ଭୁବନେଶ୍ୱର:ପ୍ରବଳ ବର୍ଷା ସତ୍ତ୍ବେ ବିଧାନସଭା ଆଗରେ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ରଖିଛନ୍ତି ୪ ଦଫା ଦାବି। ସେଗୁଡ଼ିକ ହେଲା- ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ, ଅବସର ନେଇଥିବା ଶିକ୍ଷକ ଓ ନେବାକୁ ଥିବା ଶିକ୍ଷକଙ୍କୁ ପେନସନ୍, ତୁରନ୍ତ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଏବଂ ସବୁ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀକରଣ କରିବା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ କମିଟି ପ୍ରଦାନ କରିଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।
ଗତ ୧୪ ତାରିଖରେ ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାର ୫ ହଜାର ୭୪୦ ଜଣ ଅତିଥି ଶିକ୍ଷକ ନିୟୋଜନ କରିବା ପାଇଁ ଅନୁମୋଦନ ଦେଇଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଅତିଥି ଶିକ୍ଷକମାନେ ସରକାରୀ, ସଂପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ ଏବଂ ସଂସ୍କୃତ TOL ସ୍କୁଲରେ ଶିକ୍ଷାଦାନ କରିବେ। ନିୟମିତ ଶିକ୍ଷକ ନିଯୁକ୍ତି ହେବା ପର୍ଯ୍ୟନ୍ତ କିମ୍ବା ୨୦୨୬-୨୭ ଶିକ୍ଷାବର୍ଷ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଶିକ୍ଷାଦାନ ଜାରି ରଖିବେ। ସରକାରଙ୍କ ପୂର୍ବରୁ ରହିଥିବା ନିୟମ ଓ ନିର୍ଦ୍ଦେଶାବଳୀ ଅନୁସାରେ ଏହି ନିୟୋଜନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଖାଲିଥିବା ଅନୁମୋଦିତ ପଦବୀରେ ଅତିଥି ଶିକ୍ଷକମାନଙ୍କୁ ନିୟୋଜନ କରିବେ। ଯାହାକୁ ବିରୋଧ କରିଛି ଅଲ୍ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ। ଶିକ୍ଷାବିତ୍ କହିଛନ୍ତି ଶିକ୍ଷକ ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ମୁହଁ ବୁଲାଉଛନ୍ତି। ତୁରନ୍ତ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦେବା ଉଚିତ୍। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ନହେବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ।
ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ମୋହନ ସରକାର। ଆଗାମୀ ଦିନରେ ୪୫ ହଜାର ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଗତକାଲି ସ୍ବାଧୀନତା ଦିବସରେ କହିଥିଲେ ମୁଖ୍ୟମନ୍ତ୍ରୀ।