିଥିବା ବେଳେ, ମାଓବାଦୀଙ୍କୁ ମୁଳପୋଛ କରିବାର ପଣ ନେଇ ଅପରେସନ ଆରମ୍ଭ କରିଛି ସିଆରପିଏଫ୍ ।

Comments are closed.