ଫେବୃଆରୀ ଦ୍ବିତୀୟ ସପ୍ତାହରେ ଅଧିବେଶନ- ନିର୍ବାଚନ ପାଇଁ ଆସିବ କାମଚଳା ବଜେଟ

ଭୁବନେଶ୍ବର : ୨୦୨୪ ନିର୍ବାଚନର ବର୍ଷ। ଏହାକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକବର୍ଷ ଲାଗି ଚଳିତଥର ‌ବିଧାନସଭାରେ ୪ମାସ ପାଇଁ କାମଚଳା ବଜେଟ ତଥା ‘ଭୋଟ ଅନ୍ ଆକାଉଣ୍ଟ’ ଆସିବ। ପରବର୍ତ୍ତୀ ପର୍ଯ୍ୟାୟରେ ଗୃହରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହ ବଜେଟ ଅଧିବେଶନରେ ସରକାରୀ ଛୁଙ୍କ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ଡିସେମ୍ବର ୨୫ ମଧ୍ୟରେ ସବୁ ବିଭାଗର ନୂତନ ପ୍ରସ୍ତାବ, କାର୍ଯ୍ୟକାରୀ ପ୍ରସ୍ତାବଗୁଡିକ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏବେ ଉନ୍ନୟନ ଆୟୁକ୍ତ ଓ ମୁଖ୍ୟଶାସନ ସଚିବସ୍ତରରେ ବୈଠକ ଅନୁଷ୍ଠିତ ହୋଇ ବିଭାଗଗୁଡିକର ପ୍ରସ୍ତାବଗୁଡିକୁ ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତୁତ କରାଯିବ। ନିୟମ ଅନୁଯାୟୀ ସରକାର ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ କୌଣସି ବିଭାଗର ବଜେଟ୍ ପାରିତ କରିପାରିବେ ନାହିଁ। ତେଣୁ ଆସନ୍ତା ବଜେଟ ଅଧିବେଶନ କାଳରେ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନୂତନ ଯୋଜନା ବାବଦରେ ପ୍ରସ୍ତାବ ଆଣିବାର ଆଭିମୁଖ୍ୟ ରଖିଛନ୍ତି।

କିଛିଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଲାଗି ସ୍କୁଟି, ପରିବହନ ବ୍ୟବସ୍ଥାକୁ ତ୍ବରାନ୍ବିତ ଲାଗି ‘ଲକ୍ଷ୍ମୀ’ ଏବଂ ଗରିବଙ୍କ ମୁଣ୍ଡ ଉପରେ ଛାତ ଲାଗି ‘ମୋ-ଘର’ ଯୋଜନା ଆପଣାଇଛନ୍ତି। ‘ଲକ୍ଷ୍ମୀ’ ଯୋଜନା ଗରିବଙ୍କ ପାଇଁ ଏବଂ ‘ସ୍କୁଟି’ ଯୋଜନା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ପାଇଁ ବିଶେଷ ସହାୟକ ହେଉଛି।
ଏଥର ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗ ସହିତ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ମିଶନଶକ୍ତି, ବାଣିଜ୍ୟ ଓ ପରିବହନ, ଜଳସମ୍ପଦ, ପଞ୍ଚାୟତିରାଜ ଭଳି କେତେକ ବିଭାଗର ବଜେଟ୍ ଆକାର ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଚଳିତ ଆର୍ଥିକବର୍ଷ ମାର୍ଚ୍ଚ ୩୧ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨.୩୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ପାରିତ ହୋଇଥିଲା। ଏହା ପରେ ଅକ୍ଟୋବରରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୨୮ହଜାର ୨୦୦ କୋଟି
ଟଙ୍କାର ବଜେଟ୍ ଉପସ୍ଥାପନ ହୋଇ ପରେ ପାରିତ ହୋଇଥିଲା। ଗତ ୨୩ବର୍ଷ ଭିତରେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ସରକାରଙ୍କ ବଜେଟ ଆକାର ବଢ଼ି ଚାଲିଛି। ୨୦ ହଜାର କୋଟିରୁ ଆସି ୨ଲକ୍ଷ ୫୮ହଜାର କୋଟି ଟଙ୍କା ଟପିଲାଣି। ହେଲେ ଏବେ ବି ରାଜ୍ୟର ଅର୍ଦ୍ଧାଧିକ ଗ୍ରାମରେ ପାନୀୟଜଳ ତଥା ଜଳସେଚନ ସମସ୍ୟା ଲାଗି ରହିଛି। ସରକାରଙ୍କ ପକ୍ଷରୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଥିଲେ ହେଁ ସେସବୁ ଅଧାପନ୍ତରିଆ ହୋଇ ରହିଛି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କିଛି ନୂଆ ଯୋଜନା କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି।
ନିର୍ବାଚନ ପାଇଁ ଆସିବ…

Comments are closed.