ସମ୍ବଲପୁର ବିଶ୍ୱବିଦ୍ୟାଳୟର “ସପ୍ତର୍ଷି” ପତ୍ରିକାରେ ସମ୍ବଲପୁରୀ ଭାଷାକୁ ପ୍ରାଥମିକତା ଦେବା ନୀତି ପୁନଃପ୍ରଚଳନ ଦାବି, କର୍ତ୍ତୃପକ୍ଷଙ୍କ ନିକଟରେ ସ୍ମାରକପତ୍ର ପ୍ରଦାନ

0

ବୁର୍ଲା, ୧୦ ଅଗଷ୍ଟ ୨୦୨୬ : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର “ସପ୍ତର୍ଷି”ରେ ପୂର୍ବରୁ ଥିବା ସମ୍ପାଦକୀୟ ନୀତିକୁ ତୁରନ୍ତ ପୁନଃପ୍ରଚଳନ କରିବା ଦାବିରେ ଆଜି ବିଭିନ୍ନ ସଂଗଠନର ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆଜି ଏକ ପ୍ରତିନିଧି ମଣ୍ଡଳରେ ପଶ୍ଚିମାଞ୍ଚଳ ପିପୁଲ୍ସ ଫୋରମ୍, ସମ୍ବଲପୁର ସାଂସ୍କୃତିକ ପରିଷଦ, ସିଭିଲ ସୋସାଇଟି, ପଶ୍ଚିମାଞ୍ଚଳ ବୁଦ୍ଧିଜୀବୀ ମଞ୍ଚ ଏବଂ ଅନ୍ୟାନ୍ୟ ସାହିତ୍ୟ-ସାଂସ୍କୃତିକ ସଂଗଠନ, ଗବେଷକ, ଲେଖକ ଓ ସଚେତନ ନାଗରିକଙ୍କ ପକ୍ଷରୁ କୁଳପତି, ରେଜିଷ୍ଟ୍ରାର, ପି.ଜି କାଉନସିଲ ଅଧ୍ୟକ୍ଷ ଙ୍କ ଉଦ୍ଧେଶ୍ୟରେ ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାରିକଙ୍କୁ ଭେଟି ଏହି ଦାବିପତ୍ର ଦେଇଥିଲେ।

ପୂର୍ବରୁ “ସପ୍ତର୍ଷି”ର ସମସ୍ତ ସଂଖ୍ୟାରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ସମ୍ବଲପୁରୀ ଭାଷାରେ ସୀହିତ୍ୟ ରଚନା, ସମ୍ବଲପୁରୀ ଭାଷା ଓ ସାହିତ୍ୟ ଉପରେ ଗବେଷଣା ଓ ପଶ୍ଚିମ ଓଡ଼ିଶାର ଗବେଷକ-ଲେଖକମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଏହା କେବଳ ସମ୍ପାଦକୀୟ ଇଚ୍ଛା ନୁହେଁ, ବରଂ ଏହି ଅଞ୍ଚଳର ଭାଷା-ସାହିତ୍ୟ ପ୍ରତି ବିଶ୍ୱବିଦ୍ୟାଳୟର ଦାୟିତ୍ୱର ପ୍ରତିଫଳନ ଥିଲା।

ମାତ୍ର ଏବେ ସେହି ନୀତି ଥିବା ପୃଷ୍ଠାଟି ପତ୍ରିକାରୁ ହଟାଇ ଦିଆଯାଇଥିବା ଦେଖିବାକୁ ପାଇ ପ୍ରତିନିଧି ମଣ୍ଡଳ ଗଭୀର ଉଦ୍‌’ବେଗ ପ୍ରକାଶ କରିଛନ୍ତି। କୌଣସି ସାର୍ବଜନୀନ ସୂଚନା ବା ନୂଆ ନୀତି ନ ଥାଇ ଏହି ନୀତିକୁ ହଟାଇ ଦିଆଯାଇ ଥିବା ପଦକ୍ଷେପକୁ ପ୍ରତିନିଧି ମଣ୍ଡଳ ଦୃଢ଼ ବିରୋଧ କରିଛନ୍ତି।

ଏହି ମର୍ମରେ ଆଜି ଦିଆଯାଇଥିବା ସ୍ମାରକ ପତ୍ରରେ ମୁଖ୍ୟ ଦାବିଗୁଡ଼ିକ ହେଲା “ସପ୍ତର୍ଷି”ରେ ଥିବା ସମ୍ବଲପୁରୀ ଭାଷାକୁ ପ୍ରାଧାନ୍ୟ ଦେବା ନୀତି ଥିବା ପୃଷ୍ଠାକୁ ତୁରନ୍ତ ପୁନଃସ୍ଥାପନ କରାଯାଉ। ଏହି ନୀତି ଥିବା ପୃଷ୍ଠାକୁ ପ୍ରତି ସଂଖ୍ୟାରେ ସ୍ଥାୟୀ ଭାବେ ପ୍ରକାଶ କରାଯାଉ। ପଶ୍ଚିମ ଓଡ଼ିଶାର ଗବେଷକ, ଲେଖକ ଓ ବୁଦ୍ଧିଜୀବୀଙ୍କ ଲେଖାକୁ ଉପଯୁକ୍ତ ସୁଯୋଗ ଓଜନ ଦିଆଯାଉ। କେଉଁ ଆଧାରରେ ଏହି ପୃଷ୍ଠା ହଟାଗଲା ତାହା ଅଂଚଳବାସୀ ଜାଣିବା ପାଇଁ ଏକ ପ୍ରାତିଷ୍ଠାନିକ ତଦନ୍ତ କରାଯାଉ। “ସପ୍ତର୍ଷି”କୁ ପଶ୍ଚିମ ଓଡ଼ିଶାର ଭାଷା-ସାହିତ୍ୟ-ଲୋକସଂସ୍କୃତି ଗବେଷଣାର ଏକ ମୁଖ୍ୟ ମଞ୍ଚ ଭାବେ ମଜବୁତ କରାଯାଉ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ। ତେଣୁ ଏହି ଅଞ୍ଚଳର ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବା, ଗବେଷଣା କରିବା ଏବଂ ପ୍ରଚାର କରିବା ତାର ନୈତିକ ଦାୟିତ୍ୱ ବୋଲି ଆମେ ପ୍ରତିନିଧି ମଣ୍ଡଳ ମତ ଦେଇଛି।

ସେମାନେ ଆଶା କରିଛନ୍ତି ଯେ କର୍ତ୍ତୃପକ୍ଷ ଏହି ଆବେଦନକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ। ଏହା ଦ୍ୱାରା ଯୁବ ଗବେଷକ ଓ ଲେଖକମାନେ ସମ୍ବଲପୁରୀ ଭାଷାରେ କାମ କରିବାକୁ ପ୍ରୋତ୍ସାହିତ ହେବେ। ସମ୍ବଲପୁର ବିଶ୍ବ ବିଦ୍ୟାଳୟ ପ୍ରକୃତ ପକ୍ଷେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ପୃଷ୍ଠପୋଷକ ହେବା ସହ ଏହାର ପ୍ରତିଷ୍ଠାତା ପ୍ର. ଭୁବନେଶ୍ବର ବେହେରାଙ୍କ ନେତୃତ୍ବରେ ଅଭୀପ୍‌ସିତ ଲକ୍ଷ ସାଧନ କରିପାରିବ। ଏହି ପ୍ରତିନିଧି ମଣ୍ଡଳରେ ସର୍ବଶ୍ରୀ ଡ. ସପନ ମିଶ୍ର,ସାହିତ୍ୟିକ ଓ ଚିନ୍ତା ନାୟକ ଦୁର୍ଗା ପ୍ରସାଦ ନାଥ,ସାହିତ୍ୟିକା ପାର୍ବତୀ ସେଠ,ଶିକ୍ଷାବିଦ ଭକ୍ତ ପ୍ରସାଦ ନନ୍ଦ,ଜିତେନ୍ଦ୍ର ସେଠ,ପ୍ରିନ୍ସ୍‌ ଗୁପ୍ତା,ସିଭିଲ୍‌ ସୋସାଇଟୀର ବ୍ରଜମୋହନ ଗୋଏଲ୍‌ ଓ ବିମଳା ଦେବୀ ପ୍ରମୂଖ ଯାଇଥିଲେ।

Leave A Reply

Your email address will not be published.