ଏକଶତ ଆଠ ନୀଳପଦ୍ମ

ଅର୍ଜୁନୀ ଚରଣ ବେହେରା

ଭାରତୀୟ ସଂସ୍କୃତିରେ ଶକ୍ତିପୂଜା ଉନ୍ମେଷ କେଉଁ ସମୟରୁ ହୋଇଛି ତାହାର ଐତିହାସିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ l ଅନୁମାନ କରା ଯାଏ ଏହା ଖ୍ରୀ.ପୁ.950 ପୂର୍ବରୁ ହୋଇଛି ବୋଲି l ଖ୍ରୀ. ପୁ.ତୃତୀୟ ଶତାବ୍ଦୀ ରଚିତ ମାର୍କଣ୍ଡେୟ ପୁରାଣରୁ ଦୁର୍ଗା ପୂଜାର ପ୍ରାଚୀନତା ସମ୍ବନ୍ଧରେ ସୂଚନା ମିଳି ଥାଏ l ଖ୍ରୀ. ପୁ. 3000 ରେ ବିରଚିତ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଶକ୍ତିପୂଜାର ଉଲ୍ଲେଖ ଅଛି l ଋକ ବେଦ ଓ ସାମବେଦର ଦେବୀସୂକ୍ତ ଓ ରାତ୍ରୀ ସୁକ୍ତ ଦୁର୍ଗାପୂଜା ବିଷୟକ ସମ୍ୟକ ସୂଚନା ପ୍ରଦାନ କରିଥାଏ l
ଆଦ୍ୟାଶକ୍ତି ମାଆ ସତସ୍ୱରୂପା ମହାଲକ୍ଷ୍ମୀ ହେଲେ ସାତ୍ତ୍ୱିକ, ଚିତ୍ ସ୍ୱରୂପା ମହା ସରସ୍ୱତୀ ତାମସ ଓ ଆନନ୍ଦ ସ୍ୱରୂପା ମହାକାଳୀ, ଆନନ୍ଦ ରୂପେ ସର୍ବତ୍ର ପୂଜା ପାଇଥାନ୍ତି l ତ୍ରିଗୁଣlତ୍ମିକା ଶକ୍ତି ପରଂବ୍ରହ୍ମଙ୍କ ଶକ୍ତି ରୂପେ ସାରା ବିଶ୍ୱରେ ପରିବ୍ୟାପ୍ତ ରହିଛନ୍ତି l ଭାରତୀୟ ଶକ୍ତି ପୂଜା ପରମ୍ପରାରେ ଶାରଦୀୟ ଦୁର୍ଗା ପୂଜା ସର୍ବ ଜନ ବିଦିତ l ଏହି ଦେବୀ ପୂଜା ସାଧାରଣତଃ ବର୍ଷରେ ଦୁଇଥର ଶରତ ଓ ବସନ୍ତ ଋତୁରେ ଯଥା କ୍ରମେ ଆଶ୍ୱିନ ଓ ଚୈତ୍ର ମାସରେ ଅନୁଷ୍ଠିତ ହୋଇ ଥାଏ l ଶାରଦୀୟ ଦୁର୍ଗା ପୂଜା ଆଶ୍ୱିନ କୃଷ୍ଣ ମୂଳା ଅଷ୍ଟମୀ ଠାରୁ ଶୁକ୍ଳ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳଦିନ ବ୍ୟାପି ଷୋଳପୂଜା ରୂପେ ଅନୁଷ୍ଠିତ ହୋଇଥାଏ l ମନୁଷ୍ୟର ଦଶବିଧ ବିଘ୍ନ ଦୁର୍ଗା ପୂଜା ମାଧ୍ୟମରେ ହରଣ ହେଉଥିବାରୁ ଏହା ଦଶହରା ନାମରେ ବିଦିତ l ଏହା ଛଡ଼ା ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମା’ଗଙ୍ଗାଙ୍କ ଧରାବତରଣ ହୋଇ ଥିବା ଦୃଷ୍ଟିରୁ ସେ ଦିନକୁ ଗଙ୍ଗା ଦଶହରା ଭାବେ ପାଳନ କରାଯାଏ l ମନୁଷ୍ୟର ଦଶବିଧ ପାପ ଦୁର୍ଗାପୁଜା ଏବଂ ଗଙ୍ଗା ଦଶହରାରେ ଗଙ୍ଗା ସ୍ନାନ ଦ୍ୱାରା ହରଣ ହୋଇଥାଏ l ବରାହ ପୁରାଣ ଅନୁସାରେ ଏହି ଦଶ ବିଧ ପାପ ମାନେ ହେଲେ ପରସ୍ତ୍ରୀ ଗମନ, ପର ଦ୍ରବ୍ୟ ଅପହରଣ, ହିଂସା, ପରର ଅନିଷ୍ଟ ଚିନ୍ତନ, ଅସୂୟା, ନୃଶଂସତା, କଟୁ ବଚନ,ମିଥ୍ୟାଚାର,ଦୋଷାରୋପ,ସମ୍ବନ୍ଧ ବିହୀନ ସଂଳାପ l
ଦେବୀଦୁର୍ଗା ତ୍ରେତୟାଯୁଗରେ ଲଙ୍କପତି ରାବଣର ଦଶ ଶିର ଛେଦନ କରି ଦେବତା ମାନଙ୍କର ଦୁଃଖ ହରଣ କରିଥିବାରୁ ଦେବୀଙ୍କୁ ଦୁର୍ଗା ଏବଂ ପର୍ବକୁ ଦଶହରା ବୋଲି ଅଭିହିତ କରାଯାଇଥାଏ l ପ୍ରଭୁ ଶ୍ରୀରାମ ରାବଣକୁ ଶରତଋତୁରେ ଯୁଧରେ ନିହତ କରି ବିଜୟ ଲାଭ କରି ଥିବାରୁ ଶାରଦୀୟ ଦୁର୍ଗା ପୂଜା ବିଜୟା ଦଶମୀ ରୂପେ ପରିଚିତ l
ସପ୍ତସତୀ ଚଣ୍ଡୀରେ ଦେବୀ କହିଛନ୍ତି “ଜଗତରେ ଦାନଵ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧିପାଇଲେ ଧରାରେ ଅବତୀର୍ଣ୍ଣହୋଇ ଦାନଵ ସଂହାର କରି ଜଗତରେ ମୁଁ ଶାନ୍ତିପ୍ରତିଷ୍ଠା କରିବି “l ଏହି କ୍ରମରେ ତ୍ରେତୟା ଯୁଗରେ ମା’ ଜାନକୀଙ୍କ ଶକ୍ତିଙ୍କ ଅବତାର ରୂପେ ଜନ୍ମ ହୋଇଥିଲା l
ରାବଣ ନିଧନ, ତଥା ଜାନକୀଙ୍କ ଉଦ୍ଧାର ଉଦ୍ୟମ କାଳରେ ଏକଦା ପ୍ରଭୁ ଶ୍ରୀରାମ ନିଦ୍ରା ଦେବୀଙ୍କ କୋଳରେ ଶୟନ କରି ଥାନ୍ତି l ପ୍ରଭୁ ଦେଖିବାକୁ ପାଇଲେ ଯେ ରାବଣ ମାଆ ଦୁର୍ଗାଙ୍କ କୋଳରେ ଶୟନ କରିଛି l ଏହା ଦେଖି ଶ୍ରୀରାମ ଭାବିଲେ ମହାମାୟାଙ୍କ ଆଶ୍ରିତ ରାବଣର ନିଧନ ଅସମ୍ଭବ l ଏହି ଅବସରରେ ଦେବର୍ଷି ନାରଦ ଆସି ପହଞ୍ଚି ପ୍ରଭୁଙ୍କୁ ଦେବୀ ମାଆ ଦୁର୍ଗାଙ୍କୁ ପୂଜା କରିବା ପାଇଁ ପରାମର୍ଶ ଦେଲେ l ଆଷାଢ଼ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବ ଦେବୀଙ୍କ ଶୟନସମୟ ହୋଇଥାଏ l ଏ ସମୟରେ ବିବାହ ଵ୍ରତାଦି ଶୁଭ କର୍ମ ବର୍ଜିତ ହୋଇଥାଏ l ଦେବତା ମାନଙ୍କୁ ଆବାହନ କଲେ ସେମାନଙ୍କର ଯୋଗ ନିଦ୍ରାରେ ବ୍ୟାଘାତ ଘଟେ l ଏକେ ତ ଯୁଦ୍ଧ କ୍ଷେତ୍ର ଓ ଦ୍ୱିତୀୟରେ ଦେବତା ମାନଙ୍କ ଶୟନ ସମୟ l ଏ ଅସମୟରେ ଦେବୀଙ୍କୁ କିପରି ଆବାହନ କରା ଯାଇ ପାରିବ ବୋଲି ପ୍ରଭୁ ନାରଦଙ୍କୁ ପ୍ରଶ୍ନ କଲେ l ଏହାର ଉତ୍ତର ଦେଇ ନାରଦ କହିଲେ ” ଆପଣ ପରଂବ୍ରହ୍ମ ନିରାକାର, ସର୍ବ ଶକ୍ତିମାନ,ସର୍ବ ବିଦ୍ୟ, ସର୍ବ ଦର୍ଶୀ ଭଗବାନ ଶ୍ରୀବିଷ୍ଣୁ l ଆପଣଙ୍କର ଏହି ଅବତାର ରାବଣର ନିଧନ ନିମନ୍ତେ ଵିଧି ନିର୍ଦ୍ଦିଷ୍ଟ l ଆପଣଙ୍କ ଦ୍ୱାରା ଏ ଅସମୟରେ ଅନୁଷ୍ଠିତ ଦୁର୍ଗା ପୂଜା ‘ଅକାଳବୋଧନ’ ନାମରେ ଯୁଗ ଯୁଗ ଧରି ଜନମୂଖରେ ଆଖ୍ୟାୟିତ ହେବ l” ଏଣୁ ଆପଣ ଦେବୀଙ୍କୁ ଆବାହନ କରି, ରାବଣ ନିଧନ ପାଇଁ କୃପା ଭିକ୍ଷା କରନ୍ତୁ l ଦେବର୍ଷିଙ୍କ ଉପଦେଶ ଶୁଣି ପ୍ରଭୁ, ଭକ୍ତ ବିଭୀଷଣଙ୍କ ସହ ପରାମର୍ଶ କଲେ l ବିଭୀଷଣ କହିଲେ ଦେବୀଙ୍କୁ ଏକଶତଆଠ ନୀଳ ପଦ୍ମ ଅର୍ପଣ କରି ଆରାଧନା କଲେ ଦେବୀ ପ୍ରସନ୍ନ ହେବେ l କିନ୍ତୁ ଏ ଅସମୟରେ ନୀଳପଦ୍ମ ମିଳିବ କେଉଁଠୁ l ଭକ୍ତ ବିଭୀଷଣ ପୁଣି କହିଲେ ହଁ ଯକ୍ଷ ସରୋବରରେ ନୀଳପଦ୍ମ ଅଛି l ଭକ୍ତ ଶିରୋମଣି ମହାବୀର ହନୁମାନଙ୍କୁ ନୀଳପଦ୍ମ ଆଣିବା ଦାୟିତ୍ୱ ନ୍ୟସ୍ତ ହେଲା l ଆଶ୍ୱିନ ଶୁକ୍ଳ ଷଷ୍ଠୀ ତିଥିରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରି ପ୍ରଭୁ ଶ୍ରୀରାମ ପୂଜାର ସମସ୍ତ ଆୟୋଜନ କଲେ l ନୀଳ ପଦ୍ମ ଧରି ହନୁମାନ ଯଥା ସମୟରେ ଉପସ୍ଥିତ ହେଲେ ଏବଂ ଲକ୍ଷ୍ମଣ ଗଣନାକରି ପଦ୍ମ ସଂଖ୍ୟା ଠିକ ଅଛି ବୋଲି କହିଲେ l ସପ୍ତମୀ ତିଥିରେ ମାଆଙ୍କ ପୂଜା ଆରମ୍ଭ ହେଲା l ଦୁର୍ଗା ଗାୟତ୍ରୀମନ୍ତ୍ରରେ ପ୍ରଭୁ ଶ୍ରୀ ରାମ ମାଆଙ୍କ ଚରଣରେ ଗୋଟିଗୋଟି କରି ନୀଳ ପଦ୍ମ ଅର୍ପଣ କରୁ ଥାନ୍ତି l ପୂଜା ସମାପନ ପ୍ରାୟ l ହଠାତ ପ୍ରଭୁ ଦେଖିଲେ ଶହେ ଆଠ ତମ ନୀଳ ପଦ୍ମଟି ନାହିଁ l ଏ ସମୟରେ ଆଉ ଗୋଟିଏ ପଦ୍ମ ସଂଗ୍ରହ କରିବା ଅସମ୍ଭବ ଥିଲା l ପ୍ରଭୁଙ୍କର ଚକ୍ଷୁ ଗୁଡ଼ିକ ନୀଳ ପଦ୍ମ ସ୍ୱରୂପ ହୋଇ ଥିବାରୁ ତାଙ୍କର ଅନ୍ୟ ନାମ ରାଜୀବଲୋଚନ l କିଂକର୍ତ୍ତବ୍ୟବିମୁଢ଼ ଅବସ୍ଥାରେ ହଠାତ ପ୍ରଭୁଙ୍କ ମୁଖ ମଣ୍ଡଳ ପ୍ରସନ୍ନ ହୋଇ ଉଠିଲା l ସେ ଗୋଟିଏ ନୀଳ ପଦ୍ମ ପାଇଁ ନିଜର ଗୋଟିଏ ଚକ୍ଷୁକୁ ଉତ୍ପାଟନ କରି ମାଆଙ୍କୁ ସମର୍ପଣ କରିବା ନିମନ୍ତେ ଉଦ୍ୟତ ହେଉଥାନ୍ତି l ଏହି ସମୟରେ ମା’ ଦୁର୍ଗା ସମ୍ମୁଖରେ ଆବିର୍ଭୁତ ହେଲେ l ମାଆ ପ୍ରଭୁଙ୍କ ଭକ୍ତି ପରୀକ୍ଷା ନିମନ୍ତେ ଗୋଟିଏ ନୀଳ ପଦ୍ମ ହରଣ କରି ନେଇ ଥିଲେ l ମାଆ ତାଙ୍କ ପଣତ ତଳେ ଲୁଚାଇ ରଖିଥିବା ସେ ନୀଳପଦ୍ମଟି କାଢି ଶ୍ରୀରାମଙ୍କୁ ବଢ଼ାଇ ଦେଲେ ଓ ପ୍ରଭୁ ମାଆଙ୍କ ଚରଣରେ ଏହା ସମର୍ପଣ କଲେ l ମାଆ ସନ୍ତୁଷ୍ଟା ହୋଇ ଶ୍ରୀରାମଙ୍କୁ ରାବଣ ସଂହାର ନିମନ୍ତେ ଆଶିଷ ଦେଇ ଶ୍ରୀରାମଙ୍କ କୋଦଣ୍ଡରେ ବିଜେ କଲେ l
ଏହି ସମୟରେ ରାବଣ ଲଙ୍କାଗଡ଼ରେ ଚଣ୍ଡୀପୂଜା କରୁ ଥାଏ l ଚଣ୍ଡୀ ପୂଜାରେ ନିଯୁକ୍ତ ଆଚାର୍ଯ୍ୟଙ୍କୁ ଏକଦା ହନୁମାନ ସେବା କରି ତୁଷ୍ଟ କରିଥିଲେ l ଆଚାର୍ଯ୍ୟ ଚଣ୍ଡୀ ପାଠରେ ମନ୍ତ୍ର ଉଚ୍ଚାରଣ କରି “ଭୁତାର୍ତ୍ତି ହାରିଣୀ ” ପରିବର୍ତ୍ତେ ‘ଭୁତାର୍ତ୍ତି କାରିଣୀ’ କହିଲେ l ଏହା ଶୁଣି ରାବଣର ମତିଭ୍ରମ ହୋଇ ଗଲା l ସେ ‘ଯା ଦେବୀ’ ପରିବର୍ତ୍ତେ ‘ଖା ଦେବୀ’ ଉଚ୍ଚାରଣ କଲେ l ଏହି ଅଶୁଦ୍ଧ ଚଣ୍ଡୀପାଠ ଦ୍ୱାରା ମାଆ ରାବଣକୁ ପରିତ୍ୟାଗ କଲେ ଏବଂ ଏହାହିଁ ରାବଣ ବଂଶ ନିପାତର କାରଣ ହେଲା l
ଏ ମୃଣ୍ମୟୀ ପ୍ରତିମାପୂଜାକୁ ଅକାଳବୋଧନ ଭାବେ ବିଖ୍ୟାତ ହେବବୋଲି ଦେବୀ କହିଥିଲେ l ଦେବୀ ପୁଣି କହି ଥିଲେ ରାବଣ ଓ କୁମ୍ଭକର୍ଣ୍ଣ ଭ୍ରାତୃ ଦ୍ଵୟ ବୈକୁଣ୍ଠର ଦ୍ୱାରପାଳ,ମା’ ଲକ୍ଷ୍ମୀଙ୍କଦ୍ୱାରା ଅଭିଶପ୍ତ ଜୟ ଏବଂ ବିଜୟ l ଏବେ ତାଙ୍କର ମୁକ୍ତି ସମୟ ଉପସ୍ଥିତ lଅବିଳମ୍ବେ ସେମାନଙ୍କୁ ବଧକରି ମୋକ୍ଷ ପ୍ରଦାନ କରନ୍ତୁ l ଆପଣଙ୍କ ବିଜୟ ପାଇଁ ପ୍ରତିବର୍ଷ ଶରତକାଳରେ ଏହି ପୂଜା ଅନୁଷ୍ଠିତହେବ ବିଜୟା ଦଶମୀ ନାମରେ lଦେବୀଙ୍କ ଆଶୀର୍ବାଦ ଲାଭକରି ଅଷ୍ଟମୀ ତିଥିରେ ଶ୍ରୀରାମ ଓ ରାବଣଙ୍କର ଘୋର ସଂଗ୍ରାମ ହୋଇଥିଲା l ଅଷ୍ଟମୀ ଓ ନବମୀ ତିଥିର ସନ୍ଧିକ୍ଷଣରେ ରାବଣ ନିହତ ହୋଇଥିଲା l ଏହାର ସ୍ମାରକୀ ସ୍ୱରୂପ ମହାଷ୍ଟମୀରେ ସନ୍ଧି ପୂଜା ହୋଇ ଥାଏ l ରାବଣ ନିହତ ହେବା ପରେ ଦିନେ ମାଆ ସୀତା ପ୍ରଭୁଙ୍କୁ ପ୍ରଶ୍ନକଲେ ପ୍ରଭୁ ଆପଣ ପରଂବ୍ରହ୍ମ ଆପଣ ବ୍ରହ୍ମଜ୍ଞାନୀହୋଇ ରାବଣକୁ କାହିଁକି ନିଧନ କଲେ l ଶ୍ରୀରାମ କହିଲେ ଜାନକୀ ତୁମର ମନେ ନାହିଁ,ସ୍ମରଣ କର,ତୁମକୁ ଲଙ୍କପତି ପଞ୍ଚବଟୀରୁ ହରଣ କରି ପୁଷ୍ପକ ବିମାନରେ ବସାଇ ଲଙ୍କାକୁ ନେଇ ଯାଉଥିଲା ବେଳେ ତୁମେ ଅସହାୟ ହୋଇ କାନ୍ଦୁଥିଲ :-
ହେ ବନଗିରି ହେ ଲତା ଗିରି
ମୋ କାନ୍ତ ଗଲେ ମୃଗ ମାରି l
ମୋତେ ଏକା ଦେଖିଣ ଭିକ୍ଷା ମାଗି ରାବଣ
ମାୟା ତପସ୍ୱୀ ରୂପ ଧରି l
ଧରି ମୋହର କର ବସାଇ ରହୂବର
ମୋତେ ନେଉଛି ଲଙ୍କା ପୁରୀ l
ଯତିବେଶ ଧାରୀ ଦୁର୍ନୀତି କରୁଥିବା ସେ ରାବଣକୁ ହିଁ ମୁଁ ବଧ କରିଛି l ବ୍ରହ୍ମଜ୍ଞାନୀ ରାବଣକୁ ତ ମୁଁ ତା ହାତରେ ସେତୁବନ୍ଧ ଓ ରାମେଶ୍ୱରଙ୍କୁ ପ୍ରତିଷ୍ଠାକରି ଧନ୍ୟ କରି ଦେଇଛି l ମାଆ ଜାନକୀ ତାହା ପରେ ବୁଝିପାରି ଥିଲେ ଧର୍ମାତ୍ମା ଏବଂ ପାପାତ୍ମା ରାବଣ ବିଷୟରେ l
ନୀଳପଦ୍ମ ଏବଂ ରାମେଶ୍ୱରରେ ରାବଣଦ୍ୱାରା ଶିବ ଲିଙ୍ଗ ପ୍ରତିଷ୍ଠା ଖୁବ ଚମତ୍କାର ଭାବେ ବର୍ଣ୍ଣିନା କରା ଯାଇଛି ଯଥାକ୍ରମେ ବଙ୍ଗଳା କୃତ୍ତିବାସ ରାମାୟଣ ଓ ତାମିଲ କମ୍ବ ରାମାୟଣରେ l ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା କବିତାଂଶ ମନେ ପଡୁଛି :-
ଏହି ଶରତେ ଦିନେ ଭାରତେ ରାଘବ ରାମଚନ୍ଦ୍ର l
ଅଗାଧଜଳେ ସାଗରକୁଳେ ବାନ୍ଧିଲେ ସେତୁବନ୍ଧ ll
ଦେବୀ ଚରଣ କରିବରଣ ଲଙ୍କାରେ ଜାଳି ଚିତା l
ସେସ୍ମୃତି ଆଜି ଉଠେବିରାଜି ଉଦ୍ଧରିଥିଲେ ସୀତାll
ମାଆ ମହାମାୟା ଦୁର୍ଗାଙ୍କ ଏ ମହାପୁଜା କଲେ ଅଶେଷ କଳୁଷ ନାଶ ହୋଇ ମନୁଷ୍ୟ ସର୍ବ କାର୍ଯ୍ୟ ସିଦ୍ଧି ଲାଭ କରିଥାଏ l ଶ୍ରୀରାମଙ୍କ ଲଙ୍କା ବିଜୟର ସ୍ମାରକୀସ୍ୱରୂପ ଅକାଳବୋଧନ ଓ ବିଜୟାଦଶମୀ କାହିଁ କେଉଁ ସ୍ମରଣାତିତ କାଳରୁ ପାଳିତ ହୋଇ ଆସୁଛି l
! ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ !
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.