ଦ୍ରୌପଦୀଙ୍କ ଜୋତା ଧରିଲେ ଶ୍ରୀକୃଷ୍ଣ

ଅର୍ଜୁନୀ ଚରଣ ବେହେରା

ମହାଭାରତ ଯୁଦ୍ଧର ନବମ ଦିନ ବିତି ଯାଇଥାଏ l ସେନାପତି ଥାଆନ୍ତି ପିତାମହ ଭୀଷ୍ମ l ବୀରତାର ସହ ସେ ପାଣ୍ଡଵପକ୍ଷର ସେନାସଂହାର କରିଚାଲି ଥାନ୍ତି l କିନ୍ତୁ ସେ ପର୍ଯ୍ୟନ୍ତ ଜୟର କୌଣସି ଲକ୍ଷଣ ଦେଖି ନପାରି ଦୁର୍ଯ୍ୟୋଧନ ହତାଶ ହୋଇପଡ଼ିଲେ ଓ ପିତାମହଙ୍କୁ ଯାଇ ପଚାରିଲେ, ପିତାମହ ଆମ ରଥି ମହାରଥୀ ମାନେ ଗୋଟି ଗୋଟି କରି ଲୋଟି ପଡ଼ୁଛନ୍ତି l ଆମ ଅସ୍ତ୍ରଶସ୍ତ୍ର ମଧ୍ୟ କ୍ରମେ କ୍ରମେ ସରି ଆସୁଛି l ଆପଣ ଚାହିଁଲେ ଏ କୁରୁ ରାଣର ଲାଜ ରଖିପାରିବେ l
ଦୁର୍ଯ୍ୟୋଧନଙ୍କର ବ୍ୟସ୍ତତା ଦେଖି ପିତାମହ ତୁରନ୍ତ ପ୍ରତିଜ୍ଞା କରି ନେଲେ,ଦଶମ ଦିବସର ଯୁଦ୍ଧ ହେବ ନିର୍ଣ୍ଣାୟକ ଯୁଦ୍ଧ ଓ କାଲି ଯୁଦ୍ଧରେ ମୁଁ ଏ ଧରଣୀକୁ ନିଶ୍ଚୟ ଅପାଣ୍ଡବା କରି ଦେବି l ଦୁର୍ଯ୍ୟୋଧନ ହର୍ଷ ଚିତ୍ତରେ ଫେରିଗଲେ l ଭିଷ୍ମଙ୍କ ପ୍ରତିଜ୍ଞା ! ଏ କଥା ପାଣ୍ଡଵ ଶିବିରରେ ପହଞ୍ଚିବାକ୍ଷଣୀ ସମସ୍ତେ ବିବ୍ରତ ହୋଇ ପଡ଼ିଲେ l ବିଶେଷଭାବରେ ଚିନ୍ତିତ ହୋଇ ପଡ଼ିଲେ ଦ୍ରୌପଦୀ l ସେ ଜାଣନ୍ତି ଭୀଷ୍ମଙ୍କ ପ୍ରତିଜ୍ଞା କେବେ ଅନ୍ୟଥା ଯିବ ନାହିଁ ଏବଂ ପାଣ୍ଡଵ ମାନଙ୍କ ନିଧନ କାଲି ଧ୍ରୁବ ନିଶ୍ଚିନ୍ତ l ସେ ନିଶାର୍ଦ୍ଧରେ ଯାଇ ପହଞ୍ଚିଲେ ଶ୍ରୀକୃଷ୍ଣଙ୍କ ପାଖରେ l ପ୍ରଭୁଙ୍କୁ ପାଞ୍ଚାଳୀ କହିଲେ, ହେ କେଶବ ! ହେ ଆର୍ତ୍ତତ୍ରାଣ ! ଆପଣ ପିତାମହଙ୍କ ପ୍ରତିଜ୍ଞା କଥା ନିଶ୍ଚୟ ଅବଗତ ଥିବେ, ମୋର କଅଣ ରାତ୍ରୀ ପାହିଲେ ବୈଧବ୍ୟ ଯୋଗ ଭାଗ୍ୟରେ ଅଛି l ଶ୍ରୀକୃଷ୍ଣ ହସି ହସି କହିଲେ, ହଁ ସଖି ମୁଁ ଜାଣେ ଏବଂ ତାର ଉପାୟ ମଧ୍ୟ ଜାଣେ l ପିତାମହଙ୍କ ପ୍ରତିଜ୍ଞାକୁ ତାଙ୍କରି ପ୍ରତିଜ୍ଞା ଦ୍ୱାରା ହିଁ ଟାଳିବାକୁ ପଡ଼ିବ l ଆସ, ଏହାର ଉପାୟ ରାତ୍ରୀ ଶେଷ ନହେଉଣୁ ହିଁ କରିନେବା l ମୁଁ ଯାହା କହୁଛି ତାହା କର l ଆସ, ଆମେ ସାଥି ହୋଇ, ଭୀଷ୍ମଙ୍କ ଶିବିରକୁ ଯିବା l ସେ ସେହି ପ୍ରତିଜ୍ଞା କରି ମୋଟେ ଶୋଇ ପାରି ନଥିବେ l ତୁମେ ପିତାମହଙ୍କ ଶେଯ ନିକଟରେ ପହଞ୍ଚିବ l ତା’ ପରେ ଯାହା ହେବ ମୁଁ ଵୁଝିବି l ହଁ, ମନେ ରଖି ଥାଅ ତୁମେ ପିତାମହଙ୍କ ନିକଟକୁ କୌଣସି ରାଜକୀୟ ବେଶଭୁଷା ନପିନ୍ଧି ଏକ ଗ୍ରାମ୍ୟବଧୂ ବେଶରେ ଯାଇ ପହଞ୍ଚିବ l ତାଙ୍କ ଠାରୁ ଏହା ଶୁଣି ଦ୍ରୌପଦୀ ଶିବିରକୁ ଫେରିଯାଇ କୃଷ୍ଣଙ୍କ ପ୍ରତୀକ୍ଷା କଲେ l
ରାତିର ଶେଷ ପ୍ରହର ବେଳକୁ କୃଷ୍ଣ ଆସି ପହଞ୍ଚି ଦ୍ରୌପଦୀଙ୍କୁ ଡାକିଲେ l ଦ୍ରୌପଦୀ ଗ୍ରାମ୍ୟ ବଧୂର ବେଶ ପିନ୍ଧି ମୁଣ୍ଡରେ ଓଢଣିଟିଏ ପକାଇ କୃଷ୍ଣଙ୍କ ସଙ୍ଗେ ଚାଲିଲେ l ଶ୍ରୀକୃଷ୍ଣ ଆଗେ ଆଗେ ଚାଲି ଥାନ୍ତି ଶୁଣିଲେ, ଦ୍ରୌପଦୀଙ୍କ ପାଣ୍ଡୋଇର ଶବ୍ଦ l କୃଷ୍ଣ ଚମକି ଉଠି କହିଲେ, କୃଷ୍ଣା ! ମୁଁ ପାଣ୍ଡୋଇ ପିନ୍ଧି ଆସିବା ପାଇଁ ମଧ୍ୟ ବାରଣ କରିଥିଲି l ହଉ ଜୋତା ହଳକ କାଢ଼ି ମୋତେ ଦେଇ ଦିଅ ଏବଂ ତୁମେ ଯାଇ ପିତାମହଙ୍କ ପାଦତଳେ ଲମ୍ବହୋଇ ଶୋଇ ଯାଅ l ପିତାମହ ବିନିଦ୍ର ରଜନୀ କଟାଇ ଶେଯରେ ପଡ଼ି ଛଟ ପଟ ହେଉଥାନ୍ତି l ଦ୍ରୌପଦୀ ଯାଇ ତାଙ୍କ ପାଦ ତଳେ ଶୋଇଯିବାରୁ ସେ ମନେ କଲେ l ବୋଧହୁଏ ଯୁଦ୍ଧରେ ନିଜ ବନ୍ଧୁ କୁଟୁମ୍ବଙ୍କୁ ହରାଇ କୌଣସି ଅନାଥିନୀ କିଛି ନିବେଦନ ପାଇଁ ଆସିଛି l ସେ ତତ୍କ୍ଷଣାତ୍ ଆଶୀର୍ବାଦ ପ୍ରଦାନପୂର୍ବକ କହି ପକାଇଲେ,” କିଏ ମାଆ କଲ୍ୟାଣୀ, ଅଖଣ୍ଡ ସୌଭାଗ୍ୟବତୀ ଭଵଃ,ପୁତ୍ରବତୀ ଭଵଃ “l
ପିତାମହଙ୍କ ଆଶୀର୍ବଚନ ଶୁଣି ଦ୍ରୌପଦୀ କହିଲେ ଆପଣ ତ ପ୍ରତିଜ୍ଞା କରିଛନ୍ତି, ରାତି ପାହିଲେ ମୋ ସ୍ୱାମୀ ମାନଙ୍କୁ ମାରିଦେବେ, ମୁଁ ପୁତ୍ରବତୀ ହେବି କିପରି?ଭୀଷ୍ମ ଚମକି ପଡ଼ିଲେ,ସେ ଜାଣିପାରିଲେ ଇଏ ହେଉଛନ୍ତି ଦ୍ରୌପଦୀ l ସେ ତତକ୍ଷଣାତ କହି ଉଠିଲେ ସେ ପ୍ରତିଜ୍ଞା ଏହି ଆଶୀର୍ବାଦ ଦ୍ୱାରା ନଷ୍ଟ ହୋଇଗଲା l ହେ କଲ୍ୟାଣୀ ! ତେବେ ତୋତେ ଏ ବୁଦ୍ଧି ଦେଲା କିଏ? ଦ୍ରୌପଦୀ କହିଲେ,ପିତାମହ ! ବାହାରକୁ ଆସନ୍ତୁ ସବୁ ଜାଣିପାରିବେ l ତାଙ୍କସହ ଭୀଷ୍ମ ବାହାରକୁ ଆସି ଦେଖନ୍ତି ତ ଶ୍ରୀକୃଷ୍ଣ ହଳେ ଜୋତା କାଖରେ ଯାକି ଠିଆ ହୋଇଛନ୍ତି l ପ୍ରଭୁଙ୍କୁ ଯଥା ମାନ୍ୟ କରି ଭୀଷ୍ମ କହିଲେ,ଆପଣ କାହାର ଏ ଜୋତା ହଳକ ଧରି କାହିଁକି ଠିଆ ହୋଇଛନ୍ତି? ଶ୍ରୀକୃଷ୍ଣ କହିଲେ,ଇଏ ଦ୍ରୌପଦୀଙ୍କ ପାଣ୍ଡୋଇ,ସେ ଆପଣଙ୍କ ପାଖକୁ ଗଲାବେଳେ ବାହାରେ ଏହାକୁ ଛାଡ଼ି ଯାଇଥିଲେ, କୁକୁର ନେଇଯିବ ବୋଲି ତାକୁ ମୁଁ ସଯତ୍ନରେ କାଖରେ ଯାକି ଠିଆ ହୋଇଛି l
ଭକ୍ତପାଇଁ ଭଗବାନ ତାହାର ଜୋତା ଧରିପାରନ୍ତି l ଭକ୍ତ ପ୍ରତି ଭଗବାନଙ୍କ ଅନାବିଳପ୍ରେମ କଥା ଭାବି ଭାବି ଭୀଷ୍ମ ଭାବବିହ୍ଵଳ ହୋଇ ପଡ଼ିଲେ l ପ୍ରଭୁଙ୍କୁ ସେ କହିଲେ, ହେ କେଶବ, ହେ ମଧୁସୂଦନ, ହେ ଦୟାମୟ ! ମୋତେ ଏତିକି ମାତ୍ର କରୁଣା କରିବ ତୁମକୁ ଦେଖି ଦେଖି ଯେପରି ମୋର ପ୍ରାଣ ପକ୍ଷୀ ଉଡି଼ଯିବ l
ପ୍ରଭୁ ତାଙ୍କର ଅନୁରୋଧ ରକ୍ଷା କଲେ l ପର ଦିନ ଯୁଦ୍ଧରେ ଭୀଷ୍ମ ଅର୍ଜୁନଙ୍କ ବାଣରେ ଶରଶଯ୍ୟାରେ ଶାୟିତ ହେଲେ l ଶରଶଯ୍ୟାରେ ଚୋଉବନ ଦିନ ପଡ଼ି ଆଦିତ୍ୟଙ୍କ ଉତ୍ତରାୟଣ କାଳରେ ଶ୍ରୀକୃଷ୍ଣଙ୍କୁ ସମ୍ମୁଖରେ ଦେଖି ଦେଖି ମହାପ୍ରୟାଣ ଲଭିଥିଲେ l ଭାଗବତ ଭାଷାରେ :-
ଦେଖନ୍ତି ସୁର ନର ମୁନି l
ଗଙ୍ଗା ନନ୍ଦନ ହେଲେ ତୁନି ll
ଶରୀର ତେଜି ଭାବ ମୋହେ l
ପଶିଲେ ଗୋବିନ୍ଦର ଦେହେ ll
ଭୀଷ୍ମ ମରଣ ଦେଖି ଭଲେ l
ଯେ ଅବା ଥିଲେ କୃଷ୍ଣ ତୁଲେ ll
ମଉନେ ବସିଲେ ସମସ୍ତେ l
ପକ୍ଷୀଏ ଯେହ୍ନେ ଦିନ ଅନ୍ତେ ll
ତକ୍ଷଣେ ଦୁନ୍ଦୁଭି ଶବଦ l
ଦେବମାନବେ କଲେ ବାଦ୍ୟ ll
ଶରଶଯ୍ୟା ନିକଟରେ ଉପସ୍ଥିତ ସମସ୍ତେ କୃଷ୍ଣଙ୍କୁ ଚାହିଁ ପ୍ରାର୍ଥନା କଲେ ହେ ମାଧବ ! ହେ କେଶବ ! ହେ ନାରାୟଣ,ହେ ପରମାନନ୍ଦ ! ଆପଣଙ୍କ କୃପା ବଳରେ ଏ ସଂସାରରେ କ’ଣ ବା ଅସମ୍ଭବ ଥାଇ ପାରେ l ହେ ପରମାନନ୍ଦ,ହେ ମାଧବ ! ଆପଣଙ୍କ ଚରଣ କମଳରେ କୋଟି ପ୍ରଣିପାତ l
ଓଁ ନମଃ ଭଗବତେ ବାସୁଦେବାୟଃ !!!
🙏🙏🙏
ଅର୍ଜୁନୀ
———–
ମୋ – 7693091971

Comments are closed.