ଫେରି ଯାଉଛନ୍ତି ମାଆ

ଅର୍ଜୁନୀ ଚରଣ ବେହେରା

କାଶତଣ୍ଡୀ ଶ୍ୱେତ ଚାମର ଆଲଟେ
ବହିଲା ପାର୍ବଣ ବାଆ l
ଭଦଭଦଳିଆ ରାବି ବୁଲୁଥିଲା
ସନ୍ଦେଶ ଦେଲେଣି ମାଆ ll
ତା ମର୍ତ୍ତ୍ୟ ଭୂମିରେ ଖେଳି ଯାଇଅଛି
ଚଉଦିଗେ ଅବସାଦ l
ସନ୍ତପ୍ତ ପରାଣି ଆରତେ ଡାକନ୍ତି ମାଆ
ଫେଡ଼ ଆମ ଖେଦ ll
ଦିବ୍ୟ ଧାମ ତେଜି ଓଲ୍ହାଇ ଆସିଲେ
ସନ୍ତାନରେ ବହି ଦୟା l
ସନ୍ତାନ ଦୁଃଖ ସହି କି ପାରିବ, ସେ
ପରା ଆମର ମାଆ ll
ଢୋଲ,ଢକା,ଯୋଡ଼ି ନାଗରା ବାଜଇ
ବାଜେ ଟମକ ମହୁରୀ l
ମରତ ଆରତ ଦୂରିତ କାରଣେ
ମାଆ ଥିଲେ ଅବତରି ll
ଉଲ୍ଲାସ ଧରଣୀ ଉଲ୍ଲସିତ ପ୍ରାଣୀ
ମାଆଙ୍କର ନିରାଜନା l
ମନ୍ତ୍ର ଉଚ୍ଚାରଣ କେତେ ଯେ ତୋରଣ
ବାଜିଲା ଦିବ୍ୟ ବାଜଣା ll
ଦୁର୍ଗତ ସଂସାରେ ବସା ବାନ୍ଧିଥିଲେ
ଶୁମ୍ଭ ନିଶୁମ୍ଭ ମହିଷା l
ଦୁର୍ଗତିନାଶିନୀ ଶେଷ କଲେ ମାରି
ତ୍ରିଶୂଳ,ଟାଙ୍ଗିଆ ଫସା ll
ଦୁଃଖ, ଶୋକ ହରି ମାଆ ଶାକମ୍ବରି
ସଜ ହୋଇଲେଣି ପୁଣି l
କଇଳାଶ ଧାମେ ଫେରିଯିବେ ମାଆ
ବିଶ୍ୱ ବନ୍ଦ୍ୟ ଠାକୁରାଣୀ ll
ଧନ୍ୟ ଧନ୍ୟ ମାଆ ଜଗତ ଜନନୀ
ଧନ୍ୟ ମା’ କରୁଣାମୟୀ l
ଜଗତର ଦୁଃଖ ବୁଝୁ ଥିବୁ ମାଆ
ସନ୍ତାନେ ଭୁଲିବୁ ନାହିଁ ll
ଭସାଣି ଉତ୍ସବେ ପଟୁଆର ଚାଲେ
ଫେରି ଯାଉଛନ୍ତି ମାଆ l
ତୋ ପଦେ ଦୟୀନୀ ଜଗତ କଲ୍ୟାଣୀ
ପାଖେ ପାଖେ ମୋର ଥାଆ ll
!!! ପାଖେ ପାଖେ ମୋର ଥାଆ !!!
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.