ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରାଯିବା ଘଟଣାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟ ସରକାର ସେମାନଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ସହମତି ଥିଲା। ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ ଗୁଜରାଟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥିଲେ। ଏକଥା ନିଜେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ଏଥିସହ ଗୁଜରାଟ ସରକାର ୧୧ ଦୁଷ୍କର୍ମକାରୀଙ୍କ ରିଲିଜ୍‌କୁ ସଠିକ ବୋଲି ସାବ୍ୟସ୍ତ କରିବା ପାଇଁ ସତ୍ୟପାଠରେ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି। ସରକାର ସତ୍ୟପାଠରେ କହିଛନ୍ତି ଯେ ୧୧ ଦୁଷ୍କର୍ମକାରୀ ଦୀର୍ଘ ୧୪ ବର୍ଷ ହେଲା ଜେଲରେ ରହିଥିଲେ। ଜେଲରେ ରହିବା ବେଳେ ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଭଲ ଥିଲା। ତେଣୁ ସେମାନଙ୍କୁ ଜେଲରୁ ସ୍ୱତନ୍ତ୍ର କ୍ଷମା ନୀତି ବଲରେ ଖଲାସ କରାଯାଇଛି।

ଦେଶର ୭୫ ତମ ସ୍ୱାଧୀନତା ଦିବସ ଅବସରେ ବିଲକିସ ବାନୋଙ୍କୁ ଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଜେଲରୁ ଖଲାସ କରାଯାଇଥିଲେ। ଏହା ବିରୋଧରେ ଏକାଧିକ ପିଆଇଏଲ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହାର ଶୁଣାଣି ବେଳେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ନିଜର ପକ୍ଷ ରଖିଛନ୍ତି।

ସତ୍ୟପାଠରେ ଗୁଜରାଟ ସରକାର କହିଛନ୍ତି ଯେ ୧୧.୦୭.୨୦୨୨ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ଚିଠି ଜରିଆରେ ୧୧ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ। ଗୁଜରାଟ ସରକାର ଗୋଟିଏ ପୁରୁଣା କ୍ଷମାନୀତି ବଳରେ ୧୧ ଜଣଙ୍କୁ ଖଲାସ କରିବାକୁ ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଖଲାସ କରିବା ପୂର୍ବରୁ ବିଲକିସ ବାନୋଙ୍କୁ ମଧ୍ୟ ଏ ବିଷୟରେ କିଛି ବି ଜଣାଇ ନଥିଲେ।

ଏହି ରିଲିଜ ବିରୋଧରେ ସିପିଏମର ସୁଭାଷିନ ଅଲୀ, ଟିଏମସି ସାଂସଦ ମହୁଆ ମୌତ୍ର ଓ ଆଉ ଜଣେ ମହିଳା ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଥିଲେ। ତେବେ ଗୁଜରାଟ ସରକାର ସତ୍ୟପାଠ ଜରିଆରେ ଆବେଦନକାରୀ ଦାଖଲ କରିଥିବା ପିଆଇଏଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ସତ୍ୟପାଠରେ ସରକାର କହିଛନ୍ତି,  କ୍ଷମାନୀତି ବିରୋଧରେ ଜନସ୍ୱାର୍ଥ ମାମଲା ଦାଖଲ କରିବା କ୍ଷମତା ଅଧିକାର ପରିସର ଭୁକ୍ତ ନୁହେଁ। ଏହା ଅଧିକାରର ଦୁର୍ବ୍ୟବହାର। ସମସ୍ତ ଦୋଷୀଙ୍କୁ ବୋର୍ଡରେ ସାମିଲ ସବୁ ସଦସ୍ୟଙ୍କ ମତାମତ ଆଧାରରେ ରିଲିଜ୍‌ କରାଯାଇଛି। ଏହି ସମୟରେ ଦଣ୍ଡ ପାଇବା ବେଳେ ଦୋଷୀଙ୍କ ବ୍ୟବହାର ଉପରେ ମଧ୍ୟ ବିଚାର କରାଯାଇଥିଲା।

Comments are closed.