କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ, ଭୋଟ୍ ଦେଲେ ୯୫୦୦ ସଦସ୍ୟ, ୧୯ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ମତଦାନ ସଂପନ୍ନ ହୋଇଛି। ସର୍ବଭାରତୀୟ କଂଗ୍ରେସ କମିଟିର ମୁଖ୍ୟାଳୟ ସହିତ ୬୫ଟି ସ୍ଥାନରେ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଠାରେ ସମସ୍ତ ପ୍ରତିନିଧି ମତଦାନ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି। ଆଜିର ନିର୍ବାଚନରେ ୯୫୦୦ ପ୍ରତିନିଧି ମତଦାନ କରିଛନ୍ତି। ମୋଟାମୋଟି ୯୬ ପ୍ରତିଶତ ପିସିସି ସଦସ୍ୟ ମତଦାନ  କରିଛନ୍ତି। ଏହି ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନି। ସୋମବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ।

ସେ କହିଛନ୍ତି, କଂଗ୍ରେସ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ମନମୋହନ ସିଂହଙ୍କ ସମେତ ୮୭ ସଦସ୍ୟ ମତଦାନ କରିଛନ୍ତି। ନିର୍ବାଚନର ସମସ୍ତ ପ୍ରକ୍ରିୟା ସ୍ଵତନ୍ତ୍ର, ନିରପେକ୍ଷ ଏବଂ  ପାରଦର୍ଶୀ ରହିଥିଲା। ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯେଉଁଠି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଅନ୍ୟ କୌଣସି ଦଳରେ ଏମିତି ନିର୍ବାଚନ ହୁଏ ନାହିଁ। ମତଦାନ ଦିନ କଂଗ୍ରେସ ଅଧ୍ୟକ୍ଷ ପଦର ଦୁଇ ପ୍ରାର୍ଥୀ ପରସ୍ପରକୁ ଶୁଭକାମନା ଜଣାଇଥିବା ଜୟରାମ ରମେଶ କହିଛନ୍ତି।

ମତଦାନ ପରେ ସୋନିଆ କହିଛନ୍ତି, ସେ ଦୀର୍ଘ ସମୟରୁ ଏହି ଦିନକୁ ଅପେକ୍ଷା କରିଥିଲେ। ରାହୁଲ ଗାନ୍ଧୀ କର୍ଣ୍ଣାଟକର ବେଲ୍ଲାରିରେ ଭାରତ ଯୋଡୋ ଯାତ୍ରାରେ ନିର୍ମିତ କଣ୍ଟେନର ବିଶିଷ୍ଟ ବିଶ୍ରାମ ଶିବିରରେ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି। ସେଠାରେ ତାଙ୍କ ସହିତ ପ୍ରାୟ ୪୦ ନେତା ମତଦାନ କରିଛନ୍ତି।

ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତା ପି ଚିଦାମ୍ବରମ ସର୍ବ ପ୍ରଥମେ ମତଦାନ କରିଛନ୍ତି। ଏହା ପରେ ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ, ଅଜୟ ମାକନ, ମୁକୁଲ ଓ୍ଵାସନିକ, ବରିଷ୍ଠ ନେତା ଅମ୍ବିକା ସୋନି, ବିବେକ ତନଖା ଏବଂ ଅନ୍ୟ ନେତା ମତଦାନ କରିଛନ୍ତି।

କଂଗ୍ରେସ ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶଙ୍କ ଅନୁଯାୟୀ, ଅଧ୍ୟକ୍ଷ ପଦ ପାଇଁ ପର୍ଯ୍ୟନ୍ତ ୧୯୩୯, ୧୯୫୦, ୧୯୭୭, ୧୯୯୭ ଏବଂ ୨୦୦୦ରେ ନିର୍ବାଚନ ହୋଇଥିଲା। ପୂରା ୨୨ ବର୍ଷ ପରେ  ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। ଏଥର ନିର୍ବାଚନର ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା କରାଯିବ।

Comments are closed.