ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲା ଧାମନଗର ବ୍ଲକ କୁଳିଆଗଡ଼ିଆସ୍ଥିତ ଜୟନଗର ଅନନ୍ତ କେଶରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି।
‘ସମାଜ’ ରିଲିଫ କମିଟି ପକ୍ଷରୁ ପ୍ରଦତ୍ତ ଏହି ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଗୋପବନ୍ଧୁଙ୍କ ଦେଶପ୍ରେମ, ସେବା ଓ ତ୍ୟାଗର ଅତୁଳନୀୟ ଆଦର୍ଶକୁ ସ୍ମରଣ କରାଯାଇଥିଲା।
ଧାମନଗର ଏସ୍ଡିପିଓ ବିଷ୍ଣୁଚରଣ ବାରିକ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ସିଂହ ଓ ବିଦ୍ୟାଳୟର ପୁରାତନ ଛାତ୍ର ତଥା ‘ସମାଜ’ର ସହସମ୍ପାଦକ ଡ. ଜଗନ୍ନାଥ ଖଟୁଆ ମିଳିତ ଭାବେ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ ଯେ, ଗୋପବନ୍ଧୁଙ୍କ ଦେଶପ୍ରେମ, ମାନବସେବା ଓ ତ୍ୟାଗର କୌଣସି ପଟାନ୍ତର ନାହିଁ। ତାଙ୍କ ଜୀବନୀ, ସ୍ୱାଧୀନତା ସଂଗ୍ରାମରେ ଭୂମିକା, ଶିକ୍ଷକତା, ସମାଜସେବା ଓ ମାନବିକତାର ଆଦର୍ଶ ସମାଜ ପାଇଁ ଆଜି ମଧ୍ୟ ଅନୁକରଣୀୟ। ଦୀନଦୁଃଖୀ, ଦରିଦ୍ର ଓ ଅସହାୟଙ୍କ ସେବାକୁ ଜୀବନର ବ୍ରତ କରିଥିବା ଉତ୍କଳମଣିଙ୍କ ଆଦର୍ଶ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି ସେମାନେ ମତ ଦେଇଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ମନୋଜ କୁମାର ସିଂହ ସଭାପତିତ୍ୱ କରିଥିଲେ। ‘ସମ୍ବାଦ’ର ଧାମନଗର ପ୍ରତିନିଧି କୃଷ୍ଣଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।
ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ରାମଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା, ‘ସମାଜ’ର ଦୋବଲ ପ୍ରତିନିଧି ସଞ୍ଜୀବ ମହାନ୍ତି, ଧାମନଗର ପ୍ରେସ୍ କ୍ଲବର ପୂର୍ବତନ ସଭାପତି ରଜତ ପଣ୍ଡା, ଅବସରପ୍ରାପ୍ତ କୃଷି ଅଧିକାରୀ ସନ୍ତୋଷ ପାଢ଼ୀ, ତାପସ ସାହୁ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିରୂପମା ବାରିକ, ଖଡ଼ିପଦା ସ୍କୁଲର ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ, ଏସ୍ଏମ୍ସି ସଦସ୍ୟ ଭାରତୀ ଜେନା, ଏଲିନା ଜେନା, ସତ୍ୟଭାମା ସ୍ୱାଇଁ, ଅଶୋକ ଦାସଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ଜାତୀୟ ପତାକା ଉତ୍ତୋଳନ ପରେ ସ୍ୱାଧୀନତା ଦିବସ ଉପଲକ୍ଷେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ଏସ୍ଏମ୍ସି ସଭାପତି ସରୋଜ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।