ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି :ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସମୀର ରଞ୍ଜନ ଦାଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍ ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ, ପିଲାମାନଙ୍କୁ ଭଲ ପାଠ ପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେବା ସହିତ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ଦଶମ ଶ୍ରେଣୀରୁ ୧୩ ଜଣ ଛାତ୍ରଛାତ୍ରୀ ଓ ଦ୍ୱାଦଶ ଶ୍ରେଣୀର ଦୁଇ ଜଣ ବିଦ୍ୟାର୍ଥୀ ମନ୍ତ୍ରୀ ଶ୍ରୀ ଦାଶଙ୍କ ଠାରୁ ଲ୍ୟାପ୍‌ଟପ୍ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିକ୍ଷା ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର, ମାଧ୍ୟମିକ ଶିକ୍ଷା ବୋର୍ଡ, କଟକର ସଭାପତି ରାମାଶିଷ ହାଜରା, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଅତିରିକ୍ତ ନିର୍ଦ୍ଦେଶକ (ଓସେପା)ସରୋଜ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ହାତୀଓଟ, ପୋଲସରା, ଗଞ୍ଜାମର ଅଧ୍ୟକ୍ଷ ଶ୍ରୀ ତ୍ରିଲୋଚନ ଷଡଙ୍ଗୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଲ, ବାରିପଦା, ମୟୂରଭଞ୍ଜର ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳଙ୍କୁ ସଂପୃକ୍ତ ବିଦ୍ୟାଳୟର ଜାତୀୟସ୍ତରରେ ଉନ୍ନତ ର‌୍ୟାଙ୍କ ପ୍ରଦର୍ଶନ ପାଇଁ ମନ୍ତ୍ରୀ ଶ୍ରୀ ଦାଶ ମାନପତ୍ର ସହ ୨୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥ ସଂପୃକ୍ତ ବିଦ୍ୟାଳୟ ଦୁଇଟିର ସାମଗ୍ରିକ ବିକାଶରେ ବିନିଯୋଗ କରାଯିବ ।

Comments are closed.