ଫସଲହାନି କାରଣରୁ ଚାଷୀ କୀଟନାଶକ ପିଇ ଜୀବନ ହାରିଲେ

ମୋହନା: ଋଣଭାର ସାଙ୍ଗକୁ ଫସଲହାନି ଘଟଣାରେ ମାନସିକ ଦୁଶ୍ଚିନ୍ତାରେ ଗଜପତି ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। କାରଣରୁ ଭାଙ୍ଗିପଡ଼ି କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଓ ଅଡ଼ବା ଥାନା ଅଧୀନ ଫଟାଚାଞ୍ଚଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଉକ୍ତ ଗ୍ରାମର ଗୌରଚନ୍ଦ୍ର କାର୍ଜି। ସୂଚନାନୁସାରେ, ଲଗାତାର ଫସଲ କ୍ଷତି ସହୁଥିବା ବେଳେ ଗୌରଚନ୍ଦ୍ର ଚଳିତବର୍ଷ ସାହୁକାରଙ୍କ ଠାରୁ ଋଣ ଆଣି ବିହନ ଓ ପିଡ଼ିଆ କିଣି ଚାଷ କରିଥିଲେ। କିନ୍ତୁ ଏଥର ଜଳାଭାବ ଓ ବର୍ଷାଭାବ କାରଣରୁ ଜମିରେ ମଞ୍ଜି ପକାଇଲେ ମଧ୍ୟ ଭଲ ଗଜା ହୋଇ ନଥିଲା। ଧାନ ଏବଂ ମକା ଉଭୟ ଚାଷରେ ଗୌରଚନ୍ଦ୍ର କ୍ଷତି ସହିଥିଲେ। ଯା‌ହାକୁ ନେଇ ସେ କିଛିଦିନ ହେଲା ଚିନ୍ତାଗ୍ରସ୍ତ ଥିଲେ। ଗତକାଲି ରାତିରେ ସେ ହଠାତ୍ କୀଟନାଶକ ପିଇଦେବାରୁ ଅବସ୍ଥା ଗୁରୁତର ହୋଇଥିଲା। ପ୍ରଥମେ ମୋହନା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। କିନ୍ତୁ ରାସ୍ତାରେ ହିଁ ଗୌରଚନ୍ଦ୍ର ପ୍ରାଣ ହରାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଏ ଘଟଣା ଖବର ପାଇ ଆଜି ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇ, ଅଡ଼ବା ଆର୍‌ଆଇ ସାଗର ଦଳେଇ ଓ ଅଡ଼ବା ସରପଞ୍ଚ ସୁନେମୀ ଗମାଙ୍ଗ ପ୍ରମୁଖ ପହଞ୍ଚି‌ ଗୌରଚନ୍ଦ୍ରଙ୍କ ଜମି ପରିମାଣ, ଋଣ ସ୍ଥିତି ବିଷୟରେ ତଦନ୍ତ କରିଥିଲେ। ଗୌରଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ପାଲଟିଛି। ଘରେ ପତ୍ନୀ କୁନିଙ୍କ ସମେତ ୩ ପୁଅ ଏବଂ ୧୩ ମାସର ଗୋଟିଏ ଝିଅ ଅଛନ୍ତି।

Comments are closed.