ଅଦ୍ଭୁତ ଶିଳ୍ପୀ

ଅର୍ଜୁନୀ ଚରଣ ବେହେରା

କନ୍ୟା ସଂକ୍ରାନ୍ତିର ପବିତ୍ର ତିଥିରେ
ମନେ ପଡ଼େ ଏକ ଅପୂର୍ବ ଗାଥା l
ଏ କଳିଯୁଗରେ ନୀଳାଚଳ ଧାମେ
ଶ୍ରୀମନ୍ଦିରେ ବିଜେ ଦାରୁ ଦେବତା ll
ଅପୂର୍ଵ ଦାରୁଟେ ଲାଗି ଥିଲା ଆସି
ବାଙ୍କି ମୁହାଣରେ କାୟା ମେଲାଇ l
ସ୍ୱପ୍ନାଦେଶ ହେଲା ରାଜା ବିଷ୍ଣୁ ଭକ୍ତେ
ଏ ଦାରୁରେ ଦିଅ ଦିଅଁ ଗଢ଼ାଇ ll
ମୁଣ୍ଡେ ହାତ ଦେଇ ବସିଥିଲେ ତହିଁ
ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁ ଭକ୍ତ ନରେଶ l
ଶ୍ରୀମନ୍ଦିର ପୂଜ୍ୟ କି ମୂର୍ତ୍ତି ଗଢିବି
ମନେ ମନେ ହେଉଥିଲେ ନିରାଶ ll
ଏହି ସମୟରେ ପହଞ୍ଚିଲ ତୁମ୍ଭେ
ବୃଦ୍ଧ ବେଶେ ଅନନ୍ତ ମହାରଣା l
ବିଗ୍ରହ ଗଢ଼ିବ ବୋଲି ପ୍ରକାଶିଲ
କରି ଇନ୍ଦ୍ରଦ୍ୟୁମ୍ନେ ତୁମ୍ଭେ ଯାଚନା ll
ନରେଶଙ୍କୁ ଏହା ବିଶ୍ୱାସ ନୋହିଲା
ବିଗ୍ରହ ଗଢ଼ିଲ ଅପୂର୍ବ କରି l
ନୀଳାଚଳ ଧାମେ ବସିଛି ଦେଉଳେ
କଳି ଯୁଗେ ଦାରୁଭୁତ ମୁରାରୀ ll
ଅପୂର୍ବ ମୂରତି ଦର୍ଶନେ ତାଙ୍କର
ଜ୍ଞାନୀଜନ ମାନେ ହୁଅନ୍ତି ବଣା l
ଖୋଜି ବୁଲୁଛନ୍ତି ଅଧାଗଢ଼ା ରୂପେ
ଶିଳ୍ପୀ କିଏ ତାର କିସ କଳ୍ପନା ll
ଶତ ଶତ ଅନ୍ବେଷଣ ଗବେଷଣା
ହେଉଅଛି ଏହି ରୁପକୁ ଚିନ୍ତି l
ତେବେହେଁ ସିଦ୍ଧାନ୍ତ ହୋଇପାରି ନାହିଁ
ଅଦ୍ଭୁତ ତତ୍ତ୍ୱ ଏ ଚତୁର୍ଦ୍ଧା ମୂର୍ତ୍ତି ll
ଅଜ୍ଞାନ ମନୁଷ୍ୟେ ବୁଝିବେ ବା କାହୁଁ
ଏହା ସିନା ବିଶ୍ୱକର୍ମା ନିର୍ମାଣ l
ନିର୍ମାଣ ବିଦ୍ୟାରେ ସରଜିଛି ଯିଏ
ଏ ସାରା ବିଶ୍ୱକୁ କରି କଲ୍ୟାଣ ll
ତା କୁଳେ ଜନମି ଏ ଉତ୍କଳ ଭୂମେ
ଗଢ଼ିଲେ କୋଣାର୍କ ଅପୂର୍ଵ କଳା l
ବିଶୁ ମହାରଣା ଧରମାର କୀର୍ତ୍ତି
ଯାହା ବିଶ୍ୱେ ରହି ଅଛି ଅତୁଳା ll
ଭୁବନେଶ୍ୱରର ରାଜାରାଣୀ ପୁଣି
ଶ୍ରୀଲିଙ୍ଗରାଜଙ୍କ ଶମ୍ଭୁ ମନ୍ଦିର l
ଗାଉଛି କୀରତୀ ଜନମାଏ ଭ୍ରାନ୍ତି
ଧନ୍ୟ ଧନ୍ୟ ତୁମ୍ଭ ଶିଳ୍ପ ସମ୍ଭାର ll
ତୁମ୍ଭ ଯୋଗୁଁ ସିନା ଏ ଦେଶ ବୋଲାଏ
ଉତ୍କର୍ଷ କଳାର ଦେଶ ଉତ୍କଳ l
ଧନ୍ୟ ଅଟେ ତୁମ୍ଭ ନିହାଣ ମୁଗୁର
ଧନ୍ୟ ଧନ୍ୟ ତୁମ୍ଭ ସନ୍ତାନ କୁଳ ll
କିଏ ଆଙ୍କି ଦେଲା ଏହି ଚାରୁକଳା
ନିହାଣ ମୁନରେ ଅପୂର୍ବ କରି l
କିଏସେ ଶିଳ୍ପୀ ଧନ୍ୟ ତାର ବୁଦ୍ଧି
ଏ ଜାତି ଗରବେ ହୁଏ ସୁମରି ll
ସତ୍ୟଯୁଗେ ତୁମ୍ଭେ ନିର୍ମାଣ କରିଲ
ସ୍ୱରଗେ ଇନ୍ଦ୍ରର ସଭା ସୁଧର୍ମl l
ଯେତେ ଯେତେ ପୁର ଦେବଙ୍କ ନିବାସ
ଯାହା ଗାଏ ବିଷ୍ଣୁ ଶଙ୍କର ବ୍ରହ୍ମା ll
ତ୍ରେତୟା ଯୁଗରେ ନିର୍ମାଣିଲ ପୁଣି
ସ୍ବର୍ଣ୍ଣ ଲଙ୍କାପୁରୀ ରାଜା ରାବଣ l
ହରି ଆଣିଥିଲା ପୁଷ୍ପକ ବିମାନ
ଯାହା ଅଟେ ପୁଣି ତୁମ୍ଭ ଭିଆଣ ll
ଦ୍ୱାପର ଯୁଗରେ ଇନ୍ଦ୍ରପ୍ରସ୍ଥେ ପୁଣି
ଅପୂର୍ବ ନଗର କଲ ନିର୍ମାଣ l
ଯୁଧିଷ୍ଠିର ରାଜସୁୟ ଯଜ୍ଞ କଲେ
ବ୍ୟାସମୁନି ଯାହା କଲେ ବଖାଣ ll
ମଥୁରା ନବର ଛାଡିଲେ କେଶବ
ଜରାସନ୍ଧେ ପାଇ ଅତି କଷଣ l
ଦ୍ୱାରିକା ନଗରୀ ନିର୍ମାଣିଲ ତୁମ୍ଭେ
ରଣଛୋଡ଼ଜୀଙ୍କ ନିବାସ ସ୍ଥାନ ll
ସୂର୍ଯ୍ୟଦେବ ତୁମ୍ଭ ଜାମାତା ଅଟନ୍ତି
ଛାୟା ଦେବୀ ଅଟେ ତୁମ୍ଭର ସୂତା l
ଅଦ୍ଭୁତ ଶିଳ୍ପୀ ହେ ପ୍ରଭୁ ବିଶ୍ଵକର୍ମା
ଦେବ ଶିଳ୍ପୀ ତୁମ୍ଭେ ବିଶ୍ୱ ନିର୍ମାତା ll
ନିର୍ମାଣ ବିଦ୍ୟାର ଭଣ୍ଡାର ପ୍ରଭୁ ହେ
ସବୁ ଶିଳ୍ପ ସିନା ତୁମ୍ଭ ଭିଆଣ l
ତୁମ୍ଭ ପାଦେ ଆମ୍ଭେ ପ୍ରଣତି ବାଢୁଛୁ
ବିଶ୍ୱକର୍ମା ସର୍ବେ କର କଲ୍ୟାଣ ll
🙏🙏🙏
ଅର୍ଜୁନୀ
———————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.