ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ବଡ଼ ଆଶ୍ୱସ୍ତି; ୫୦ କେଜି ଚାଉଳ ସହ ମିଳିବ ୨୫୦୦ ଟଙ୍କା

0

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ଆଶ୍ୱସ୍ତ କରିବା ପାଇଁ ରାଜ୍ୟ ସରକାର ରିଲିଫ୍ ପ୍ୟାକେଜ୍‌କୁ ଆହୁରି ବ୍ୟାପକ କରିଛନ୍ତି। ଏଣିକି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍‌ର ଯୋଗ୍ୟ ପରିବାରଗୁଡ଼ିକୁ ରିଲିଫ୍ ସହାୟତା ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଫଳରେ ତିନୋଟି ଜିଲ୍ଲାର ଅଧିକ ସଂଖ୍ୟକ ପରିବାର ଉପକୃତ ହେବେ।

ସରକାରଙ୍କ ଘୋଷଣା ଅନୁଯାୟୀ, ଉକ୍ତ ତିନି ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ର ଯୋଗ୍ୟ ପରିବାର ପିଛା ୫୦ କିଲୋଗ୍ରାମ ଚାଉଳ ସହ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ବାତ୍ୟା ପରବର୍ତ୍ତୀ ସମୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହ ପ୍ରଭାବିତ ପରିବାରଙ୍କୁ ଆର୍ଥିକ ଭାବେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।ଏଥିପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସମସ୍ତ ବ୍ଲକ୍‌ରେ ଯୋଗ୍ୟ ହିତାଧିକାରୀ ପରିବାରଙ୍କ ତାଲିକା ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଚାଉଳ ବଣ୍ଟନରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ସିଧାସଳଖ ଜିଲ୍ଲା ନାଗରିକ ଯୋଗାଣ ଅଧିକାରୀ (CSO) ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ (OSCSC) ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ଚାଉଳ ମହଜୁଦ୍ କରିବେ।

ଅନ୍ୟପକ୍ଷରେ, ହିତାଧିକାରୀଙ୍କୁ ମିଳିବାକୁ ଥିବା ୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରାଥମିକତା ଭିତ୍ତିରେ ସିଧାସଳଖ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ପଠାଯିବ। ତେବେ ଯେଉଁ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଛି, ସେଠାରେ ବିକଳ୍ପ ବ୍ୟବସ୍ଥାରେ ସହାୟତା ବଣ୍ଟନ କରାଯିବ। ଏହି ବଣ୍ଟନ ପ୍ରକ୍ରିୟାର ସଠିକ୍ ରେକର୍ଡ ମଧ୍ୟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ରହିଛି।ସହାୟତା ବଣ୍ଟନରେ ସ୍ୱଚ୍ଛତା ଓ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ବ୍ଲକ୍‌ୱାରୀ ଚାଉଳ ଓ ଆର୍ଥିକ ସହାୟତା ବଣ୍ଟନର ସବିଶେଷ ରିପୋର୍ଟ ଜିଲ୍ଲାପାଳମାନେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)କୁ ପଠାଇବେ।

Leave A Reply

Your email address will not be published.