ଭୁବନେଶ୍ୱର:ଉତ୍ତରରେ ଭୟଙ୍କର। ଉପକୂଳ ଓ ପଶ୍ଚିମରେ ସାଂଘାତିକ। ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକକୁ ଜାରି ହୋଇଛି ରେଡ୍ ଆଲର୍ଟ । ବର୍ଷା ସହିତ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ବହିପାରିବେ ପବନ । ସେହିଭଳି ୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ ବାକି ୧୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତାକାଲି ବି ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଲଘୁଚାପରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ତିନି ଦିନ ବର୍ଷା ଲାଗି ରହିବ। ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇଲେ ମଧ୍ୟ ୨୦ ତାରିଖ ଯାଏଁ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।